କୁତର୍କର ଲାଭ

ରାଜା ବିକ୍ରମସେନଙ୍କ ମହାମନ୍ତ୍ରୀ ଚତୁରସେନ ଥିଲେ । ରାଜ୍ୟର ସମସ୍ତ କାର୍ଯ୍ୟ ପାଇଁ ସେ ସଦା ସର୍ବଦା ତାଙ୍କ ସହିତ ଆଲୋଚନା କରନ୍ତି, ତାଙ୍କର ପରାମର୍ଶ ବି ସେ ଗ୍ରହଣ କରନ୍ତି । ଏଣେ ଚତୁରସେନଙ୍କ ପାଖରେ ଦଶଜଣ ମନ୍ତ୍ରୀ ରାଜ୍ୟର ଭଲମନ୍ଦ ଉପରେ ଆଲୋଚନା କରନ୍ତି । ତେଣୁ ରାଜାଙ୍କୁ କୌଣସି ପ୍ରସ୍ତାବ ଦେବା ପୂର୍ବରୁ ମହାମନ୍ତ୍ରୀ ଅନ୍ୟ ମନ୍ତ୍ରୀଙ୍କ ସହ ଆଲୋଚନା କରି ଯାହା ସ୍ଥିର କରନ୍ତି ତାଙ୍କୁ ଯାଇ କୁହନ୍ତି ।

                ମନ୍ତ୍ରୀମାନଙ୍କ ମଧ୍ୟରେ ଶଚୀନ୍ଦ୍ର ନାମକ ଜଣେ ମନ୍ତ୍ରୀ ଥା’ନ୍ତି, ସେ ଟିକିଏ ଜିଦ୍ଖୋର ସ୍ୱଭାବର । କୌଣସି କଥାରେ ଅନ୍ୟ ମନ୍ତ୍ରୀମାନେ ଯାହା କହିବେ ସେ ସବୁବେଳେ ସେକଥାର ବିପରୀତ କଥାଟିହିଁ କହି ବସିବେ । କିନ୍ତୁ ଏପରି ବ୍ୟକ୍ତିଙ୍କର ଉପସ୍ଥିତି ମହାମନ୍ତ୍ରୀଙ୍କର ଆବଶ୍ୟକ ଥିବାରୁ, ସେ ତାଙ୍କ କଥା ସହି ଯାଉଥିଲେ । ତଥାପି ଶଚୀନ୍ଦ୍ର ମଧ୍ୟେ ମଧ୍ୟେ ରାଜାଙ୍କୁ ଯାଇ କହୁଥିଲେ କି ଅନ୍ୟମାନେ ତାଙ୍କ କଥା ଶୁଣନ୍ତି ନାହିଁ ।

ରାଜା ତାଙ୍କୁ ବୁଝାଇ କହନ୍ତି, “ମହାମନ୍ତ୍ରୀଙ୍କ କଥା ଉପରେ ମୋର ପୁରା ବିଶ୍ୱାସ ରହିଛି । ସେ ବହୁମତ ଉପରେ ନିର୍ଭର କରନ୍ତି । ତୁମର ପ୍ରସ୍ତାବ ଗୁଡିକ ହୁଏତ ଲୋକମାନଙ୍କର ପସନ୍ଦ ଆସିବ ନାହିଁ ବା କିଛି ଭୁଲ୍ ଥିବ ବୋଲି ସେ ଗ୍ରହଣ କରନ୍ତି ନାହିଁ । ଭୁଲ୍ କଥାଟି ବୁଝିବାକୁ ତୁମେ ଚେଷ୍ଟା କର ।”

