ଅସଲ କବିରାଜ

ପୁରୀଧାମରେ ସେତେବେଳେ ବିଶ୍ୱପତି ନାମକ ଜଣେ ବିଶିଷ୍ଟ ବୈଦ୍ୟ ଥିଲେ । ତାଙ୍କର ଆୟୁବିଜ୍ଞାନ ଶାସ୍ତ୍ରରେ ଯେପରି ବ୍ୟୁତ୍ପତି ଥିଲା, ପ୍ରତ୍ୟକ୍ଷ୍ୟ ଚିକିତ୍ସାରେ ବି ଠିକ୍ ସେହିପରି ଯଥେଷ୍ଟ ସୁନାମ ଥିଲା ।

ଅନେକ ଶିକ୍ଷାର୍ଥୀ ତାଙ୍କ ପାଖରେ ରହି ଆୟୁବିଜ୍ଞାନ ଶିକ୍ଷା କରିବାକୁ ଇଚ୍ଛା ପ୍ରକାଶ କରୁଥିଲେ । କିନ୍ତୁ ବୈଦ୍ୟରାଜ ବିଶ୍ୱପତି ଏକାବେଳେ ବେଶି ଶିକ୍ଷାର୍ଥୀଙ୍କୁ ନିଜ ପାଖରେ ରଖୁ ନଥିଲେ । ଜଣେ ଦୁଇଜଣ କରି ରହିଲେ ସେମାନଙ୍କ ଶିକ୍ଷା ପ୍ରତି ଭଲ ଭାବରେ ଦୃଷ୍ଟି ଦେଇହେବ, ଏହାହିଁ ତାଙ୍କର ଯଥାର୍ଥ ବିଶ୍ୱାସ ଥିଲା ।

ଥରେ ବିମଳ ଓ ଚନ୍ଦ୍ରଭାନୁ ନାମକ ଦୁଇଜଣ ଯୁବକ ବାଲେଶ୍ୱରରୁ ଆସି ତାଙ୍କର ଶିଷ୍ୟତ୍ୱ ଗ୍ରହଣ କଲେ । ବିଶ୍ୱପତି ଦେଖିଲେ ବିମଳ ଅତ୍ୟନ୍ତ ମେଧାବୀ । ସେ ଆୟୁବିଜ୍ଞାନ ଶାସ୍ତ୍ର ଗଭୀର ମନୋଯୋଗ ସହକାରେ ଅଧ୍ୟୟନ କରିବା ସଙ୍ଗେ ସଙ୍ଗେ ଗୁରୁଙ୍କ ସହିତ ଆୟୁବିଜ୍ଞାନ ଦର୍ଶନ ବିଷୟରେ ନାନା ତାତ୍ତ୍ୱିକ ଆଲୋଚନା କରୁଥାନ୍ତି ।

କେବଳ ସେତିକି ନୁହେଁ, ବିମଳ ରୋଗ ନିର୍ଣ୍ଣୟ କରିବାରେ ଓ ଔଷଧ ନିର୍ବାଚନ କରିବାରେ ମଧ୍ୟ ସିଦ୍ଧହସ୍ତ ବୋଲି ବୈଦ୍ୟରାଜ ବିଶ୍ୱପତି ବୁଝିପାରି ବେଶ୍ ଆନନ୍ଦିତ ହେଲେ । ସର୍ବୋପରି, ବିମଳ ଅତ୍ୟନ୍ତ ସାଧୁ ଓ ସତ୍ ପ୍ରକୃତିର ଯୁବକ । ଏଭଳି ଶିକ୍ଷାର୍ଥୀ ଶହେକରେ ଜଣେ ବି ମିଳନ୍ତି ନାହିଁ ।

ଚନ୍ଦ୍ରଭାନୁଙ୍କର ଶାସ୍ତ୍ର ଅଧ୍ୟୟନରେ ସେପରି କୌଣସି ଆଗ୍ରହ ନଥାଏ । ସେ ତାଙ୍କ ଗୁରୁଙ୍କ ଚିକିତ୍ସା ପଦ୍ଧତି ଭଲ ଭାବରେ ଲକ୍ଷ୍ୟ କରୁଥାନ୍ତି ଓ ମୋଟାମୋଟି ଯେଉଁସବୁ ରୋଗର ଚିକିତ୍ସା କରିବା ସବୁଦିନ ଦରକାର ପଡେ, ସେହିସବୁ ରୋଗର ନିଦାନ ସେ ମୁଖସ୍ତ କରୁଥାନ୍ତି । ବିଶ୍ୱପତି ବିମଳ ସମ୍ପର୍କରେ ଅତି ଉଚ୍ଚ ଆଶା ପୋଷଣ କରୁଥାନ୍ତି । ଦିନେ ବିମଳ ଜଣେ ବିଖ୍ୟାତ କବିରାଜ ହେବେ ଓ ସେ ତାଙ୍କ ଟେକ ରଖିବେ, ତାଙ୍କ ମନରେ ଏ ବିଶ୍ୱାସ ଜନ୍ମ ହୋଇଥାଏ । ଚନ୍ଦ୍ରଭାନୁ କୌଣସି ମତେ କବିରାଜ କରି ଜୀବିକା ନିର୍ବାହ କରି ପାରିବେ, ଏଥିରେ ଅବଶ୍ୟ ତାଙ୍କର କୌଣସି ସନ୍ଦେହ ନଥିଲା ।

