ସମ୍ରାଟ ଅଶୋକ

(ବିନ୍ଦୁସାରଙ୍କ ମରଣ ଉପରାନ୍ତେ ଯୁବରାଜ ଅଶୋକ ସୁଶେମ ଆଦି ଅନେକ ଗୃହଶତୃଙ୍କର ନିଧନ କରାଇଲେ । ଗୁରୁଜନଙ୍କ ଆଦେଶ ପାଳନ କରି ସେ ଦ୍ୱିତୀୟ ବିବାହ କଲେ ଓ ମଗଧର ରାଜା ହେଲେ । ମନ୍ତ୍ରୀ ଓ ସେନାଧ୍ୟକ୍ଷଙ୍କ ପରାମର୍ଶ କ୍ରମେ କଳିଙ୍ଗ ଆକ୍ରମଣର ପ୍ରସ୍ତୁତିର ଆୟୋଜନ କଲେ । ବିଦିଶା ଦେବୀଙ୍କୁ ଉଜ୍ଜୟିନୀରୁ ଫେରାଇ ଆଣିବା ପାଇଁ ଅଶୋକ ଅନେକ ପ୍ରଯତ୍ନ କଲେ । କିନ୍ତୁ ତାହା ଅସଫଳ ହେଲା । ମଗଧର ସୈନ୍ୟ ଅଚାନକ କଳିଙ୍ଗ ଉପରେ ଆକ୍ରମଣ କଲେ । କଳିଙ୍ଗର ଶାସକ ଓ ପ୍ରଜାକୁଳ ଦୃଢତାର ସହ ଶତୃସେନାଙ୍କର ମୁକାବିଲା କରିବା ପାଇଁ ଆଗେଇ ଆସିଲେ ।) ଏହାପରେ ଆଗକୁ ପଢନ୍ତୁ…..

                ମହାରାଜ ଅଶୋକ ଓ ଯଶ ଉଭୟ ସେନାଧିପତିଙ୍କ ଶିବିର ନିକଟକୁ ଆସିଲେ । ଯଶ କହିଲେ, “ଆମେ କଳିଙ୍ଗ ଉପରେ ଅତର୍କିତ ଭାବେ ଆକ୍ରମଣ କଲେ । ତେବେ ମଧ୍ୟ କଳିଙ୍ଗ-ପ୍ରଜା ଦୃଢ ଚିତ୍ତରେ ଆମକୁ ପ୍ରତିରୋଧ କରୁଛନ୍ତି । ସେମାନଙ୍କର ଏପରି ସାହସ ଓ ଦେଶଭକ୍ତି ଅତୀବ ପ୍ରଶଂସନୀୟ । ଆଶ୍ଚର୍ଯ୍ୟର କଥା, ସେମାନଙ୍କୁ ମାର୍ଗ-ଦର୍ଶନ କରାଇବା ପାଇଁ ସେ ଦେଶର କେହିବି ଶାସକ ନାହାଁନ୍ତି । ତେବେ ମଧ୍ୟ ଏକତା-ବଦ୍ଧ ଭାବେ ସେମାନେ ଲଢି ଚାଲିଛନ୍ତି । ନିଜର ପ୍ରାଣ ବିସର୍ଜନ କରୁଛନ୍ତି । ଯୁଦ୍ଧ ସମ୍ପର୍କରେ ଅନଭିଜ୍ଞ ସାଧାରଣ ପ୍ରଜା, ମୃତ୍ୟୁକୁ ଭୂକ୍ଷେପ ନ କରି ଜନ୍ମ ଭୂମିକୁ ରକ୍ଷା କରିବା ପାଇଁ ଏପରି ଆଗେଇ ଆସିବା ଇତିହାସରେ ଆଗରୁ କେବେବି ହୋଇଛି ନା ଭବିଷ୍ୟତରେ ହେବ । ଆମର ପ୍ରତିରୋଧ ପାଇଁ, ଦେଶର ସ୍ୱାଧୀନତା ପାଇଁ ସେମାନେ ସବୁକିଛି କରିବା ପାଇଁ ପ୍ରସ୍ତୁତ ।”

                “ଏବେ ଏହି ଦେଶରେ କେହିବି ଶାସକ ନାହାଁନ୍ତି । ସାମନ୍ତ ଓ ରାଜ – ପ୍ରତିନିଧି ଶାସନ – ବ୍ୟବସ୍ଥା ସମ୍ଭାଳୁଛନ୍ତି । ତେବେ ମଧ୍ୟ ସେମାନଙ୍କର ଅତୁଟ ଏକତା ମୋତେ ବିସ୍ମୟାନ୍ୱିତ କରିଛି ।” ଅଶୋକ ଯଶଙ୍କୁ ସମର୍ଥନ କଲେ ।

                ସେନାଧିପତି କିଛି ନ କହି ନୀରବ ରହିଲେ ।

                ଯଶ କହିଲେ “ଆପଣଙ୍କୁ ଦୋଷ ଦେବା ଉଦ୍ଧେଶ୍ୟରେ ମୁଁ ଏପରି କହୁ ନାହିଁ । ବାସ୍ତବିକ, କଳିଙ୍ଗ- ପ୍ରଜାମାନଙ୍କର ସାହସ ଅତ୍ୟନ୍ତ ପ୍ରଶଂସାଯୋଗ୍ୟ ଅଟେ । ମୋର ତ ଏହା ବିଶ୍ୱାସ ହେଉ ନାହିଁ ଯେ, ବିନା ରାଜାରେ ପ୍ରଜାମାନେ ପ୍ରାଣପାତ କରିବାକୁ କିପରି ଆଗେଇ ଆସୁଛନ୍ତି?”

                ସେନାପତି କହିଲେ “ତାହାହିଁ ମୋତେ ମଧ୍ୟ ଆଶ୍ଚର୍ଯ୍ୟାଭିଭୂତ କରୁଛି । ସେମାନେ ସାଧାରଣ ଗ୍ରାମବାସୀ ଅଟନ୍ତି । ବୃତ୍ତିରେ କୃଷକ, କିନ୍ତୁ ଏହା ଏହି ଦେଶର ଏକ ପରମ୍ପରା ଅଟେ । ଯେଉଁ ସମୟରେ ଦେଶ କିଛି ବିପଦରେ ପଡିଛି, କିମ୍ବା ଶତୃ-ଆକ୍ରମଣର କଳାବାଦଲ ଦେଶର ଆକାଶରେ ଘୋଟି ଆସିଛି, ଦେଶର ସମସ୍ତ ପ୍ରଜା ଏକ ହୋଇ, ଦେଶ ମାତୃକାର ସୁରକ୍ଷା ନିମନ୍ତେ ନିଜର ଜୀବନ ସୁଧା ଜଳାଞ୍ଜଳି ଦେବାକୁ ପ୍ରସ୍ତୁତ ହୋଇଛନ୍ତି । ସେମାନଙ୍କର ଏପରି ଏକତାର କୌଣସି ତୁଳନା ନାହିଁ । ଆଜିର ପରିସ୍ଥିତିରେ ସେମାନେ କଳିଙ୍ଗସୈନ୍ୟଙ୍କୁ ପୂର୍ଣ୍ଣ ସହଯୋଗ କରୁଛନ୍ତି । ସେମାନଙ୍କର ସହଯୋଗ କଳିଙ୍ଗ ସୈନ୍ୟବାହିନୀର ମନୋବଳ ବଢାଉଛି ।” ଅଶୋକ ପ୍ରଶ୍ନ କଲେ “ମୁଁ ମଧ୍ୟ ତାହା ଶୁଣିବାକୁ ପାଉଛି । ଦେଶର ପ୍ରତ୍ୟେକ ଅଧିବାସୀ କୌଣସି ପରିସ୍ଥିତିରେ ମଧ୍ୟ ପଶ୍ଚାତ୍ପଦ ହେବେ ନାହିଁ ବୋଲି ସଂକଳ୍ପ କରିଛନ୍ତି । ଏକଥା କ’ଣ ସତ?”

