ଆଚରଣରେ ପରିବର୍ତ୍ତନ

କୌଣସି ଏକ ଗାଁରେ ଜଣେ ମହିଳା ରହୁଥାନ୍ତି । ସତ କହିବାକୁ ଗଲେ ସେ ଭାରି ଈଶ୍ୱରବିଶ୍ୱାସୀ । ପ୍ରତିଦିନ ସକାଳୁ ଗାଧୋଇବା ପରେ ସେ ଘଂଟା ଘଂଟା ଧରି ବଡ ପାଟିରେ “ଓଁ ବିଷ୍ଣୁ ଦେବାୟ ନମଃ” ବୋଲି ଜପ କରୁଥାନ୍ତି ।

କିନ୍ତୁ ପ୍ରକୃତରେ ସେ ମହିଳା ଜଣକ ଥାଆନ୍ତି ଭାରି କ୍ରୁର ସ୍ୱଭାବର । ସବୁବେଳେ ପାଖ ପଡୋଶୀଙ୍କ ସହିତ ବିନା କାରଣରେ ସେ ଖାଲି ଝଗଡା କରୁଥାନ୍ତି । ସମସ୍ତଙ୍କ ଉପରେ ଖାଲି ତାଙ୍କର ଗରଗର । ଯଦି କେହି ଭୁଲ୍ରେ ବି ସେ ମହିଳା ଜଣକଙ୍କ ନାମ ଧରି ଡାକି ପକାଏ, ତେବେ ଜାଣ କଥା ସରିଲା । ସେହିକ୍ଷଣି ସେ ମହିଳା ଜଣକ ରାଗିଯାଇ ଏଣୁତେଣୁ ଶ୍ରାବ୍ୟ ଅଶ୍ରାବ୍ୟ ଭାଷାରେ ତାଙ୍କୁ ଗାଳି ଦେବାକୁ ଆରମ୍ଭ କରିଥାନ୍ତି । ତେଣୁ ସେ ଗାଁରେ ସମସ୍ତେ କେବଳ ସେ ମହିଳାଟିକୁ ନିନ୍ଦା କରୁଥାନ୍ତି ।

ଦିନକର କଥା । ସେ ଗାଁର ଜଣେ ଯୁବକ ସେ ମହିଳା ଜଣକଙ୍କୁ ନିଜର ଆଚରଣ ସମ୍ପର୍କରେ ଚେତାଇ ଦେବା ପାଇଁ ମନସ୍ଥ କଲା । ସେଥିପାଇଁ ସେ ଉପାୟ ମଧ୍ୟ ସ୍ଥିର କଲା । ଯେତେବେଳେ ନଦୀରୁ ସେ ମହିଳା ଜଣକ ଗାଧୋଇ ଆସି ନିଜ ଘର ଭିତରେ ବସି “ଓଁ ବିଷ୍ଣୁ ଦେବାୟ ନମଃ” ଜପ କରିବାକୁ ଆରମ୍ଭ କରୁଥାନ୍ତି, ଠିକ୍ ସେତିକିବେଳେ ଯୁବକଟି ସେ ମହିଳା ଜଣକ ଘର ପାଖରେ ଆସି ପହଁଚି ଗଲା ।

ତାପରେ ସେ ଯୁବକ ଜଣକ ଘର ସମ୍ମୁଖରେ ଠିଆ ହୋଇ ମହିଳା ଜଣଙ୍କର ନାମ ଧରି ଡାକିବାକୁ ଆରମ୍ଭ କଲା । ମହିଳା ଜଣକ ନିଜ ନାମ ଜଣେ ଅଜ୍ଞାତ ବ୍ୟକ୍ତି ଡାକୁଥିବାରୁ ହଠାତ୍ ସେ ରାଗରେ ପୁରା ପାଚି ଲାଲ୍ ହୋଇଗଲେ । କେବଳ ଈଶ୍ୱରଙ୍କ ନାମ ନେଉଥିବାରୁ ସେ ମହିଳା ଜଣକ ଦାନ୍ତ ଚିପି ଚୁପ୍ ରହିଗଲେ, ଓ ବିଷ୍ଣୁଙ୍କ ନାମ ଜପିବାକୁ ଲାଗିଲେ । ହେଲେ ସେ ଯୁବକ କିନ୍ତୁ ନଛୋଡବନ୍ଧା । ତେଣୁ ସେ ବାରମ୍ବାର ଖାଲି ମହିଳାଙ୍କ ନାମ ଧରି ଡାକୁଥାଏ ।

ଏଥର ସେ ମହିଳା ଜଣକଙ୍କର ଧର୍ମଚ୍ୟୁତ ଘଟିଲା । ସେ ଆଉ କ୍ଷଣିକ ବି ସମ୍ଭାଳି ନପାରି ଯୁବକଟିକୁ ଗାଳିଦେବା ଆରମ୍ଭ କରିଦେଲେ । ନୀରବରେ ଯୁବକଟି ସେ ମହିଳାଙ୍କ ସମସ୍ତ ଗାଳି ଶୁଣୁ ଥାଏ । ଗାଳି ଦେଇ ଦେଇ ମହିଳା ଜଣକ ଶେଷରେ ନୀରବ ହେଲେ ଓ ସେ ଯୁବକଟିକୁ ଅଭିଶାପ ମଧ୍ୟ ଦେଲେ ।

ଏଥର ସେ ଯୁବକଟି କହିବାକୁ ଆରମ୍ଭ କଲା । ସେ କହିଲା, ଆଜ୍ଞା ଦଶମିନିଟ୍ ଧରି ମୁଁ ଆପଣଙ୍କ ନାମ ଧରି ଡାକିବାରୁ ଆପଣ ମୋତେ ଗାଳି ଦେଇ ଶେଷରେ ଅଭିଶାପ ଦେବାକୁ ମଧ୍ୟ ପଛାଇଲେ ନାହିଁ । ଆଉ ନିଜେ ଯେତେବେଳେ ଘଂଟା ଘଂଟା ଧରି ବିଷ୍ଣୁଙ୍କୁ ବଡ ପାଟିରେ ଡାକୁଛନ୍ତି । ସେତେବେଳେ ବିଷ୍ଣୁ କଣ ଆପଣଙ୍କ ଉପରେ ରାଗୁଛନ୍ତି କି?

ଯୁବକଟିର ଏପରି କଥା ଶୁଣି ସେ ମହିଳା ଜଣକ ହଠାତ୍ କିଛିକ୍ଷଣ ଚକିତ ହୋଇଗଲେ । ତାପରେ ସେ ନିଜର ଭୁଲ୍ ବୁଝିଗଲେ । ସେହି ଦିନଠାରୁ ହିଁ ତାଙ୍କର ଆଚରଣରେ ପରିବର୍ତ୍ତନ ଆସିଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