ଦିନେ ରାଜା ମନ୍ତ୍ରୀମାନଙ୍କୁ ଡାକି ଶଚୀନ୍ଦ୍ରଙ୍କ ଅଭିଯୋଗ ବିଷୟରେ କହିଲେ, “ତୁମ ସମସ୍ତିଙ୍କର ନିଜ ନିଜର ବିଚାର ଥାଇପାରେ । କିନ୍ତୁ ତାହା ଯଥାର୍ଥ ହେଲେ ଯାଇ ଅନ୍ୟମାନେ ଶୁଣିବେ ଓ ସେକଥା ସ୍ଥିର କରାହେବ ।” ରାଜା ସଭା ଭାଙ୍ଗି ସେଠାରୁ ଚାଲିଯିବା ପରେ ଅନ୍ୟ ମନ୍ତ୍ରୀମାନେ ଶଚୀନ୍ଦ୍ରଙ୍କୁ କହିଲେ, “ଏଣିକି ମନେରଖ, ତୁମେ ଯେଉଁ ପ୍ରସ୍ତାବ ଦେବ ତାକୁ ଅନ୍ୟମାନେ ମଧ୍ୟ ପସନ୍ଦ କରିବା ଉଚିତ୍ । ତେବେ ଯାଇ ତୁମ ପରାମର୍ଶକୁ କେହି ମାନିବେ ।”

ସାଥୀ ମନ୍ତ୍ରୀମାନଙ୍କ ଏଭଳି କଥା ଶୁଣି ଶଚୀନ୍ଦ୍ର ଅତ୍ୟନ୍ତ ରାଗିଯାଇ କହିଲେ, “ତମେ ସବୁ ଦେଖୁଥାଅ । ଦିନ ଆସିବ ଯେତେବେଳେ ରାଜାଙ୍କୁ ମୋ କଥା ବହୁତ ପସନ୍ଦ ଆସିବ । ତୁମେମାନେ ସେଥିରେ ରାଜି ହୁଅ ବା ନ ହୁଅ । ତା’ପରେ ରାଜା କେବଳ ମୋତେହିଁ ସମ୍ମାନ ଦେବେ ।”

କିଛିଦିନ ପରେ । ଦିନେ ରାଜା ଶୀକାର କରି ଫେରିଥା’ନ୍ତି । ଶଚୀନ୍ଦ୍ର ଅନ୍ୟ ମନ୍ତ୍ରୀମାନଙ୍କୁ କହିଲେ, “ରାଜା ଶୀକାର କରି ଲେଉଟି ଆସିଛନ୍ତି । ବଣରେ ବହୁତ ପ୍ରକାର କୌଶଳ ସହିତ ସେ ଶୀକାର କରି ସଫଳ କାମ ହୋଇ ଫେରିବା ଯୋଗୁଁ ଆମେ ସବୁ ଯାଇ ତାଙ୍କୁ ସମ୍ମାନ ଦେଖାଇବା ଉଚିତ୍ ।”

ଶଚୀନ୍ଦ୍ରଙ୍କ ପ୍ରସ୍ତାବରେ ଅନ୍ୟମାନେ ସହମତ ହେଲେ ନାହିଁ । ସେମାନେ କହିଲେ, “ଆମ ରାଜାଙ୍କ ପାଇଁ ଏପରି ଶୀକାର କରିବା ତ ସହଜସାଧ୍ୟ କଥା । ତାଙ୍କର କୌଶଳ ଓ ସାହସ କିଛି ନୂଆ କଥା ନୁହେଁ । ସେ ଯଦି ଏକ କାବ୍ୟ ଲେଖିଥା’ନ୍ତେ ବା କୌଣସି ଯୁଦ୍ଧରେ ବିଜୟପ୍ରାପ୍ତ କରି ଫେରିଥା’ନ୍ତେ, କିମ୍ବା କୌଣସି ଦୁର୍ଦ୍ଦାନ୍ତ ରାକ୍ଷସକୁ ସଂହାର କରିଥାନ୍ତେ ଅଥବା ସେପରି କିଛି ମହାନ୍ କାର୍ଯ୍ୟ କରିଥା’ନ୍ତେ, ତେବେ ତାଙ୍କୁ ଅଭିନନ୍ଦନ ଦେବାର ଅର୍ଥ ଅଛି । କିନ୍ତୁ ଏହି ସାଧାରଣ କଥା ଉପରେ ନୁହେଁ ।”


ଗପ ସାରଣୀ

ତାଲିକାଭୁକ୍ତ ଗପ