                ସେନାପତି ଏହାକୁ ସମ୍ପୂର୍ଣ୍ଣ ସତ୍ୟ ବୋଲି ସ୍ୱୀକାର କରି ନୀରବରେ ମୁଣ୍ଡ ତଳକୁ କଲେ । ଅଶୋକ ହତୋତ୍ସାହିତ ହୋଇ କହିଲେ “ତେବେ ଏହାର ଅର୍ଥ ହେଉଛି ଯେ, ବଳଶାଳୀ ମଗଧ ସୈନ୍ୟଙ୍କୁ ପ୍ରତିରୋଧ କରୁଥିବା ଶକ୍ତି ହେଉଛନ୍ତି କଳିଙ୍ଗର ସାଧାରଣ ପ୍ରଜା ଓ କୃଷକ । ମୁଁ ଠିକ୍ କହୁଛି ନା? ପ୍ରଥମ ଆକ୍ରମଣରେ ମୋର ସ୍ଥିତି କିପରି ଦୋହଲିଗଲା? ପରିଣାମ କଣ ହେଲା? ଅବଶ୍ୟ ଆମେ ପରାଜିତ ହୋଇ ନାହୁଁ କିନ୍ତୁ ନିରାଶ ହୋଇ ଫେରିବାକୁ ପଡିବ । ଆମର ସବୁ ଆଶା ଜଳର ବୁଦ୍ବୁଦ୍ ପରି ମିଳେଇ ଯାଉଛି ।”

                କିଛିକ୍ଷଣ ପାଇଁ ସେହି ପରିବେଶରେ ଗମ୍ଭୀର ସ୍ତବ୍ଧତା ଛାଇଗଲା । ଅଚାନକ ତଲୱାର କାଢି ଯଶ ଦୃପ୍ତ କଣ୍ଠରେ କହିଲେ, “ମହାରାଜ, ଯେତେ ପର୍ଯ୍ୟନ୍ତ ମୋ ପିଣ୍ଡରେ ପ୍ରାଣ ରହିଥିବ, ମୁଁ ଏପରି ହେବାକୁ କେବେବି ଦେବି ନାହିଁ । ମଗଧ ସେନାଧି ନାୟକ ଓ ଦଳପତିମାନଙ୍କୁ ଦେଖିବାମାତ୍ରେ ହତ୍ୟା କରିବା ପାଇଁ ନିର୍ଦେଶ ପ୍ରଦାନ କରାଯାଉ । ଆମେ ସେମାନଙ୍କର ଆକ୍ରମଣକୁ ପ୍ରତୀକ୍ଷା କରିବା କିଛିବି ଦରକାର ନାହିଁ । ସେମାନେ ସଂଗଠିତ ହୋଇ ଯୁଦ୍ଧ କରିବା ଯାଏଁ, ଆମେ ତ ଆଉ ନୀରବ ହୋଇ ରହିବା ନାହିଁ । ଆମର ସେନା ମନଇଚ୍ଛା ଯେତେ ଲୋକଙ୍କୁ ହତ୍ୟା କରି ପାରିବେ, କରନ୍ତୁ । ଏହା ଫଳରେ ସେମାନଙ୍କର ସଂଖ୍ୟା ବଳ କମିଯିବ ଓ ଆମେ ନିଶ୍ଚୟ ବିଜୟ ଲାଭ କରିବା । ଆମ ସୈନିକମାନେ ତାଙ୍କ ମନରୁ ଦୟା କରୁଣା ଆଦି ଭାବନା ଦୂରେଇ ଦିଅନ୍ତୁ । ନିରସ୍ତ୍ର ଉପରେ ଅସ୍ତ୍ର ଉଠେଇବା ପାଇଁ ସେମାନେ କୁଣ୍ଠିତ ହୁଅନ୍ତୁ ନାହିଁ । ମାନବିକତାର ଭାବ ଆମ ହୃଦୟରେ ରହିବା ଲୋଡା ନାହିଁ । କେବଳ କଳିଙ୍ଗ ବିଜୟର ଇଚ୍ଛା ଆମ ଭିତରେ ଉଦ୍ଦୀପିତ ରହୁ, ଏହାହିଁ ଆମର ଯୁଦ୍ଧନୀତି । ଏହି ନୀତିରେ ଆମେ ଆଗେଇବା ।”


ଗପ ସାରଣୀ

ତାଲିକାଭୁକ୍ତ ଗପ