ଯାଦୁ ମହଲ

ବୀରଗିରି ରାଜ୍ୟର ଚତୁର୍ଦ୍ଦିଗରେ ଆନନ୍ଦ ଉତ୍ସବ ଲାଗିଛି, ରାଜକୁମାରୀ ବିଦ୍ୟାବତୀଙ୍କର ଜନ୍ମଦିନ ପାଳନ କରିବା ପାଇଁ ପ୍ରସ୍ତୁତି ଚାଲିଛି । ଜନ୍ମଦିନ ପାଇଁ ଆଉ ତିନିସପ୍ତାହ ରହିଲା; ସେହିସବୁ କାର୍ଯ୍ୟକ୍ରମ ମଧ୍ୟରେ ମୁଖ୍ୟ କାର୍ଯ୍ୟ ଥିଲା – ରାଜକୁମାରୀ ମନ୍ଦିରରେ ପ୍ରଣାମ କରିବା ପରେ ଶୋଭାଯାତ୍ରାରେ ସଜା ହୋଇଥିବା ରଥରେ ବସି ପ୍ରାସାଦକୁ ଫେରିବେ । ଯେତିକିବେଳେ ପ୍ରଜାମାନେ ଆନନ୍ଦ ଉତ୍ସବ କରିବେ ଓ ରାଜକୁମାରୀ ସେମାନଙ୍କୁ ଦର୍ଶନ ଦେବେ । ବର୍ଷକରେ ଥରେ ଏହି ଉତ୍ସବ ଆସେ; ସାରା ରାଜ୍ୟର ଲୋକେ ସେହି ଅପେକ୍ଷାରେ ଥା’ନ୍ତି । ସେମାନେ ତାଙ୍କ ରାଜା ଓ ରାଜକୁମାରୀଙ୍କୁ ବହୁତ ଭଲ ପା’ନ୍ତି । ନଗରୀଟି ଆନନ୍ଦ ମୁଖର ହୋଇଉଠେ । ଖିଆପିଆ, ନାଚଗୀତ, ଇତ୍ୟାଦି ଯୋଗୁଁ ଖୁବ୍ ଧୂମଧାମରେ ରାଜକୁମାରୀଙ୍କ ଜନ୍ମଦିନ ପାଳିତ ହୁଏ ।

                ରାଜ୍ୟର ପ୍ରଧାନ ରାସ୍ତା ସବୁକୁ ପରିଷ୍କାର କରା ହୋଇ ସଜାସଜି କରାଯାଉଥିଲା । ସବୁ ପ୍ରକାରର ସଜାସଜି ପାଇଁ ସାରା ରାଜ୍ୟର ଲୋକେ ଲାଗି ପଡିଥିଲେ । କିନ୍ତୁ ଅକାଳ ବଜ୍ରପାତ ହେବା ପରି ଜନ୍ମଦିନର ତିନିଦିନ ଆଗରୁ ହଠାତ୍ ରାଜକୁମାରୀ ଭୀଷଣ ଅସୁସ୍ଥ ହୋଇ ପଡିଲେ ।

                ଏକଥା ଶୁଣି ପ୍ରଜାମାନେ ତ ଦୁଃଖିତ ହେଲେ; ରାଜା ବୀରସେନ ଓ ରାଣୀ ବଜ୍ରେଶ୍ୱରୀ ମଧ୍ୟ ଅତ୍ୟନ୍ତ ଦୁଃଖୀ ହୋଇ ପଡିଲେ; ପୂର୍ବରୁ କେବେବି ରାଜକୁମାରୀଙ୍କର କୌଣସି ରୋଗ ହୋଇନାହିଁ । ପୁଣି ଗୋଟିଏ ବୋଲି ଝିଅ । ରାଜାରାଣୀ କିଂକର୍ତ୍ତବ୍ୟବିମୁଢ ହୋଇ ପଡିଲେ ।

