ତିନୋଟି ପରୀକ୍ଷା

ସାରା ରାତି ଘୋଡା ଚଢି କୃଷ୍ଣବର୍ମା ପରଦିନ ଦ୍ୱିପ୍ରହର ବେଳକୁ କୌମୁଦି ଦେଶରେ ଯାଇ ପହଁଚିଲେ । ସେହି ଜଙ୍ଗଲରେ ଏକ ସ୍ଥାନରେ ସେ ଦେଖିଲେ ଏକ ବିରାଟ ଚନ୍ଦନ ବୃକ୍ଷ । ସେହି ବୃକ୍ଷର ନିମ୍ନଭାଗରେ ଦୁଇଟି ସର୍ପ ଖୋଦିତ ହୋଇଥିବା ଏକ ଶିଳା ମଧ୍ୟ ରହିଛି । ବହୁତ ସାବଧାନ ହୋଇ ସେ ଚତୁର୍ଦ୍ଦିଗ ତନ୍ନ ତନ୍ନ କରି ଦେଖିଲେ ।

ଘୋଡାକୁ ବାନ୍ଧି ଦେଇ ସେ ଖୋଦିତ ଶିଳା ପାଖକୁ ଗଲେ । ଠିକ୍ ସେତିକିବେଳେ ପଛରୁ କେହି ତାଙ୍କୁ କହିଲା, “ଅପେକ୍ଷା କରନ୍ତୁ” । ଚମକିପଡି ସେ ପଛକୁ ଚାହିଁ ଦେଖିଲେ ଛୋଟ ଗଛର ବୁଦା ଉହାଡରୁ ବାହାରି ଆସିଲେ ଜଣେ ‘ଯୁବକ’ । ସେ କୃଷ୍ଣବର୍ମାଙ୍କୁ ନମସ୍କାର କରି ପାଖକୁ ଆସିଲେ ।

ଆଶ୍ଚର୍ଯ୍ୟ ହୋଇ କୃଷ୍ଣବର୍ମା ପଚାରିଲେ “କିଏ ତମେ?” ଏଭଳି ପ୍ରଶ୍ନ ଶୁଣି ସେହି ଯୁବକ ଜଣକ ନିଜ ମଥା ତଳକୁ କରି କହିଲେ, “ଯାହାପାଇଁ ଆପଣ ଏଠାକୁ ଏତେ କଷ୍ଟ ସ୍ୱୀକାର କରି ଆସିଛନ୍ତି ମୁଁ ହେଉଛି ସିଏ ।”

ଯୁବକଙ୍କର ସ୍ୱରର କୋମଳତା ଓ ଉତ୍ତର ଦେବାର ଭଙ୍ଗୀ ଦେଖି ସେ ବୋଧେ ଚିହ୍ନିପାରିଲେ; ତଥାପି ବି ସେ ପଚାରିଲେ, “ରାଜକୁମାରୀ?”

“ହଁ, ମୁଁ ହିଁ ସେହି ରାଜକୁମାରୀ ଜ୍ୟୋତ୍ସ୍ନା । ମଞ୍ଜୁଷା ଉପରେ ଲିଖିତ ଚିତ୍ର ସାହାଯ୍ୟରେ ଆପଣ ଠିକ୍ ସ୍ଥାନକୁ ଚାଲି ଆସିଲେ । ଏତଦ୍ୱାରା ଆପଣ ତୃତୀୟ ପରୀକ୍ଷାରେ ମଧ୍ୟ ଉତୀର୍ଣ୍ଣ ହୋଇଗଲେ । ଏବେ ଫେରି ଚାଲନ୍ତୁ ।”

ସେତେବେଳେ କୃଷ୍ଣବର୍ମା କହିଲେ, “ଦେଖନ୍ତୁ, ରାଜକୁମାରୀ । ମୋର କାହିଁ ମନେହୁଏ ଯେ ମଞ୍ଜୁଷା ଉପରେ ଥିବା ଚିତ୍ର ଓ ଏଠାକାର ଖୋଦିତ ପଥର ପଛରେ ନିଶ୍ଚୟ କୌଣସି ରହସ୍ୟ ଅଛି । ଆପଣ ଏ ବିଷୟରେ କ’ଣ ଭାବୁଛନ୍ତି?”

ଜ୍ୟୋତ୍ସ୍ନା ଭାବିଲେ ଯେ ଏ ପ୍ରଶ୍ନର ଉତ୍ତର କିପରି ଦିଆଯିବ? ସେ ଏହି ଦ୍ୱିଧା ଅବସ୍ଥାରେ ଥିବା ସମୟରେ କୃଷ୍ଣବର୍ମା କହିଲେ, “ରାଜକୁମାରୀ, ଆପଣଙ୍କର ସନ୍ଦେହ ମୁଁ ଜାଣି ପାରିଛି । ଆପଣ ଯେଉଁ କାମ ବିଷୟରେ ଭାବୁଛନ୍ତି, ତାହା ନିଶ୍ଚୟ ବିପଜ୍ଜନକ । ଗୋଟିଏ ରାଜ୍ୟର ରାଜାଙ୍କୁ ସାହସୀ କରିବା ପାଇଁ ଉତ୍ସାହ ଦେବା ପରିବର୍ତ୍ତେ ତାକୁ ଏକ ଭୟାଳୁ କରିବା ପାଇଁ ସାହାଯ୍ୟ କରିବା ଆପଣଙ୍କ ପରି ଜଣେ ରାଜକୁମାରୀ ପକ୍ଷରେ କ’ଣ ଏକ ଉଚିତ୍ କାର୍ଯ୍ୟ? ଆପଣ ଚିନ୍ତା କରନ୍ତୁ ।”

ଏସବୁ କଥାବାର୍ତ୍ତାରୁ ଜ୍ୟୋତ୍ସ୍ନା ବୁଝିପାରିଲେ ଯେ କୃଷ୍ଣବର୍ମା ଫେରିଯିବା ବ୍ୟକ୍ତି ନୁହଁନ୍ତି । ତା’ପରେ ସେ କହିଲେ, “ମୁଁ କାହିଁକି ସେପରି କରିବି? ଆପଣ ଏହିଠାରେ ବସନ୍ତୁ । କିଛି ଜରୁରୀ କଥା ମୁଁ ଆପଣଙ୍କୁ କହିବି ।”


ଗପ ସାରଣୀ

ତାଲିକାଭୁକ୍ତ ଗପ