ଅପୂର୍ବଙ୍କ ପରାକ୍ରମ

(ଅପୂର୍ବର ଆବିର୍ଭାବ ପବିତ୍ର ଯଜ୍ଞକୁଣ୍ଡରୁ ହୋଇଥିଲା । ପୂର୍ବପରି ତା’ର ଶରୀର ଗଠନ ଛୋଟପିଲା ପରି ହେଲେ ମଧ୍ୟ ସେ ମନ ଓ ବୟସରେ ଯୁବାବସ୍ଥା ପ୍ରାପ୍ତ ହେଲାଣି । ଜଣେ ରାଜାଙ୍କ ପଛରେ ମୁଖ୍ୟମନ୍ତ୍ରୀ ଓ ତାନ୍ତ୍ରିକ ଜଣେ ଡାହାଣୀର ସାହାଯ୍ୟ ନେଇ କିପରି ଏକ ଭୟଙ୍କର ଷଡଯନ୍ତ୍ରରେ ଲିପ୍ତ ରହିଛନ୍ତି, ସେକଥା ସେ ଜାଣିପାରିଲା । ସେମାନେ ରାଜକୁମାରୀଙ୍କୁ ତାଙ୍କର ଅମୂଲ୍ୟ ମଣି ସହିତ ହରଣ କରି ନେବାକୁ ମନସ୍ଥ କରିଛନ୍ତି । ଏବେ ଆଗକୁ ପଢନ୍ତୁ ।)

ରାଜକୁମାରୀଙ୍କ ଜନ୍ମଦିନ କ୍ରମେ ନିକଟ ହୋଇ ଆସିଲା । ଅପୂର୍ବ ତା’ ମନ ମଧ୍ୟରେ ନିଶ୍ଚୟ କଲା କି ରାଜାଙ୍କୁ ତାନ୍ତ୍ରିକ ଓ ମନ୍ତ୍ରୀଙ୍କ କୃତିତ୍ୱ ବିଷୟରେ ଜଣାଇବ । କିନ୍ତୁ ସେ ଭାବି କିଛି ଠିକ୍ କରି ପାରିଲା ନାହିଁ ଯେ ଏ କାମ ସେ କିଭଳି ଭାବରେ କରିବ? କିଛି ଉପାୟ ନ ପାଇ ସେ ସମୀରକୁ ସବୁ କହିବ ବୋଲି ଭାବି ସମୀର ପାଖକୁ ଗଲା । ବହୁତ ଦିନ ପରେ ଅପୂର୍ବକୁ ଦେଖି ସମୀରର ଆନନ୍ଦ କହିଲେ ନ ସରେ ।

ଅପୂର୍ବ ସମୀରକୁ ସବୁକଥା ବୁଝାଇ କହିଲା, “ତୁମେ ରାଜାଙ୍କ ସହିତ ଏକାନ୍ତରେ ଦେଖା କରି ତାଙ୍କୁ ସବୁକଥା କହିବ । ଦେଖିବ ତୁମ ଉପରେ ଯେପରି କୌଣସି ବିପଦ ନ ପଡେ । ମୁଁ ତୁମ ସହିତ ସର୍ବଦା ରହିଥିବି ।”

ସେଦିନ ଅନ୍ଧକାର ରାତ୍ରି । ତାନ୍ତ୍ରିକ ଆସି ମୁଖ୍ୟମନ୍ତ୍ରୀଙ୍କ ଘରର କବାଟରେ ଖଡ ଖଡ କଲା; କବାଟ ଖୋଲିଗଲା । ମୁଖ୍ୟମନ୍ତ୍ରୀ ତାନ୍ତ୍ରିକକୁ ସମ୍ମୁଖରେ ଦେଖି ଆଶ୍ଚର୍ଯ୍ୟ ହୋଇ କହିଲେ, “ଏତେ ରାତିରେ ଏତେ କଷ୍ଟ କରି ଆସିଲେ କାହିଁକି? ଦୁଇଦିନ ପୂର୍ବରୁହିଁ ତ ସମସ୍ତ ଯୋଜନା ହୋଇ ସାରିଛି । ଏବେ ପୁଣି କ’ଣ ସମସ୍ୟା?”

ତାନ୍ତ୍ରିକ ଥଟ୍ଟା କରି କହିଲା “ମନ୍ତ୍ରୀ, ମୁଁ କ’ଣ କେବେ ଏଇ ସମୟରେ ଆସେ?”

ମନ୍ତ୍ରୀ କହିଲେ “ନା, ତେବେ ମୋର କହିବାର ଉଦ୍ଧେଶ୍ୟ ଏପରି ଅସମୟରେ ଆସିବା ଅର୍ଥ ନିଶ୍ଚୟ କୌଣସି ଜରୁରୀ କାରଣ ଅଛି ।”

ତାନ୍ତ୍ରିକ କହିଲା “ତୁମେ ଠିକ୍ କହିଛ । ମୋର ତନ୍ତ୍ରଗୁରୁ ସେହି ଡାହାଣୀ କହୁଛନ୍ତି ଯେ ଆମ ଉପରେ କେହି ଜଣେ ଆଖି ରଖିଛି ଓ ସେ ଆମର ସମସ୍ତ ଯୋଜନାକୁ ଭଣ୍ଡୁର କରିବାକୁ ଯଥାସାଧ୍ୟ ଚେଷ୍ଟା ମଧ୍ୟ କରୁଛି ।”


ଗପ ସାରଣୀ

ତାଲିକାଭୁକ୍ତ ଗପ