ଶ୍ରୀଜଗନ୍ନାଥଙ୍କ କାହାଣୀ

ରାଜା ଇନ୍ଦ୍ରଦ୍ୟୁମ୍ନ ଯେପରି ପ୍ରଜାବତ୍ସଳ, ଠିକ୍ ସେହିପରି ଧର୍ମପ୍ରାଣ ମଧ୍ୟ ଥିଲେ । ତାଙ୍କ ମହତ୍ୱ ବର୍ଣ୍ଣନା କରି କେତେ କବି କବିତା ଲେଖିଥିଲେ, କେତେ ଗାୟକ ମଧ୍ୟ ତାଙ୍କ ପ୍ରଶସ୍ତି ଗାନ କରୁଥିଲେ ।

                ସେ ରାଜା ବି କିଛି କମ୍ ଗୁଣଗ୍ରାହୀ ନଥିଲେ । ଦେଶର ଶିଳ୍ପୀ, ଭାସ୍କର, କବି, ନାଟ୍ୟକାର–ଏମିତିକି ତାଙ୍କ ପୃଷ୍ଠପୋଷକତାରୁ କେହି ବି ବଂଚିତ ହେଉନଥିଲେ । ସମସ୍ତେ ସୁଖୀ ଥିଲେ ।

                କିନ୍ତୁ କିଛିଦିନ ଧରି ରାଜା ନିଜେ ଅସୁଖୀ ମନେ ହେଉଥାନ୍ତି । ଏହାର କାରଣ କ’ଣ? ତାଙ୍କର ବା କ’ଣ ଅଭାବ ଥିଲା? କେଉଁ ଆକାଂକ୍ଷା ପୁଣି ତାଙ୍କର ପୂର୍ଣ୍ଣ ହୋଇ ପାରୁନଥିଲା?

ଏ ପ୍ରଶ୍ନର ଉତ୍ତର ପ୍ରଥମ ପ୍ରଥମ ସେ ନିଜେ ମଧ୍ୟ ଦେଇପାରି ନଥାନ୍ତେ । କିନ୍ତୁ ଧିରେ ଧିରେ ଏହାର ଉତ୍ତର ତାଙ୍କ ମନରେ ଉଦୟ ହେଲା । ମେଘ ଅପସରି ଗଲେ ଯେପରି ଦିଗନ୍ତରେ ଦେଖାଯାଏ ସୁଦୂରର ମନ୍ଦିର, ଠିକ୍  ସେହିପରି ତାଙ୍କ ମାନସରେ ଗୋଟିଏ ଛବି ସ୍ପଷ୍ଟରୁ ସ୍ପଷ୍ଟତର ହୋଇ ଉଠିଲା ।

ଏବଂ ସେ ଛବିଟି ଗୋଟିଏ ମନ୍ଦିରର ଛବି! ନା, ସେପରି ମନ୍ଦିର ଯେ କେଉଁଠି ସେ ଦେଖିଥିଲେ ଏବଂ ଆଜି ତାହା ତାଙ୍କ ସ୍ମୃତିରେ ଫୁଟି ଉଠିଲା, ସେକଥା ନୁହେଁ । ସେ ଦେଖିଲେ ଭବିଷ୍ୟତର ଏକ ଦେବାଳୟ । ବିଶାଳ, ଉନ୍ନତ ଓ ସୁନ୍ଦର । ସେ ଦେବାଳୟ କେବଳ ତାଙ୍କୁ ହିଁ ନିର୍ମାଣ କରିବାକୁ ପଡିବ । ଲକ୍ଷ ଲକ୍ଷ ଭକ୍ତ ନରନାରୀ ସେମାନଙ୍କ ଦିଅଁଙ୍କୁ ଦେଖିବା ନିମନ୍ତେ ସେଠାକୁ ଧାଇଁ ଆସିବେ । ଯୁଗ ଯୁଗ ଧରି ସେମାନେ ଏମିତି ଆସୁଥିବେ । କିନ୍ତୁ ସେଭଳି ଏକ ଦେବାଳୟର ଅଧିଷ୍ଠାତା ଦିଅଁ ହେବେ ଈଶ୍ୱରଙ୍କର କେଉଁ ରୂପ?

