ଯୁବରାଜଙ୍କ ବୁଦ୍ଧି

ଅରୁଣଗିରିର ରାଜା ପ୍ରତାପସେନ ହଠାତ୍ ଅସୁସ୍ଥ ହୋଇ ପଡିଲେ । ରାଜକାର୍ଯ୍ୟରେ ବାଧା ହେଲା । ରାଜା ଯୁବରାଜ କୀର୍ତିସେନ୍ଙ୍କୁ ଦାଇତ୍ତ୍ଵ ତୁଲାଇବାକୁ ନିର୍ଦ୍ଧେଶ ଦେଲେ ।

                ପ୍ରାୟ ଛଅମାସ ପରେ ରାଜା ଯେତେବେଳେ ପୁଣି କାର୍ଯ୍ୟଭାର ଗ୍ରହଣ କଲେ, ଦେଖିଲେ ତାଙ୍କ ଅସୁସ୍ଥତା ବେଳେ ରାଜକାର୍ଯ୍ୟରେ ମୋଟେ କିଛି ବ୍ୟାଘାତ ଘଟିନାହିଁ । ସବୁ ସୁରୁଖୁରୁରେ ହୋଇଛି । ରାଜା ଯୁବରାଜ କୀର୍ତିସେନଙ୍କ ଉପରେ ଭାରି ଖୁସି ହେଲେ ।

ସେତିକିବେଳେ ମନ୍ତ୍ରୀ ବିଷ୍ଣୁଦାସଙ୍କର ହଠାତ୍ ପରଲୋକ ହୋଇଗଲା । ରାଜା ବଡ ବ୍ୟଥିତ ହେଲେ । ଦିନେ ସେ ତାଙ୍କ ପୁଅକୁ କହିଲେ, “ବିଷ୍ଣୁଦାସଙ୍କ ପୁଅ କୁମରଦାସ ଖୁବ୍ ବୁଦ୍ଧିମାନ ଓ ନମ୍ର । ତାକୁ ମୁଁ ମନ୍ତ୍ରୀପଦରେ ବସାଉଛି ।”

ଯୁବରାଜ କହିଲେ “ପିତା! ଆପଣ ମନ୍ତ୍ରୀ ନିର୍ବାଚନ ଦାଇତ୍ତ୍ଵ ମୋ ଉପରେ ଛାଡିଦେଲେ ଖୁବ୍ ଭଲ ହୁଅନ୍ତା ।”

ରାଜା ଭାବିଲେ, ପୁଅ ଯେତେହେଲେ ସୁରୁଖୁରୁରେ ରାଜକାର୍ଯ୍ୟ ଚଳାଇଛି ହଠାତ୍ ତା’ କଥା ନ ରଖିଲେ ସେ ମନ ଖରାପ କରିପାରେ । ଦ୍ୱିତୀୟତଃ ତାଙ୍କ ଅନ୍ତେ ପୁଅହିଁ ରାଜା ହେବ । ତେଣୁ ନିଜ ମନ୍ତ୍ରୀ ସେ ନିଜେ ମନୋନୟନ କରିବା ଉଚିତ୍ ।

ରାଜା କହିଲେ “ହଉ । କିନ୍ତୁ ତୁ କିଭଳି ପଦ୍ଧତିରେ ମନ୍ତ୍ରୀ ନିର୍ବାଚନ କରିବୁ, ମୁଁ ତାହା ଦେଖିବି ।”

ମନ୍ତ୍ରୀପଦ ପାଇଁ ଯେଉଁ ଅମାତ୍ୟମାନଙ୍କର ଯୋଗ୍ୟତା ଅଛି ବୋଲି ରାଜା ଓ ଯୁବରାଜ ଭାବୁଥିଲେ, ସେମାନଙ୍କୁ ଜଣ ଜଣ କରି ଡକା ହେଲା । ଯୁବରାଜ ସମସ୍ତଙ୍କୁ ସେହି ଗୋଟାଏ ମାତ୍ର ପ୍ରଶ୍ନ ପଚାରୁଥାନ୍ତି, “ପାଞ୍ଚରେ ଦୁଇ ଗୁଣିଲେ କେତେ?” ସମସ୍ତେ ଉତ୍ତର ଦେଉଥାନ୍ତି, “ଦଶ!” କିନ୍ତୁ ଏ ଉତ୍ତର ଦେବା ପ୍ରାର୍ଥୀମାନେ ଯୁବରାଜଙ୍କ ତାଲିକାରେ କାଟ ଖାଇ ଯାଉଥାନ୍ତି ।