ବିଦ୍ୟାର୍ଜନ ଶେଷ କରି ଉଭୟ ଶିଷ୍ୟ ତାଙ୍କଠାରୁ ବିଦାୟ ନେଇ ବାଲେଶ୍ୱର ଲେଉଟିଗଲେ । ଏହା ଯେଉଁ ସମୟର କଥା କୁହାଯାଉଛି, ସେତେବେଳେ ଆଜିକାଲି ଭଳି ବାଲେଶ୍ୱର ଓ ପୁରୀ ଭିତରେ ଏତେ ଘନ ଘନ ଯାତାୟତର କୌଣସି ବ୍ୟବସ୍ଥା ନଥିଲା ।

ପ୍ରଥମେ ବର୍ଷେ ଦୁଇବର୍ଷ ପର୍ଯ୍ୟନ୍ତ ଉଭୟ ଶିଷ୍ୟ ତୀର୍ଥ ପାଇଁ ବାଲେଶ୍ୱରରୁ ପୁରୀ ଆସୁଥିବା ଯାତ୍ରୀଙ୍କ ହାତରେ ଗୁରୁଙ୍କ ପାଖକୁ ଚିଠିପତ୍ର ଦେଉଥାନ୍ତି । ସେଥିରୁ ସେମାନେ ଭଲରେ ଅଛନ୍ତି ବୋଲି ଗୁରୁ ବୁଝୁଥାନ୍ତି । କ୍ରମେ ଚିଠିପତ୍ର ବନ୍ଦ ହୋଇଗଲା । ତାହାହିଁ ହୋଇଥାଏ ।

ଏ ଭିତରେ ତିନି ଚାରିବର୍ଷ ବିତିଗଲା । ଦିନେ ଜଣେ ବଣିକ ବାଲେଶ୍ୱରରୁ ତୀର୍ଥ କରିବାକୁ ପୁରୀ ଆସି ଅଚାନକ ବେମାର ପଡିଲେ ଓ ବିଶ୍ୱପତି ଆଚାର୍ଯ୍ୟଙ୍କ ନିକଟକୁ ଚିକିତ୍ସା ପାଇଁ ସେ ଆସିଲେ । ବିଶ୍ୱପତି ତାଙ୍କ ଚିକିତ୍ସା ଭାର ନେଇ ତାଙ୍କୁ ସେ ପୁରାପୁରି ସୁସ୍ଥ କରିଦେଲେ । ବଣିକ ଜଣକ ସେଠାରୁ ବିଦାୟ ନେଇ ଯିବାବେଳେ ଆଚାର୍ଯ୍ୟ ତାଙ୍କୁ କହିଲେ, “ଭବିଷ୍ୟତରେ ଯଦି ଆଉ କିଛି ସମସ୍ୟା ଦେଖାଦିଏ, ତେବେ କବିରାଜ ବିମଳକୁ ସବୁ କହିବେ । ସେ ମୋର ବିଶିଷ୍ଟ ଶିଷ୍ୟଙ୍କ ଭିତରେ ଜଣେ ।”

ବଣିକ କହିଲେ “ବିମଳଙ୍କଠାରୁହିଁ ମୁଁ ଆପଣଙ୍କ ବିଷୟରେ ଅନେକ ପ୍ରଶଂସା ଶୁଣିଥିଲି । କିନ୍ତୁ ମୁଁ ତାଙ୍କ ସହ କ’ଣ ପରାମର୍ଶ କରିବି? ସେ ତ କବିରାଜ ଛାଡି ଶିକ୍ଷକତା କରିବେ ବୋଲି କହୁଥିଲେ । ତାଙ୍କର କବିରାଜି ଭଲ ଜମିଲା ନାହିଁ ।”

ବିଶ୍ୱପତି ନିଜ କାନକୁ ପରତେ ନଯାଇ ପଚାରିଲେ “ଆପଣ ଠିକ୍ କହୁଛନ୍ତି ତ?”

ଭଦ୍ରଲୋକ କହିଲେ “ଆଜ୍ଞା ହଁ । ଠିକ୍ କହୁଛି ।”

ସେକଥା ଶୁଣିବା ମାତ୍ରେ ବିଶ୍ୱପତି ଅବାକ୍ ହୋଇଗଲେ ଓ ପଚାରିଲେ, “ଆଚ୍ଛା, ମୋର ଅନ୍ୟ ଶିଷ୍ୟ ଚନ୍ଦ୍ରଭାନୁର କଥା କ’ଣ?”

ବଣିକ କହିଲେ “ତାଙ୍କର ପ୍ରସାର ତ ବହୁତ । ସିଏ ତ ବେଶ୍ ସଫଳ କବିରାଜ ।”

ବିଶ୍ୱପତିଙ୍କ ବିସ୍ମୟର ଆଉ ସୀମା ରହିଲା ନାହିଁ । ଅନେକଦିନ ହେଲା ତାଙ୍କର ରେମୁଣାଥିବା ସାଙ୍ଗ ଘରକୁ ଯିବାର ଇଚ୍ଛା ଥାଏ । ପର ସପ୍ତାହରେ ସେ ବାହାରି ପଡିଲେ ଓ ରେମୁଣା ଯିବା ବାଟରେ ପ୍ରଥମେ ବାଲେଶ୍ୱରରେ ଯାଇ ପହଁଚିଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