ତିଳୋତମା କଥା

ବିବାହ ଶେଷ ହେଲା । ଭାନୁମତି ଚିନ୍ତା କଲେ ଏବେ ମୋ ଗୃହକୁ ପ୍ରତ୍ୟାବର୍ତନ କରିବି । ସ୍ୱାମୀ ଜାଣିଲେ ମୁଁ ଦୋଷୀ ହେବି । ଏସନ ଚିନ୍ତା କରି ମାତାପିତାଙ୍କ ପାଶରୁ ମେଲାଣି ମାଗି ବୃକ୍ଷରେ ବସିଲେ । ଯୋଗ୍ନୀମାନେ ବୃକ୍ଷକୁ ଧରି ଶୂନ୍ୟ ମାର୍ଗରେ ଉଡି ଆସିଲେ । ଖୁବ୍ ଶିଘ୍ର ନିଜ ରାଜ୍ୟରେ ପହଁଚିଲେ । ଭାନୁମତୀ ରାଣୀ ବୃକ୍ଷରୁ ଓହ୍ଲାଇ ଚାଲିବା ସମୟରେ ବିକ୍ରମାଦିତ୍ୟ ଆଗରୁ ଦଉଡି ଯାଇ ପୁଷ୍ପହାର ଓ ସୁବର୍ଣ୍ଣ ହାରକୁ ଶଯ୍ୟାତଳେ ପୂରାଇଦେଇ ଘୋଡି ହୋଇ ଶୋଇଗଲେ । ଭାନୁମତୀ ଯାଇ ନିଜ ଗୃହ ମଧ୍ୟରେ ମିଳିଲେ ଓ ରାଜା ସୁଖନିଦ୍ରା ଯାଇଥିବାର ଦେଖିଲେ । ବିକ୍ରମାଦିତ୍ୟଙ୍କ ନିକଟକୁ ଯାଇ ଉଠ ଉଠ ବୋଲି ଡାକିଲେ । ରାଜା ଡାକଶୁଣି ଶଯ୍ୟାରୁ ଉଠିଲେ । ନିଜର ନିତ୍ୟକର୍ମ ସମାପନ କରି ରାଜା ବେଶ ପରିଧାନ କରି ରାଜ ଦରବାରରେ ଉପସ୍ଥିତ ହେଲେ । ପ୍ରଜାମାନେ ଯେ ଯାହାର ଦୁଃଖ ଆସି ରାଜାଙ୍କ ଆଗରେ ଜଣାଇଲେ । ଏହିପରି କିଛିଦିନ ବିତିଗଲା । ଦିନକୁ ଦିନ ଭୋଜରାଜ ଓ ଭୁରିମଲ୍ଲଙ୍କ ମଧ୍ୟରେ କଳହ ବଢିଚାଲିଲା । କୁଜାବର କନ୍ୟାକୁ ନେବାପାଇଁ କଳି ଲଗାଇଲା । ତିଳୋତମା କହିଲା ମୁଁ ତୁମ୍ଭର ଘରକୁ ଯିବି ନାହିଁ । ମୁଁ କୁଜା ବରକୁ ବିବାହ କରିନାହିଁ । ବର ଓ କନ୍ୟାକୁ ଘେନିକରି ବେନି ରାଜା ବିକ୍ରମାଦିତ୍ୟଙ୍କ ରାଜଦରବାରକୁ ଗଲେ ନ୍ୟାୟ ବିଚାର ପାଇବା ଆଶାରେ । ନିଜର ସୈନ୍ୟ ସାମନ୍ତ ସଙ୍ଗରେ ଉଜ୍ଜୟିନୀରେ ପହଁଚିଲେ । ବିକ୍ରମାଦିତ୍ୟ ସେମାନଙ୍କୁ ଆଦର କରି ଗୃହରେ ବସାଇଲେ । ଭୋଜରାଜ ଓ ଭୁରିମଲ୍ଲ ନୃପ ବିକ୍ରମାଦିତ୍ୟଙ୍କ ସଭାରେ ବସିଲେ । ତିଳୋତମାକୁ ନେଇ ରାଜା ଅନ୍ତଃପୁରେ ରଖିଲେ । ବିକ୍ରମାଦିତ୍ୟ ସେ ଦୁହିଁଙ୍କୁ ପ୍ରଶ୍ନ କଲେ କୁହ ଦୁଇରାଜା କି କାରଣେ ଆସିଛ । ଭୋଜରାଜ କହିଲେ ମୁଁ ଓ ଭୁରିମଲ୍ଲ ନୃପ ଦ୍ୱନ୍ଦ୍ୱରେ ପଡି ଏଠାକୁ ଆସିଅଛୁ । ତୁମେତ ସତ୍ୟବାଦୀ ନ୍ୟାୟବନ୍ତ ରାଜା । ତୁମ୍ଭେ ଏବେ ନ୍ୟାୟକର । ମୋ ଠାରୁ ସମସ୍ତ ବିବରଣୀ ଶୁଣି ବିଚାର କରନ୍ତୁ । ରାଜା ଭୁରିମଲ୍ଲଙ୍କର ଯେଉଁ ପୁତ୍ରକୁ ମୁଁ କନ୍ୟାଦାନ କରିଥିଲି, ସେ ପୁଅ ଏ ନୁହଁ । ସେ ଦେଖିବାକୁ ସାକ୍ଷାତ କନ୍ଦର୍ପ ଭଳି ରୂପବନ୍ତ । ତାଙ୍କର ରୂପ ଦେଖି ଯୁବତୀମାନେ ମୋହିତ ହେଉଥିଲେ କିନ୍ତୁ ଏ ବରକୁ ଦେଖିବାବେଳକୁ ପିଠିରେ କୁଜ ଅଛି । ମୁଁ ସେ ପୁତ୍ରକୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲି ।


ଗପ ସାରଣୀ

ତାଲିକାଭୁକ୍ତ ଗପ