ଲୋଭ

ଜଗନ୍ନାଥ ପିଲାଦିନରୁ ବାପା ମାଆଙ୍କୁ ହରାଇଲା । ଅଳ୍ପ କେତେଜଣ ଦୂରସମ୍ପର୍କୀୟ ବନ୍ଧୁବାନ୍ଧବଙ୍କୁ ବାଦ୍ ଦେଲେ ତାର ଆଉ ସାହା ଭରସା ବୋଲି କେହିବି ନଥିଲେ । ଜଗନ୍ନାଥର ଅବସ୍ଥା ବଡ ଶୋଚନୀୟ ହେଲା । ବାପା ମାଆଙ୍କର ସମ୍ପତ୍ତି ବି କିଛି ନଥିଲା ଯେ ତାର ଦିନ ସୁଖରେ କଟିଯିବ ।

ଜଗନ୍ନାଥକୁ ସେତେବେଳେ ବାର ତେର ବର୍ଷ । କ’ଣ ସେ କରିବ? କୋମଳମତି ବାଳକ ମାତ୍ର । ପରିଶ୍ରମ କରି ପେଟ ପୋଷିବାକୁ ତାର ଧୈର୍ଯ୍ୟ କୁଆଡୁ ଆସିବ? ବଳ କାହିଁ? ସେ ଗାଁର ହରି ବାବୁ ଜଣେ ଧନାଢ୍ୟ ବ୍ୟକ୍ତି ଥିଲେ । ତାଙ୍କର ଜଗନ୍ନାଥ ଉପରେ ଦୟା ଆସିଲା । ଅନାଥ ପଲାଟାକୁ ସାହାଯ୍ୟ କଲେ କ୍ଷତି କ’ଣ? ସେ ଜଗନ୍ନାଥକୁ ଆଶ୍ୱାସନା ଦେଲେ ଏବଂ ନିଜଘରେ ନେଇ ପୋଷିଲେ । ଜଗନ୍ନାଥକୁ ବି ସାହା ମିଳିଗଲା । ଖାଇବାକୁ ଗଣ୍ଡେ ଏବଂ ପିନ୍ଧିବାକୁ ଖଣ୍ଡେ ମିଳିଲେ ତ ଜଗନ୍ନାଥର ଦିନ ସୁଖରେ କଟିଯିବ ।

ହରି ବାବୁ ତାକୁ ନିଜର ପୁଅଭଳି ଭଲ ଦୃଷ୍ଟିରେ ଦେଖିଲେ । ତା’ର କୌଣସି ପ୍ରକାର ଅସୁବିଧା ହେଲାନି; କିନ୍ତୁ ଜଗନ୍ନାଥର ଏ ଭଲ ବେଶିଦିନ ଗଲାନି । ତା’ର ଦୁର୍ଭାଗ୍ୟର ଦିନ ଆସିଲା । ହରିବାବୁଙ୍କ ଘରକୁ ଆସିବାର ବର୍ଷେ ପୂରିନି ଜଗନ୍ନାଥ ଉପରୁ ତାଙ୍କର ଶୁଭଦୃଷ୍ଟି କୁଆଡେ ଉଭେଇଗଲା । କ୍ରମେ କୋପଦୃଷ୍ଟି ପଡିଲା । ଦିନେ ସକାଳୁ ହରି ବାବୁ ରୋକ୍ଠୋକ୍ କହିଦେଲେ – “ଜଗା, ମୁଁ ତୋତେ ଆଉ ପୋଷିବାକୁ ଚାହୁଁନି । ତୁ ଏଣିକି ଯୁଆଡେ ଯିବୁ ଯା’ ।”

