ପରୀ ରାଇଜର ପରୀରାଣୀ

ଶରତ ଆକାଶରେ ଏମୁଣ୍ଡରୁ ସେମୁଣ୍ଡ ଯାଏ କୋଟି କୋଟି ତାରା ଗୋଟିଏ ଧାଡିରେ ଖାଲି ଶୋଭା ପାଉ ଥାଆନ୍ତି । ସତେ ଯେପରି ଆକାଶରେ ଦୁଧର ନଈଟିଏ ବହିଯାଉଛି । ସେଇଠାରେ ନଈର ଦୁଇ କୂଳରେ ଠିଆ ହେଲା ପରି ଦୁଇଟି ଉଜ୍ଜ୍ୱଳ ତାରା ଦେଖା ଯାଆନ୍ତି । ଗୋଟିଏ ଖୁବ୍ ଧଳା ରଙ୍ଗର, ଆରଟି କିଂଚିତ୍ ମାଟିଆ । ଚୀନ ଦେଶରେ ଏହି ଦୁଇ ତାରାଙ୍କ ବିଷୟରେ ଚମତ୍କାର କଥାଟିଏ ପ୍ରଚଳିତ ଅଛି ।

ସେ ଅନେକ ଦିନ ତଳର କଥା । ଆକାଶର ଏହି ଛାୟା ପଥ ଆରପଟେ ହେଉଛି ପରୀ ରାଇଜ । ଏଇ ପରୀ ରାଇଜରେ ଜଣେ ରାଜା ଶାସନ କରୁଥାଆନ୍ତି । ସେ ଥିଲେ ବଡ ସଉକିଆ ମିଞ୍ଜାସର ଲୋକ । ସବୁଦିନ ଭଲ ପୋଷାକ ପିନ୍ଧିବା ପାଇଁ ତାଙ୍କର ଭାରି ମନ । ତାଙ୍କ ପାଖରେ ଜଣେ ପରୀ ଥାଏ ଯେ କି ପ୍ରତିଦିନ ନୂଆ କିସମର ପୋଷାକ ତିଆରି କରି ରାଜାଙ୍କୁ ଯୋଗାଉ ଥାଏ । ରାଜା ମଧ୍ୟ ସେ ପରୀଟିର ହାତବୁଣା ପୋଷାକ ପାଇ ଅତ୍ୟନ୍ତ ସୁଖୀ ଥାଆନ୍ତି ।

ଦିନେ ତାଙ୍କର ମନରେ ଖିଆଲ ହେଲା ଯେ, ସେ ଏହି ପରୀଟିକୁ କିଛି ପୁରସ୍କାର ଦେବେ । ତେଣୁ ସେ ତାଙ୍କର ପରୀ ରାଣୀଙ୍କୁ ତୁରନ୍ତ ଡକାଇ ପଠାଇଲେ । ଖବର ପାଇ ସେ ପରୀରାଣୀ ବି ସଙ୍ଗେ ସଙ୍ଗେ ଆସି ରାଜାଙ୍କ ପାଖରେ ହାଜର୍ । ରାଜା ପଚାରିଲେ, “ରାଣୀ, ତୁମେ କହ, କଣ ଏଇ ଝିଅଟିକୁ ଆମେ ପୁରସ୍କାର ଦେବା । କାହିଁକିନା ତାରି ହାତବୁଣା ପୋଷାକ ପିନ୍ଧି ମୁଁ ଅତ୍ୟନ୍ତ ସୁଖୀ ହୋଇଛି ।”

ରାଣୀ ଏପରି ଏକ କଥା ଶୁଣି ବହୁତ ବଡ ସମସ୍ୟାରେ ପଡିଲେ । ପୁରସ୍କାରଟି ରାଜାଙ୍କ ମନଲାଖି ନ ହେଲେ ଜାଣ ଭାରି ବିପଦ । ସେ ରାଜା ତ ଭାରି ଖିଆଲି ଲୋକ । କେତେବେଳେ ସେ କଣ ଆଦେଶ ଦେଇଦେବେ । ରାଣୀଙ୍କର ଉତ୍ତର ଦେବାରେ ବିଳମ୍ବ ହେଉଥିବାରୁ ସେ ରାଜା ଜଣକ ଖାଲି ଅତିଶୟ ବ୍ୟସ୍ତ ହୋଇ ପଡୁଥାଆନ୍ତି । ଏହି ସମୟରେ ହଠାତ୍ ସେ ରାଣୀ କହିଲେ – “ମହାରାଜ ! ଆମ ସ୍ୱର୍ଗରେ ଅବା କେଉଁ ଜିନିଷର ଅଭାବ ଅଛି ଯେ ଆମେ ସେ ପରୀ ଝିଅଟିକୁ କିଛି ଉପହାର ଦେଇ ତାକୁ ସୁଖୀ କରିପାରିବା । ମୋ ବିଚାରରେ ତାକୁ କିଛି ଦିନ ପାଇଁ ପୃଥିବୀକୁ ପଠାଇ ଦିଆଯାଉ । ସେ ସେଠାରେ କିଛି ଦିନର ଛୁଟି ବିତାଇ ପୁଣି ସ୍ୱର୍ଗକୁ ଫେରି ଆସିବ ।”

ସେ ପରୀରାଣୀଙ୍କ ଏପରି କଥା ରାଜାଙ୍କ ମନକୁ ବେଶ୍ ପାଇଲା । ତେଣୁ ସେ ରାଜା ତାଙ୍କ ରାଣୀଙ୍କୁ ଆଦେଶ ଦେଲେ – “ଦେଖ ରାଣୀ, ମୋ ପରୀ ଝିଅର ଯେପରି କୌଣସି ବି ଅସୁବିଧା ନ ହୁଏ । ସେ ସେଠାରେ ଭଲ ସାଥୀଟିଏ ଯେପରି ପାଏ, ଦିନଗୁଡାକ ତାର ସୁଖରେ ବିତାଇ ଦେବାପାଇଁ ।”

ତେଣୁ ସେ ପରୀରାଣୀ ତାଙ୍କର ଜଣେ ପ୍ରିୟ ସଖୀକୁ ପୃଥିବୀକୁ ଆଗତୁରା ପଠାଇଦେଲେ । ପୃଥିବୀରେ ସେ ପରୀରାଣୀଙ୍କ ସଖୀଟି ଗୋଟିଏ ଗାଈ ରୂପରେ ଜଣେ ଚାଷୀ ପରିବାରରେ ଆଶ୍ରୟ ନେଇଥାଏ ।


ଗପ ସାରଣୀ

ତାଲିକାଭୁକ୍ତ ଗପ