                ରାଜକୁମାରୀ ଶେଯ ଉପରୁ ମଧ୍ୟ ଉଠିପାରୁ ନଥିଲେ । ଯଦି ତାଙ୍କର ପରିଚାରିକାମାନେ ତାଙ୍କୁ ଧରି ଉଠାଇଥିଲେ ତେବେ ବହୁକଷ୍ଟରେ ସେ ଠିଆ ହେଉଥିଲେ ଓ ପର ମୁହୂର୍ତ୍ତରେ ପୁଣି ବିଛଣାରେ ପଡି ଯାଉଥିଲେ । ଏହି ଘଟଣା ଜନ୍ମଦିନର ତିନିଦିନ ପୂର୍ବେହିଁ ଘଟିଥିଲା । ରାଣୀ ତ ଖାଇବା ପିଇବା ଛାଡି ଝିଅର ବିଛଣା ପାଖରେ ବସି ରହିଥା’ନ୍ତି ଓ କାନ୍ଦୁଥା’ନ୍ତି । ରାଜକୁମାରୀଙ୍କ ଚେହେରା ଅତ୍ୟନ୍ତ ମଳିନ ଦିଶୁଥାଏ! ଚକ୍ଷୁ କୋଟରଗତ; ମନେ ହେଉଥାଏ ଯେ ସେ ଯେପରି ବହୁଦିନ ଧରି ଏହି ଭୋଗ ଭୋଗୁଛନ୍ତି । କିନ୍ତୁ ରୋଗ କ’ଣ ତାହା କେହିବି ଧରିପାରୁ ନଥାନ୍ତି । ବୋଧହୁଏ କେହି ତନ୍ତ୍ର କରି ଏପରି କରିଛି । କୌଣସି ନିର୍ଦ୍ଦିଷ୍ଟ ରୋଗର ଲକ୍ଷଣ ନାହିଁ ।

ରାଜା ତ ଝିଅର ଅବସ୍ଥା ଦେଖି ଅବାକ୍ । ସେ ତାଙ୍କ ଆଖିକୁ ବି ବିଶ୍ୱାସ କରିପାରୁ ନଥିଲେ । ରାଜବୈଦ୍ୟ ଆସି ନାଡୀ ପରୀକ୍ଷା କରି ଦେଖିଲେ ରୋଗ କିଛି ନାହିଁ । କିନ୍ତୁ ସେ ଯେ କାହିଁକି ଏପରି ପଡିରହିଛନ୍ତି ତା’ର କୌଣସି କାରଣ ଜଣାଗଲା ନାହିଁ । ବିଚାରା ବୈଦ୍ୟ ନାଚାର ହୋଇ କହିଲେ, “ମହାରାଜ, ଏପରି ରୋଗ ବିଷୟରେ ମୁଁ ମଧ୍ୟ ଆଦୌ ଶୁଣି ନଥିଲି । ମୁଁ ଦୁଇ ତିନିଦିନ ଅପେକ୍ଷା କରିବି ଓ ରୋଗର ଲକ୍ଷଣ ଜାଣିପାରିଲେ ଯାଇ ମୁଁ ମୋ ଚିକିତ୍ସା ଆରମ୍ଭ କରିବି । ଏବେ ପ୍ରଥମ କଥା ଯେ ରାଜକୁମାରୀ ସର୍ବଦା ବିଶ୍ରାମ କରନ୍ତୁ, ତା’ପରେ ଦେଖାଯିବ ।”

ତା’ ପରଠାରୁ ରାଣୀ ସର୍ବଦା ଦୁଃଖିତ ହୋଇ ଝିଅର ବିଛଣା ପାଖରେ ସେମିତି ବସି ରହିଲେ । ରାଜକୁମାରୀ ମଧ୍ୟ ଗଭୀର ନିଦ୍ରାରେ ମଗ୍ନ ରହିଥାନ୍ତି । ସଂଧ୍ୟାବେଳକୁ ରାଜବୈଦ୍ୟ ଆସିଲେ ଓ ରାଜକୁମାରୀଙ୍କୁ ସେ ଦେଖିଲେ । ଖାଦ୍ୟ ବିଷୟରେ ପଚାରନ୍ତେ ରାଜକୁମାରୀ କହିଲେ ଯେ ତାଙ୍କର ଖାଇବା ପାଇଁ ଆଦୌ ଇଚ୍ଛା ହେଉନାହିଁ । ତେଣୁ ଦୁର୍ବଳତା କ୍ରମେ ବେଶି ହେଉଛି । ରାଜବୈଦ୍ୟ ବାଧ୍ୟ ହୋଇ କହିଲେ ଯେ କେବଳ ଫଳରସ ଦିଆଯାଉ ଓ ରାଜକୁମାରୀ ସର୍ବଦା ଶୋଇ ରୁହନ୍ତୁ ।


ଗପ ସାରଣୀ

ତାଲିକାଭୁକ୍ତ ଗପ