ଜଗନ୍ନାଥର ଅନ୍ୟ ଉପାୟ କିଛି ନଥିଲା । ଭାଗ୍ୟ ଆଦରି ସେ ସେହି ଘରୁ ବାହାରି ପଡିଲା । ତା’ପରେ …. ସେ ଯେଉଁ ଅନାଥକୁ ସେହିଁ ଅନାଥ । ସେ ଖାଇବାକୁ ପାଇଲାନି । କିଏ ବା ତାକୁ ଖାଇବାକୁ ଦେବ? ଘର ତ ନାହିଁ, କେଉଁଠି ରହିବ? ଭାତ ମୁଠେ ପାଇଁ ସେ ବାରଘର ତେରପିଣ୍ଢା ହେଲା । ଶେଷରେ ରାସ୍ତାକଡର କଦଳୀ ଚୋପା ଏବଂ ଅସନା ଉପରେ ତାର ଦୃଷ୍ଟି ପଡିଲା । ହେଲେ ହରି ବାବୁ କାହିଁକି ତାକୁ ତଡିଦେଲେ? ଜଗନ୍ନାଥ ତ ସୁଧାର ପିଲାଟିଏ । ଆଉ ହରିବାବୁ ମଧ୍ୟ ସାଧୁ ପୁରୁଷ । ଦୋଷ ନ ଦେଖିଲେ ସେ ତ କେବେବି ରାଗନ୍ତି ନି । ଗାଁ ଲୋକଙ୍କ ମୁହଁରେ ବାର କଥା । କିଏ କହିଲା, “ଦୁନିଆ ସ୍ୱାର୍ଥପର”, ଆଉ କିଏ କହିଲା “ଆଲୋ ମାଇଁ ଯା’ ପେଟକୁ ସିଏ ଧାଇଁ ।” କିନ୍ତୁ କଥା କ’ଣ କେହି ଜାଣି ନଥିଲେ ।

ଜଗନ୍ନାଥର ଦୁର୍ଗତିର ସୀମା ରହିଲାନି । ନିଜ ଗାଁ ମାଟି ଛାଡି କୁଆଡେ ଯିବାକୁ ଇଚ୍ଛା ନ ହେଲେ ମଧ୍ୟ ସେ ଭାବିଲା ଯେ, ତାର ନିଜର ବୋଲି ଯେଉଁମାନେ ଥିଲେ ସେମାନେ ତ ପୁଣି ତାକୁ ଛାଡି ଚାଲିଯାଇଛନ୍ତି, ନିଜର ଆଉ କଣ ରହିଲା? ଜଗନ୍ନାଥ ଗାଁ ଛାଡିଲା । ନିକଟସ୍ଥ ସହରର ରାସ୍ତା ସେ ଧରିଲା ।

ସହରରେ ବି ତାକୁ ଶାନ୍ତି ମିଳିଲାନି । ସହରରେ ତ ତା’ଭଳି ଶହଶହ ଭିକାରି । ଖଣ୍ଡେ ଚିରା ଅଇଁଠା ପତର ପାଇଁ ସେମାନଙ୍କ ଭିତରେ ପୁଣି କଳିକନ୍ଦଳ । ନାଁ, ଏମିତି ବଂଚି ହେବନି । ଜଗନ୍ନାଥ ମନେମନେ ଠାକୁରଙ୍କୁ ଡାକିଲା । କଥାରେ ଅଛି “ଅରକ୍ଷିତକୁ ଦଇବ ସାହା” । ଠିକ୍ ସେମିତି ଦୟାର ଅବତାର ସ୍ୱରୂପ ଜଗନ୍ନାଥକୁ ସହାୟ ହେବାକୁ ରମେଶ ବାବୁ ବୋଲି ଜଣେ ଭଦ୍ରବ୍ୟକ୍ତି ଆଗେଇ ଆସିଲେ । ରମେଶ ବାବୁ ସହରର କୌଣସି ଏକ ଫ୍ୟାକ୍ଟେରୀର ମେନେଜର । ପ୍ରତ୍ୟହ ସକାଳୁ ଡିଉଟିରେ ସେ ଯାଆନ୍ତି ଏବଂ ରାତିରେ ଫେରନ୍ତି । ଖୁବ୍ ନାଆଁ ତାଙ୍କର । ତେଣୁ ସେ ନିଜର ସାଧ୍ୟମତେ ଅନ୍ୟମାନଙ୍କୁ ସାହାଯ୍ୟ କରୁଥିଲେ । ଦିନେ ଠିକ୍ ଏହି ଅବସ୍ଥାରେ ସେ ଜଗନ୍ନାଥର ଗୁହାରି ଶୁଣିଲେ ।

