ସୁନାପାଇଁ ବନ୍ଦିଶାଳା

ଆମେରିକା ସରକାରଙ୍କ ସୁନା ଗଚ୍ଛିତ ହୋଇ ରହିଛି ଏକ ଦୁର୍ଗ ଭିତରେ । ଆଉ ସେ ଦୁର୍ଗଟିର ନାଁ ଫୋର୍ଟ ନକ୍ସ । ସେଇଠି ଭୂଇଁତଳେ ଏକ ସୁଦୃଢ ଅଟ୍ଟାଳିକା ହିଁ ତା’ କୋଳରେ ଧରିଛି ଆମେରିକା ସରକାରଙ୍କ ସୁନାତକ । ସେଠାରେ କେବଳ ସୁନା ରଖାଯାଇନି, ସୁନା ସମେତ ସଂରକ୍ଷିତ ହୋଇ ରହିଛି ବହୁ ଗୁରୁତ୍ୱପୂର୍ଣ୍ଣ ଦଲିଲ୍ । ଫୋର୍ଟ ନକ୍ସକୁ ଛାଡିଦେଲେ ନିୟୁୟର୍କସ୍ଥିତ ଫେଡେରାଲ୍ ରିଜର୍ଭ ବ୍ୟାଙ୍କ୍ର ଭୂଇଁ ତଳର ଏକ କୋଠରି ଭିତରେ ମଧ୍ୟ ସାଇତା ହୋଇଛି ସୁନା । କେତେକ ବିଦେଶୀ ରାଷ୍ଟ୍ରର ସୁନା ଓ ବହୁ ଅନ୍ତର୍ଜାତୀୟ ଅନୁଷ୍ଠାନର ମାଲିକାନାରେ ଥିବା ସୁନା ମଧ୍ୟ ରହିଛି ସେଠାରେ ।

                ୧୯୩୩ ମସିହାରେ ଆମେରିକାର ପ୍ରେସିଡେଂଟ ନିର୍ବାଚିତ ହୋଇଥିଲେ ଫ୍ରାଙ୍କ୍ଲିନ୍ ଡି. ରୁଜ୍ଭେଲ୍ଟ । ସେ ରାଷ୍ଟ୍ରପତି ହେବା ପୂର୍ବରୁ ଦେଶରେ ସୁନାଟଙ୍କାର ଅବାଧ କାରବାର ଥିଲା । ବିଭିନ୍ନ ବ୍ୟାଙ୍କ୍ ଓ ବେସରକାରୀ ଅନୁଷ୍ଠାନ ମଧ୍ୟ ନିଜ ନିଜର ସୁନା ଗଚ୍ଛିତ କରି ରଖିଥିଲେ । କିନ୍ତୁ ରୁଜ୍ଭେଲ୍ଟ ନିୟମ କରିଦେଲେ ଯେ ଏଣିକି ସୁନାଟଙ୍କାର କାରବାର ହୋଇ ପାରିବନି କି କେହି ବି ସୁନା ସାଇତି ପାରିବେ ନାହିଁ । ତେବେ ନିର୍ବନ୍ଧ ମୁଦି ଓ ଗହଣାଗାଣ୍ଠି ଭାବରେ ସୀମିତ ପରିମାଣର ସୁନା ରଖିହେବ । ସରକାର ଟଙ୍କାଦେଇ ସମସ୍ତଙ୍କ ପାଖରୁ ସୁନା କିଣିନେଲେ ।

                ସରକାରଙ୍କ ସୁନା ପୁଣି ରହିବ କେଉଁଠି? କେଂଟୁକି ରାଜ୍ୟର ଫୋର୍ଟ ନକ୍ସରେ ଏଥିପାଇଁ ତିଆରି ଚାଲିଲା ଆମେରିକାର ସୁନା ଭଣ୍ଡାର ଘର । ଏହାର ତିଆରି ପାଇଁ ଜମି ଯୋଗାଇ ଦେଇଥିଲେ ଆମେରିକାର ଦେଶରକ୍ଷା ବିଭାଗ । ୧୯୩୬ ମସିହା, ଡିସେମ୍ବର ମାସରେ ଏହି ଭଣ୍ଡାରର ନିର୍ମାଣ ସରିଗଲା । ଏହାକୁ ନିର୍ମାଣ କରିବା ପାଇଁ ଖର୍ଚ୍ଚ ହୋଇଥିଲା ୫ ଲକ୍ଷ ୬୦ ହଜାର ଡଲାର; ୨୦୦୭ ମସିହାର ହିସାବ ଅନୁସାରେ ୭୫ ଲକ୍ଷ ଡଲାର୍ ।

                ସୁନା ଭଣ୍ଡାରର ନିର୍ମାଣ ହୋଇ ସାରିବା ପରେ ୧୯୩୭ ମସିହା ଜାନୁୟାରୀ ମାସରୁ ଜୁଲାଇ ମାସ ପର୍ଯ୍ୟନ୍ତ ବୁହା ଚାଲିଲା ସୁନା । ସୁନା ଆସି ପହଁଚିଲା ୫୦୦ଟି ରେଳବଗିରେ । ତାହାଛଡା, ଡାକ ବିଭାଗର ପ୍ରତ୍ୟକ୍ଷ ତତ୍ୱାବଧାନରେ ମଧ୍ୟ ସୁନା ରହିଥିବା ପାର୍ଶଲମାନ ଆସିବାରେ ଲାଗିଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