ଶ୍ରେଷ୍ଠ ବୈଦ୍ୟ

ଥରେ ରାଜା ବିକ୍ରମସେନ ଶିକାର କରିବାକୁ ଯାଇଥିଲେ । ଜଙ୍ଗଲରେ ବୁଲୁ ବୁଲୁ ସେ ରାସ୍ତା ହରାଇଲେ । ଏପରି ଅସହାୟ ଅବସ୍ଥାରେ ସର୍ପଦଂଶନ ଦ୍ୱାରା ସେ ମୂର୍ଚ୍ଛା ହୋଇଗଲେ । ତାଙ୍କର ଯେତେବେଳେ ମୂର୍ଚ୍ଛା ଭଙ୍ଗ ହୁଏ, ସେତେବେଳେ ସେ ନିଜକୁ ଏକ କୋମଳ ଶଯ୍ୟା ଉପରେ ଦେଖିଲେ । ଅର୍ଥାତ୍ ସେ ସ୍ଥାନଟି ହେଉଛି ଆଶ୍ରମ ।

ତାଙ୍କ ଶଯ୍ୟା ପାଖରେ ଜଣେ ସାଧୁ ବସିଥିଲେ । ସେ କହିଲେ, “ମୋ ଶିଷ୍ୟମାନେ ତୁମକୁ ବେହୋସ୍ ଅବସ୍ଥାରେ ଜଙ୍ଗଲରେ ପଡିଥିବାର ଦେଖି ଆଶ୍ରମକୁ ନେଇ ଆସିଲେ । ମୁଁ ଯେତିକି ଜାଣେ, ସେତିକି ଚିକିତ୍ସା କରିଛି; ଏବେ ତୁମକୁ କିପରି ଲାଗୁଛି?” ବିକ୍ରମସେନ ଦେଖିଲେ ତାଙ୍କ ଶରୀରରେ କୌଣସି କ୍ଷତ ନାହିଁ, ପୁଣି ସର୍ପଦଂଶନର ମଧ୍ୟ କିଛି ପ୍ରଭାବ ନାହିଁ । ସେ ସେହି ସାଧୁଙ୍କୁ ପ୍ରଣାମ କରି କହିଲେ, “ମୁନିବର, ଆପଣଙ୍କ ଅସାମାନ୍ୟ ଯୋଗ ଶକ୍ତିର ପ୍ରଭାବରୁ ମୁଁ ଏବେ ସମ୍ପୂର୍ଣ୍ଣ ସୁସ୍ଥ । ଯଦି କୃପା କରି ଆପଣ ରାଜଧାନୀକୁ ମଧ୍ୟେ ମଧ୍ୟେ ଆସନ୍ତେ, ତେବେ ମୋର ଅସଂଖ୍ୟ ଦୁଃଖି ଓ ପୀଡିତ ପ୍ରଜାମାନେ ଆପଣଙ୍କ ଅମୃତ ଲାଭ କରନ୍ତେ ।”

ସାଧୁ ରାଜାଙ୍କ କଥା ଶୁଣି ହସି ଦେଇ କହିଲେ, “ରାଜନ୍, ମୋର ଚିକିତ୍ସା ଶାସ୍ତ୍ରରେ କିଛିଟା ଜ୍ଞାନ ଅଛି । ମୁଁ ଯେତେବେଳେ ସଂସାରରେ ଥିଲି, ପ୍ରଚଣ୍ଡ ନାମକ ଜଣେ ଶ୍ରେଷ୍ଠ ବୈଦ୍ୟଙ୍କର ସେବା ଶୁଶ୍ରୁଷା କରିଥିଲି ଓ ବୈଦ୍ୟ ଶାସ୍ତ୍ରରେ କିଛିଟା ଶିକ୍ଷା ମଧ୍ୟ ପ୍ରାପ୍ତ କରିଥିଲି । ତାଙ୍କର ବୈଦ୍ୟଶାସ୍ତ୍ରରେ ଜ୍ଞାନ ଅତୁଳନୀୟ । ପ୍ରଚଣ୍ଡ ଯେତେବେଳେ ତୁମ ରାଜ୍ୟରେ ଅଛନ୍ତି ସେତେବେଳେ ମୋର ପ୍ରଶ୍ନ କୁଆଡୁ ଉଠୁଛି?”

ବିକ୍ରମସେନ ଆଶ୍ଚର୍ଯ୍ୟ ହୋଇ କହିଲେ, “ମୁଁ ତ କାହିଁ ଏକଥା ଜାଣେ ନାହିଁ ।” ତା’ପରେ ସେ ମୁନି କହିଲେ, “ତମେ ରାଜା, ଅଥଚ ତୁମ ରାଜ୍ୟରେ ଏତେ ବଡ ବୈଦ୍ୟ ରହିଥିବାର କଥା ମଧ୍ୟ ତୁମେ ଜାଣନାହିଁ । ସେ ତୁମରି ରାଜ୍ୟର ସୌଭାଗ୍ୟ ନଗରରେ ବାସ କରନ୍ତି । ଏବେ ସେଠାକୁ ଯାଇ ତାଙ୍କର ସମ୍ମାନ କର । ତାହାହିଁ ହେବ ତୁମର ରାଜଧର୍ମ ।”

ରାଜା ଏଥର ନିଜର କର୍ତ୍ତବ୍ୟ ଠିକ୍ ବୁଝିପାରିଲେ । ସେ ରାଜଧାନୀକୁ ଫେରିଆସି ମନ୍ତ୍ରୀଙ୍କୁ ପଚାରିଲେ “ଆମ ରାଜ୍ୟରେ ରାଜସମ୍ମାନ ପାଇବାର ଯୋଗ୍ୟ କେହି ବୈଦ୍ୟ ଅଛନ୍ତି କି?”

“ମହାରାଜ, ବୈଦ୍ୟମାନଙ୍କ ବିଷୟରେ ମୁଁ ବା କ’ଣ ଜାଣେ? ରାଜବୈଦ୍ୟ ପ୍ରଦୀପଙ୍କୁ ପଚାରିଲେ ଜଣାପଡିବ ।” ତା’ପରେ ମନ୍ତ୍ରୀ ପ୍ରଦୀପଙ୍କୁ ଡକାଇ ପଠାଇଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