କୁମରଦାସଙ୍କ ପାଳି ପଡିଲା । ଏକା ପ୍ରଶ୍ନର ଉତ୍ତରରେ ସେ କହିଲେ, “ସାତ!” ଯୁବରାଜ ଖୁସି ହୋଇ କହିଲେ, “ତମର ଯୋଗ୍ୟତା ଅଛି ।”

କିନ୍ତୁ କୁମରଦାସ କହିଲେ, “ମଣିମା! ମୁଁ କିନ୍ତୁ ବାସ୍ତବିକ କୌଣସି ଯୁକ୍ତିଯୁକ୍ତ ଉତ୍ତର ଦେଇନାହିଁ । ପାଞ୍ଚର ଦୁଇଗୁଣ ଦଶ ନ ହୋଇ ସାତ କାହିଁକି ହେବ, ସେକଥା ମୁଁ ଜାଣେନା । ଖାଲି ଏଡେ ଛୋଟ ପ୍ରଶ୍ନର ସିଧା ଉତ୍ତର ଦେବାରେ କିଛି ବିଶେଷତ୍ୱ ନାହିଁ ବୋଲି ଭାବି ମୁଁ ସେମିତି କହିଦେଲି ।”

ଯୁବରାଜ କହିଲେ “ତେବେ ତମେ ଏହିପଦ ଲାଗି ଆଦୌ ଯୋଗ୍ୟ ନୁହଁ!”

କୁମରଦାସ ଚାଲିଯିବା ପରେ ରାଜା ଯୁବରାଜକୁ ପଚାରିଲେ, “ତୋର ଏ ପ୍ରଶ୍ନର ତାତ୍ପର୍ଯ୍ୟ କ’ଣ?”

ଯୁବରାଜ ଉତ୍ତର ଦେଲେ “ପରଲୋକଗତ ମନ୍ତ୍ରୀ ବିଷ୍ଣୁଦାସ କହୁଥାନ୍ତି କି ଖାଲି ଅଜ୍ଞଜ୍ଞାନ ଥିଲେ ଯେ ଜଣେ ଯୋଗ୍ୟ ମନ୍ତ୍ରୀ ହୋଇଯିବ, ତାହା ନୁହେଁ । ଅର୍ଥାତ୍ ଯାହାର ଅଜ୍ଞଜ୍ଞାନ ନାହିଁ, ସେ ହିଁ ଯୋଗ୍ୟ ମନ୍ତ୍ରୀ ହେବ । ମୁଁ ତ କେବଳ ସେଇଥିପାଇଁ ଅଜ୍ଞଜ୍ଞାନ-ଶୂନ୍ୟ ଲୋକଟିଏ ଖୋଜୁଛି!”

ରାଜା ମୁଣ୍ଡରେ ହାତ ଦେଇ ବସିଲେ । ସେ ଯେ ଯୁବରାଜଙ୍କୁ ବୁଦ୍ଧିମାନ ଯୁବକ ବୋଲି ଭାବିଥିଲେ, ତାଙ୍କର ସେ ଧାରଣା ଦୂର ହେଲା । ସେ ବୁଝିଲେ ଯେ ତାଙ୍କ ଅସୁସ୍ଥତା ବେଳେ ମନ୍ତ୍ରୀ ବିଷ୍ଣୁଦାସହିଁ ରାଜକାର୍ଯ୍ୟ ସମ୍ଭାଳୁଥିଲେ ।

ସେ ମନ୍ତ୍ରୀ ନିର୍ବାଚନ ଭାର ଯୁବରାଜ ଉପରେ ନ୍ୟସ୍ତ ନ କରି ନିଜେ କୁମରଦାସକୁ ସେ ପଦରେ ବସାଇ ଦେଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