କିଛିଦିନ ମଧ୍ୟରେ ଜଗନ୍ନାଥ ଏହା ଭୁଲିଗଲା ଯେ ତା’ର ବାପା ମା’ ନାହାଁନ୍ତି ବୋଲି । ତା’ର ଅସୁବିଧା ଏକାବେଳକେ ଦୂର ହୋଇଗଲା । ଖାଇବା ପିଇବା ସଙ୍ଗେସଙ୍ଗେ ପଢିବାକୁ ବି ସେ ସ୍କୁଲକୁ ଗଲା । ରମେଶ ବାବୁ ଜଗନ୍ନାଥକୁ ପିଲା ହିସାବରେ ଦେଖନ୍ତି ନି, ବରଂ ତାକୁ ସେ ଦେଖନ୍ତି ଜଗନ୍ନାଥ ହିସାବରେ । ସେ ତ ଧର୍ମପରାୟଣ, ସତ୍ୟନିଷ୍ଠ । ଦୁଷ୍ଟାମୀ, ହିଂସା, ଲୋଭ ଏସବୁ ତାଙ୍କର ମୋଟେ ଚଳେନି । ଜଗନ୍ନାଥ ମଧ୍ୟ ଗରିବ ଘରର ପିଲା । ବିଳାସବ୍ୟସନ ଜୀବନରେ କ’ଣ ତାହା ସେ ଜାଣିନଥିଲା; ତେଣୁ ସେ ଚରିତ୍ରବାନ୍ । କିନ୍ତୁ ବାବୁ ଘରେ ରହୁଛି କି ନା – ଚେୟାର, ବେଂଚ, ଫ୍ୟାନ, ସାଇକେଲ ସବୁକିଛି ତା ଉପକାରରେ ଆସିଲା ।

କିଛିଦିନ ମଧ୍ୟରେ ଜଗନ୍ନାଥ ଭଲ ପେଂଟସାର୍ଟ ପାଇଁ ବାବୁଙ୍କୁ କହିଲାରୁ ବାବୁ ସେସବୁ ତାକୁ ଯୋଗାଇ ଦେଲେ । ଆଉଦିନେ ହଳେ ଭଲ ଜୋତା ପାଇଁ ସେ କହିଲା । ବାବୁ ବି ଖୁସିରେ ତାହା ଆଣିଦେଲେ । ସେଦିନ ରାତି ଆଠଟାରେ ରମେଶ ବାବୁ କାମରୁ ଫେରୁଛନ୍ତି ଜଗନ୍ନାଥ କହିଲା, “ମୋ ପାଇଁ ଗୋଟିଏ ନୂଆ ସାଇକେଲ” – ରମେଶ ବାବୁ ହଁ ଭରିଲେ । କାଲି ଛୁଟିନେଇ ମାର୍କେଟ ଗଲେ ଆଣିଦେବି । ସେ ତ କେବେବି କୌଣସି କଥାରେ ମନା କରନ୍ତି ନାହିଁ । ଏଥର ଆଉ ମନା କରନ୍ତେ ବା କିପରି? ଜଗନ୍ନାଥ ଖୁସି ହୋଇଗଲା । ରମେଶ ବାବୁଙ୍କୁ ମନେ ମନେ ସେ ମଧ୍ୟ ବହୁତ ପ୍ରଶଂସା କଲା ।

