ପାଣ୍ଡିତ୍ୟ

ସେତେବେଳେ ଚନ୍ଦ୍ରଦେବ ଚମ୍ପାନଗରୀର ସିଂହାସନରେ ନୂଆ ହୋଇ ଅଭିଷିକ୍ତ ହୋଇଥାନ୍ତି । ସେ ଯୁବକ ଲୋକ । ସିଂହାସନରେ ବସିବାର କଳ୍ପନା ସ୍ୱପ୍ନରେ ବି ତାଙ୍କ ମନକୁ ତ କେବେବି ଆସି ନଥିଲା । ହଠାତ୍ ରାଜା ମରିଗଲେ । ତାଙ୍କର ଏକମାତ୍ର ପୁଅ ରାଜାଙ୍କ ମୃତ୍ୟୁର ଅଳ୍ପଦିନ ଆଗରୁ ଶୀକାର କରିବାକୁ ଯାଇ ପ୍ରାଣ ହରାଇଥିଲେ । ରାଜ୍ୟ ହଠାତ୍ ଉତ୍ତରାଧିକାରୀ-ଶୂନ୍ୟ ହୋଇଗଲା । ଦୂର ସମ୍ପର୍କରେ ରାଜାଙ୍କ ପୁତୁରା ହେବେ ଚନ୍ଦ୍ରଦେବ । ତେଣୁ ତାଙ୍କ କପାଳରେ ଶିକା ଛିଡିଲା । ସେ ଆସି ରାଜା ହେଲେ ।

                ଯୁବରାଜ ରାଜା ହୋଇଥିଲେ ଭିନ୍ନ କଥା ହୋଇଥାନ୍ତା । ଯେହେତୁ ଯୁବରାଜଙ୍କୁ ଦରବାରର ବିଧି ବ୍ୟବସ୍ଥା ସବୁ ଜଣା । କେଉଁ ଲୋକ ପ୍ରତି ସାବଧାନ ରହିବାକୁ ହେବ, କାହା ପ୍ରତି ଦୟା ପୋଷଣ କରିବାକୁ ହେବ, ଏସବୁ ଯୁବରାଜଙ୍କୁ ବଳେ ବଳେ ଜଣାଥାଏ । କିନ୍ତୁ ଚନ୍ଦ୍ରଦେବ ସେସବୁ କିଛିବି ବୁଝୁ ନଥିଲେ । ସେ ଗାଦି ପାଇ ଅତ୍ୟନ୍ତ ଖୁସି ହୋଇ ଯାଇଥାନ୍ତି । ଯିଏ ତାଙ୍କୁ ପ୍ରଶଂସା କରୁଥାଏ, ସିଏ ତାକୁ ପୁରସ୍କାର ଦେଉଥାନ୍ତି ।

                ଚନ୍ଦ୍ରଦେବଙ୍କ ହିତୈଷୀମାନେ, ଯଥା ମନ୍ତ୍ରୀ, ସେନାପତି, ବୟସ୍ୟ ଓ ସଭାସଦ୍ବର୍ଗ ଏଥିରେ ବିଚଳିତ ହେଲେ । ରାଜା ଏପରି ହାଲୁକା ଭାବରେ କାମ କଲେ କିପରି ଚଳିବ? ସେମାନେ କିନ୍ତୁ କ’ଣ ବା କରିବେ?

                ଦିନେ ଯୁବକ ରାଜା ଉଦ୍ୟାନରେ ବସି ତାଙ୍କ ବୟସ୍ୟ ସହ ଗପସପ ହେଉଛନ୍ତି, ଜଣେ ପ୍ରହରୀ ଆସି କହିଲା, “ମହାରାଜ, ବତ୍ସ ରାଜଦରବାରର ଜଣେ ପଣ୍ଡିତ ଆପଣଙ୍କୁ ଭେଟିବାକୁ ଚାହାଁନ୍ତି ।”

                ତହୁଁ ସେ ରାଜା କହିଲେ “ବେଶ୍ । ତାହେଲେ ସେ ଭଦ୍ରଲୋକଙ୍କୁ ଏଠାକୁ ଆସିବା ବାଟ ଦେଖାଇ ଦିଅ ।”

                ତା’ପରେ କିଛି ସମୟ ଭିତରେ ଭଦ୍ରବ୍ୟକ୍ତି ଆସି ସେଠାରେ ପହଁଚିଗଲେ ଓ ଅନର୍ଗଳ କଣ୍ଠରେ ସଂସ୍କୃତରେ ରାଜାଙ୍କ ପ୍ରଶସ୍ତି ଗାନ କଲେ । ସେ ରାଜା ଏଥିରେ ସନ୍ତୁଷ୍ଟ ହେଲେ ।

                ରାଜା କହିଲେ “ହେଲା, ହେଲା । ବେଶ୍ ଭଲ କବିତା ଲେଖିଛ । ଚମତ୍କାର! ତମେ ଆମର ପୃଷ୍ଠପୋଷକତା ପାଇବାକୁ ଯୋଗ୍ୟ!” ଏପରି କଥା ଶୁଣି ସେ ଆଗନ୍ତୁକ ରାଜାଙ୍କୁ ବାରମ୍ବାର ନମସ୍କାର କଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