ଗୋବିନ୍ଦଙ୍କ ଇଚ୍ଛା

ଗୋବିନ୍ଦଙ୍କର ଏକ ମିଠା ଦୋକାନ ଥାଏ । ଏହି ଦୋକାନରୁ ତାଙ୍କର ପ୍ରଚୁର ଆୟ ହେଉଥାଏ । ରତ୍ନମାଳା ତାଙ୍କର ଏକମାତ୍ର କନ୍ୟା । ରତ୍ନମାଳାକୁ ଯିଏ ବିବାହ କରିବ, ସିଏହିଁ ଗୋବିନ୍ଦଙ୍କ ସମସ୍ତ ସମ୍ପତ୍ତିର ଉତ୍ତରାଧିକାରୀ ହେବ । ତେଣୁ ରତ୍ନମାଳାକୁ ବିବାହ କରିବା ପାଇଁ ଅଗଣିତ ପ୍ରସ୍ତାବ ଆସୁଥାଏ ।

                ଗୋବିନ୍ଦ ମଧ୍ୟ ତା’ଙ୍କ କନ୍ୟାର ବିବାହକୁ ବେଶ୍ ଗୁରୁତ୍ୱ ଦେଉଥାନ୍ତି । ଏକ ଯୋଗ୍ୟ ବର ନିର୍ବାଚନ କରିବା ପାଇଁ ସେ ସବୁ ପ୍ରକାରର ସତର୍କତା ଅବଲମ୍ବନ କରୁଥାନ୍ତି । ବନ୍ଧୁ ଶରତଙ୍କ ପୁତ୍ର ସମ୍ବନ୍ଧରେ ସବୁ କିଛି ଜାଣିବା ପରେ ସେ ତାଙ୍କ କନ୍ୟାର ବିବାହ ସେଠାରେ କରିବା ପାଇଁ ସ୍ଥିର କଲେ । ତେଣୁ ସେ ଶରତଙ୍କୁ କହିଲେ, “ମୋର ଗୋଟିଏ ଛୋଟ ବିନତୀ ରହିଛି । ଏହି ପ୍ରସ୍ତାବ ପକ୍କା ହେବା ପୂର୍ବରୁ ଆପଣଙ୍କ ପୁତ୍ରକୁ ମୁଁ ମୋ ଘରକୁ ଭୋଜନ ପାଇଁ ନିମନ୍ତ୍ରଣ କରିବି । ଏହାକୁ ଆପଣ ଅନ୍ୟ ଅର୍ଥରେ ଆଦୌ ଗ୍ରହଣ କରିବେ ନାହିଁ । ଜଣେ ସାଧୁ ମୋତେ ଏହି ପରାମର୍ଶ ଦେଇଥିଲେ ଯେ, ଜଣେ ଯୁବକ ତୁମ କନ୍ୟାକୁ ବିବାହ କରିବା ପାଇଁ ଉପଯୁକ୍ତ କି ନୁହେଁ, ଏହି ନିର୍ଣ୍ଣୟ ତୁମେ ସେହି ଯୁବକ ଭୋଜନ କରୁଥିବା ସମୟରେ ହିଁ ଗ୍ରହଣ କରି ପାରିବ । ତାହା ତୁମ ପାଇଁ ଅତ୍ୟନ୍ତ ଶୁଭପ୍ରଦ ହେବ ।”

                ଗୋବିନ୍ଦଙ୍କ କଥା ଶରତଙ୍କୁ ଭାରି ଆଶ୍ଚର୍ଯ୍ୟାନ୍ୱିତ କଲା । କିନ୍ତୁ ସେ ଠିକ୍ ତା’ପର ମୁହୂର୍ତ୍ତରେ ଚିନ୍ତା କଲେ, ଏହା କଲେ ତାଙ୍କର ତ କିଛି ବି କ୍ଷତି ହେଉନାହିଁ । ତେଣୁ ସେ ତାଙ୍କର ପୁତ୍ରକୁ ଗୋବିନ୍ଦଙ୍କ ଘରକୁ ଭୋଜନ ପାଇଁ ପଠାଇଲେ ।

