ନିଶା ଗରଜୁଥାଏ, ତୁହାକୁ ତୁହା ଶୀତଳ ପବନ ସାଙ୍ଗକୁ ଝିପିଝିପି ବର୍ଷା ମଧ୍ୟ ହେଉଥାଏ । ଆଖପାଖର ବଣବୁଦା ଭିତରୁ ସାଇଁ ସାଇଁ ପବନ ଭାସି ଆସୁଥାଏ । ଘଡଘଡି ଓ ଶ୍ୱାନଶ୍ୱାପଦଙ୍କ ରଡି ସହିତ ମଝିରେ ମଝିରେ ଅଶରୀରୀମାନଙ୍କ ଅଟ୍ଟହାସ୍ୟ ମଧ୍ୟ ଶୁଭୁଥାଏ । ଘନ ଘନ ବିଜୁଳି ଆଲୁଅ ମଧ୍ୟରେ ଭୟାବହ ମୁହଁଟିମାନ ଦିଶିଯାଉଥାଏ ।
କିନ୍ତୁ ରାଜା ବିକ୍ରମାର୍କ ତିଳେ ମାତ୍ର ମଧ୍ୟ ବିଚଳିତ ବୋଧ ନକରି ପୁନର୍ବାର ସେ ପ୍ରାଚୀନ ବୃକ୍ଷଟି ପାଖକୁ ଲେଉଟି ଆସିଲେ ଓ ବୃକ୍ଷାରୋହଣ କରି ଉକ୍ତ ଶବଟିକୁ ଉତାରି ଆଣିଲେ । ତେବେ ସେ ତାକୁ ନିଜ କାନ୍ଧରେ ପକାଇ ସେହି ଶୂନ୍ଶାନ୍ ଶ୍ମଶାନ ପଥ ଅତିକ୍ରମ କରିବାକୁ ଆରମ୍ଭ କରିବା ମାତ୍ରେ ଶବସ୍ଥିତ ସେହି ବେତାଳ କହିଲା, “ରାଜା, ଏପର୍ଯ୍ୟନ୍ତ ତୁମର ସମସ୍ତ ପ୍ରକାର କଷ୍ଟ ଓ ପ୍ରଚେଷ୍ଟା ବିଫଳ ହୋଇଛି । ତଥାପି ତମେ କାହିଁକି ଏପରି କଷ୍ଟ ସହ୍ୟ କରୁଛ, କେଉଁ ପୁଣ୍ୟ ଲାଭ ଆଶାରେ? କିନ୍ତୁ ବେଳେ ବେଳେ ଆମର ପୁଣ୍ୟ କାର୍ଯ୍ୟ ମଧ୍ୟ ପାପରେ ବଦଳି ଯାଇ ପାରେ । ସେ ବିଷୟରେ ମୁଁ ତୁମକୁ ରାଜା ଚନ୍ଦ୍ରସେନଙ୍କ ସମ୍ପର୍କରେ ଗଳ୍ପଟିଏ କହିବି । ମନଦେଇ ତାହା ଶୁଣ – ଫଳରେ ତମ ଶ୍ରମଭାର କିଛିଟା ଲାଘବ ହେବ ।” ଏହାପରେ ସେ ବେତାଳ କହିବାକୁ ଆରମ୍ଭ କଲା –
ପୁରାକାଳରେ ରାଜା ଚନ୍ଦ୍ରସେନ ଉଜ୍ଜୟିନୀ ରାଜ୍ୟରେ ରାଜତ୍ତ୍ୱ କରୁଥା’ନ୍ତି । ତାଙ୍କର ମନ ସର୍ବଦା କବି ପଣ୍ଡିତଙ୍କ ପ୍ରତି ଆଦର ଓ ସମ୍ମାନରେ ପୂର୍ଣ୍ଣ ଥିଲା । ତେଣୁ ତାଙ୍କ ଦରବାରରେ ଅନେକ ପଣ୍ଡିତ ଓ କବି ରହିଥିଲେ । ଥରେ କାଶୀରୁ ଆଗତ ଶ୍ରୀଦତ ନାମରେ ଜଣେ ପଣ୍ଡିତ ସେ ରାଜାଙ୍କୁ ଦେଖା କରିବାକୁ ଚାହିଁଲେ । ରାଜା ତାଙ୍କୁ ଦରବାରକୁ ଡକାଇଲେ । ସେ ତାଙ୍କର କବିତା ଚାତୁରୀ ଦ୍ୱାରା ଦରବାରରେ ସମସ୍ତଙ୍କୁ ମୁଗ୍ଧ କରିଦେଲେ । ରାଜା ତାଙ୍କୁ ଅତି ଆନନ୍ଦରେ ଆଲିଙ୍ଗନ କଲେ ଓ ନିଜ ଗଳାରୁ ରତ୍ନ ମାଳାଟିଏ କାଢି ସେ କବିଙ୍କୁ ତାହା ପିନ୍ଧାଇ ଦେଲେ ।
ଶ୍ରୀଦତ ରାଜାଙ୍କଠାରୁ ବିଦାୟ ନେଇ କାଶୀ ଫେରିଗଲେ । ରାସ୍ତାରେ ଜଣେ ଡକାୟତ ସେ ରତ୍ନମାଳା ଲୋଭରେ ତାଙ୍କୁ ମାରି ତାଙ୍କର ସର୍ବସ୍ୱ ଲୁଟିନେଲା । କିନ୍ତୁ ରାଜାଙ୍କର ଗୁପ୍ତଚରମାନେ ସେ ଡକାୟତକୁ କୌଣସି ମତେ ଧରି ଆଣି ତାକୁ ରାଜାଙ୍କ ପାଖରେ ପହଁଚାଇଲେ । ଶ୍ରୀଦତର ମୃତ୍ୟୁରେ ସେ ରାଜା ଏତେ ଦୁଃଖିତ ହୋଇଥିଲେ ଯେ ତାଙ୍କ ମନରେ ବହୁତ ଅନୁତାପ ହେଲା । ସେ ସେହି ହତ୍ୟାକାରୀକୁ ମୃତ୍ୟୁଦଣ୍ଡର ଆଦେଶ ଦେଲେ ।
କିନ୍ତୁ ସେହିଦିନଠାରୁ ସେ ରାଜାଙ୍କ ମନ ବଡ ଅଶାନ୍ତି ପୂର୍ଣ୍ଣ ହେଲା । କାରଣ ତାଙ୍କ ମନରେ ଏପରି ଏକ ଚିନ୍ତା ଆସିଲା ଯେ, ଯେପରିକି ପରୋକ୍ଷ ଭାବରେ ଶ୍ରୀଦତର ମୃତ୍ୟୁର କାରଣ ସ୍ୱୟଂ ସେହିଁ । ରାଜା ଭାବିଲେ ଶ୍ରୀଦତକୁ ତ ସେ ଉପହାର ସ୍ୱରୂପ ରତ୍ନହାରଟି ଦେଇଥିଲେ । ହେଲେ କାଳକ୍ରମେ ତାହାହିଁ କାଳସର୍ପ ହୋଇ ତାକୁ ଦଂଶନ କଲା । ଏପରି ଭାବି ଭାବି ତାଙ୍କ ମନ ବଡ ଉଦାସ ହୋଇଯାଏ । ସେ ଆଉ ତାଙ୍କ ରାଜକାର୍ଯ୍ୟରେ ଆଦୌ ମନଦେଇ ପାରିଲେ ନାହିଁ । ଆତ୍ମଗ୍ଳାନି ଯୋଗୁଁ ସେ ବହୁତ ମାନସିକ କଷ୍ଟ ଭୋଗିଲେ ଓ ଶେଷକୁ ସେ ଶଯ୍ୟାଶାୟୀ ମଧ୍ୟ ହେଲେ । ରାଜବୈଦ୍ୟମାନେ ବହୁତ ଚେଷ୍ଟା କଲେ, କିନ୍ତୁ ରାଜାଙ୍କ ମନ ଯେତେବେଳେ ଅତ୍ୟନ୍ତ ଦୁଃଖରେ ଭାଙ୍ଗି ପଡୁଥିଲା ସେତେବେଳେ ସେମାନେ ନାଚାର ଥିଲେ ।