ଦିଅଁ କିଏ ଜଣାନାହିଁ ଅଥଚ ମନ୍ଦିର ତୋଳା ପାଇଁ ରାଜାଙ୍କ ମନରେ ବିପୁଳ ଉଦ୍ଦିପନା ଆସୁଛି–ଏଥିରେ ନିଜେ ରାଜା ବି କିଛି କମ୍ ଆଶ୍ଚର୍ଯ୍ୟ ହେଉ ନଥାନ୍ତି । କିନ୍ତୁ ତାଙ୍କୁ ଆଉ ଅଧିକ କାଳ ଆଶ୍ଚର୍ଯ୍ୟ ହେବାକୁ ପଡିଲା ନାହିଁ । ରାତିରେ ସେ ସ୍ୱପ୍ନରେ ଏକ ପ୍ରତିଶୃତି ପାଇଲେ ଯେ : “ମନ୍ଦିର ନିର୍ମାଣ କର । ଯଥା ସମୟରେ ଦିଅଁ ଆସି ପହଁଚିଯିବେ ।”

ହଠାତ୍ ରାଜାଙ୍କ ନିଦ ଭାଙ୍ଗିଗଲା । ଗୋଟିଏ ବିମଳ ଆନନ୍ଦରେ ରାଜାଙ୍କ ହୃଦୟ ଭରିଗଲା । ଆଉ କୌଣସି ଦ୍ୱିଧା ସଙ୍କୋଚ ରହିଲା ନାହିଁ । ପ୍ରଭାତ ହେବା ମାତ୍ରେ ସେ ତାଙ୍କ ମନ୍ତ୍ରୀ ଓ ଅମାତ୍ୟମାନଙ୍କୁ ଡକାଇଲେ । ଏକ ସୁନ୍ଦର ମନ୍ଦିର ନିର୍ମାଣ ନିମନ୍ତେ ତାଙ୍କ ଅଭିପ୍ରାୟ ସେମାନଙ୍କ ଆଗରେ ସେ ବ୍ୟକ୍ତ କଲେ । ଜ୍ୟୋତିର୍ବିଦମାନେ ମନ୍ଦିର-ନିର୍ମାଣ ଆରମ୍ଭ ହେବା ନିମନ୍ତେ ଶୁଭ ସମୟ ନିରୂପଣ କରିବା ସଙ୍ଗେ ସଙ୍ଗେ ଉପଯୁକ୍ତ ସ୍ଥାନର ଅନ୍ୱେଷଣ କରିବାକୁ ମଧ୍ୟ ନିର୍ଦ୍ଧେଶ ପାଇଲେ ।

ପୁରୀର ବେଳାଭୂମିହିଁ ଉତ୍କୃଷ୍ଟ ପୁଣ୍ୟମୟ ସ୍ଥାନ ବୋଲି ପଣ୍ଡିତମାନେ ମତ ଦେଲେ । ଯଥା ସମୟରେ, ଯଜ୍ଞ ଓ ଶଙ୍ଖନାଦ ଭିତରେ ମନ୍ଦିରର ଭିତ୍ତି ସ୍ଥାପନ ହେଲା । ସମୁଦ୍ରରେ ପୋତ ଦ୍ୱାରା ଦୂରବର୍ତ୍ତୀ ପର୍ବତମାଳାରୁ ବିଶାଳ ପ୍ରସ୍ତର ଖଣ୍ଡମାନ ଆସିଲେ । ବିଶାଳ, ମଜବୁତ୍ ଗାଡିରେ ବୋଝେଇ ହୋଇ, ହାତୀ ଦ୍ୱାରା ଟଣା ହୋଇ ସେସବୁ ସମୁଦ୍ର କୂଳରୁ ମନ୍ଦିର-ନିର୍ମାଣ ସ୍ଥଳିକୁ ଅଣାଗଲେ । ହଜାର ହଜାର ସ୍ଥାପିତ, ଭାସ୍କର, ଭିନ୍ନ ଭିନ୍ନ ବିଦ୍ୟାରେ ବିଶେଷଜ୍ଞ ତଥା ଦକ୍ଷ ଶ୍ରମିକମାନେ କାମରେ ଲାଗି ପଡିଲେ । ସେମାନଙ୍କ ନିଷ୍ଠା ଓ ଶ୍ରମର ଯାଦୁରେ ପଥର ଦେହରେ ଫୁଟିଉଠିଲା ସତେ ଯେମିତି ସହସ୍ର ଫୁଲର ବସନ୍ତ! ବିସ୍ତୃତ ବେଳାଭୂମି ଉପରେ ଚାହୁଁ ଚାହୁଁ ମନ୍ଦିର ଉଚ୍ଚରୁ ଉଚ୍ଚତର ହୋଇ ଚାଲିଲା – ସତେ ଅବା ମେଘମାଳା ସହ ବନ୍ଧୁତା କରିବା ତା’ର ଉଦ୍ଧେଶ୍ୟ ।”


ଗପ ସାରଣୀ

ତାଲିକାଭୁକ୍ତ ଗପ