                ଗୋବିନ୍ଦ ସେ ଯୁବକଙ୍କ ସହିତ ଅନେକ ସମୟଯାଏଁ ବାର୍ତ୍ତାଳାପ କଲେ । ତା’ପରେ ସେ ତାଙ୍କୁ ରୁଚିକର ଭୋଜନ ପରଷିଲେ । ଭୋଜନ ଠିକ୍ ସରି ଆସିବା ବେଳକୁ ସେ ସେହି ଯୁବକକୁ କହିଲେ, “ମୋର ମନେ ହେଉଛି, ତୁମେ ମୋର କନ୍ୟା ପାଇଁ ମୋଟେ ଉପଯୁକ୍ତ ହେବ ନାହିଁ । ଏହି କଥା ତୁମେ ତୁମ ପିତାଙ୍କୁ ଜଣାଇଦେବ । ସେ ମୋତେ କ୍ଷମା କରିବେ । ସେଥିରେ ଉଭୟଙ୍କର ମଙ୍ଗଳ ହେବ ।”

                ଶରତଙ୍କ ପୁତ୍ର ନିରାଶ ହୋଇ ଫେରିଗଲେ । କିନ୍ତୁ ଏହାର ଠିକ୍ ଅର୍ଥ ସେ ଯମାରୁ ବୁଝି ପାରିଲେ ନାହିଁ ।

                ଏହା ପରେ ପରେ ଆଉ ତିନିଜଣ ଯୁବକ ଗୋବିନ୍ଦଙ୍କ ଘରକୁ ଭୋଜନ ପାଇଁ ନିମନ୍ତ୍ରିତ ହେଲେ ଓ ସେମାନଙ୍କୁ ମଧ୍ୟ ଅଯୋଗ୍ୟ କହି ଗୋବିନ୍ଦ ନିରାଶ କଲେ । ଯୁବକ ତଥା ତାଙ୍କର ପିତାମାତାମାନେ ଗୋବିନ୍ଦଙ୍କର ଏପରି କାମର ରହସ୍ୟ ଆଦୌ କିଛି ହେଲେବି ବୁଝି ପାରିଲେ ନାହିଁ । ସେମାନେ ଜାଣି ପାରୁ ନ ଥିଲେ ଗୋବିନ୍ଦ କେଉଁ ପ୍ରକାରର ଯୋଗ୍ୟତା ସେମାନଙ୍କର ପୁତ୍ରମାନଙ୍କ ଠାରେ ଖୋଜୁଛନ୍ତି । ଗୋବିନ୍ଦଙ୍କର ଏପରି ବିଚିତ୍ର ଆଚରଣ ସେମାନଙ୍କୁ ଭୀଷଣ ଦୁଃଖିତ କରୁଥିଲେ ମଧ୍ୟ, ଭୋଜନକୁ ଯିବା ପୂର୍ବରୁ ଅନୁମତି ଦେଇଥିବାରୁ ଗୋବିନ୍ଦଙ୍କ ସହିତ ସେମାନେ ଆଦୌ ଯୁକ୍ତିତର୍କ କରୁ ନ ଥିଲେ ।

                ଦିନେ ଗୋବିନ୍ଦଙ୍କର ପୁରୁଣା ମିତ୍ର ରାଧାକୃଷ୍ଣଙ୍କ ସହିତ ଭେଟ ହେଲା । ସେ ପଚାରିଲେ, “କଥା କ’ଣ ଗୋବିନ୍ଦ; ମୁଁ କ’ଣ ଏକଥା ଶୁଣିବାକୁ ପାଇଲି ଯେ ତୁମେ ଯୁବକ ମାନଙ୍କୁ ନିଜ ଘରକୁ ଡାକି ରୁଚିକର ଭୋଜନ ଦେଉଛ ।”


ଗପ ସାରଣୀ

ତାଲିକାଭୁକ୍ତ ଗପ