ଆଉଦିନେ ସକାଳୁ ରମେଶ ବାବୁ ସବୁଦିନ ପରି ଫ୍ୟାକ୍ଟେରୀ ଯିବାକୁ ବାହାରିଲେ । ଯିବା ଆଗରୁ ଜଗନ୍ନାଥ ଚା’ଆଣି ଦେଇଯାଏ । ଜଗନ୍ନାଥର ମନ ତ କାହିଁରେ କ’ଣ । ସେଦିନ ସେ ଚା’ କପ୍ଟା ଧରି ରିଡିଂ ରୁମ୍କୁ ହସିହସି ପଶିଆସିଲା । ଆରେ ବାବୁ କାହାଁନ୍ତି? କ’ଣ ପଳେଇ ଗଲେ? ଚା’କପ୍ ରଖୁରଖୁ ଟେବୁଲ ଉପରୁ ସେ ଖଣ୍ଡେ କାଗଜ ପାଇଲା । ଜଗନ୍ନାଥ ସେହି କାଗଜଟିକୁ ଉଠାଇଲା । କାଗଜ ତ ନୁହେଁ ଖଣ୍ଡେ ଚିଠି ।

ଜଗନ୍ନାଥ,

ତୋତେ ଆଶ୍ରୟ ଦେଇ ମୁଁ ବଡ ଭୁଲ୍ କରିଛି । ଦିନକୁଦିନ ତୁ ଲୋଭର ବଶବର୍ତ୍ତୀ ହୋଇ ପଡୁଛୁ । ଏହା ତୋ’ପାଇଁ କ୍ଷତିକାରକ । ତୁ ତୋ ନିଜକୁ ସୁଧାରିବାକୁ ଚେଷ୍ଟା କରିବୁ । ହଁ – ମୁଁ ଫେରିବା ଆଗରୁ ଘର ଛାଡିବାକୁ ଚେଷ୍ଟା କରିଥିବୁ । ଇତି ।

ଚିଠିଟି ପଢି ଜଗନ୍ନାଥର ମୁଣ୍ଡ ହଠାତ୍ ଘୂରିଗଲା । ଏ ପୁଣି କ’ଣ? ହରି ବାବୁଙ୍କ କଥା ତାର ମନେପଡିଲା । ଏ ଉଭୟେ କ’ଣ ସମାନ । ତାକୁ ଚତୁର୍ଦ୍ଦିଗ ଅନ୍ଧାର ଦେଖାଗଲା । କ’ଣ ସେ କରିବ ବୁଝିନପାରି କାନ୍ଦିପକାଇଲା । ବାବୁଙ୍କ ଆଦେଶ ପଳେଇବାକୁ ହେବ । କାଳ ବିଳମ୍ବ ନକରି ସେ ଘରଛାଡି ରାଜପଥ ଉପରକୁ ଉଠିଲା । ଏବେ ସେ କୁଆଡେ ଯିବ? ଯୁଆଡେ ହେଉ ପଛେ ଯିବାକୁ ତ ନିଶ୍ଚୟ ହେବ । ଲକ୍ଷ୍ୟହୀନ ଭାବେ ପାଦ କାଢୁ କାଢୁ ସେ ଭାବୁଥିଲା ଯେ, ଏସବୁ କ’ଣ ହେଲା? କଥା କ’ଣ? ଗୋଟାକପରେ ଗୋଟାଏ ଚିନ୍ତା ତା’ମୁଣ୍ଡରେ ମାଡିବସୁଥିଲେ । ସେ ଯେମିତି ସଂଜ୍ଞାହୀନ ହେବାକୁ ଯାଉଥିଲା । ତଥାପି ମଧ୍ୟ ସେ ଭାବୁଥିଲା…… ସେ କାହିଁକି ରମେଶ ବାବୁଙ୍କର ଏତେ ହତାଦାର ହେଲା? ତା’ର କାରଣ କ’ଣ?

ଲୋଭ ଓ ବିଳାସପ୍ରିୟତାହିଁ ଶେଷରେ ତା’ର କାଳ ହେଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