କଡମାଛ ଓ ରାଜକୁମାରୀ

ଅନେକ ବର୍ଷ ପୂର୍ବେ ଗୋଟିଏ ରାଜ୍ୟର ସମୁଦ୍ର ଉପକୂଳରେ ବୁଢାବୁଢୀ ଦୁଇଜଣ ବାସ କରୁଥିଲେ । ସେ ବୁଢାବୁଢୀଙ୍କର କିଛି ବି ପିଲାପିଲି ନଥିଲେ ଓ ବୁଢାଟି ମାଛଧରି ତାର ଗୁଜୁରାଣ ମେଂଟାଉଥିଲା । ଦିନେ ବୁଢାଟି ସମୁଦ୍ରରୁ ମାଛ ଧରୁଧରୁ ତା ଜାଲରେ ଗୋଟିଏ ଛୋଟ କଡମାଛଟିଏ ପଡିଲା । ସେ ଛୁଆ କଡମାଛଟିକୁ ବୁଢାଟି ଯେମିତି ମାରିବାକୁ ବସିଛି ସେ କଡମାଛଟି କହିଲା ‘ମୋତେ ମାର ନାହିଁ’ ମୋ ଜୀବନ ରକ୍ଷାକଲେ ମୁଁ ତୁମର ପୁଅହୋଇ ରହିବି ।’

ଏପରି କଥା ଶୁଣି ବୁଢାଟି ସେ ଛୋଟ ମାଛଟିକୁ ଥଳିରେ ପୂରାଇ ଘରକୁ ଆଣି ବୁଢୀ ପାଖରେ ଦେଲା । ତା’ପରେ ବୁଢାଟି ବୁଢୀକୁ କହିଲା ‘ଆମରତ କିଛି ପିଲାପିଲି ନାହାଁନ୍ତି । ତେଣୁ ଆମେ ଏହାକୁ ଆମର ପୁଅ କରି ରଖିବା ।’

ଏମିତି ତିନିବର୍ଷ କଟିଗଲା ଓ ଏହା ମଧ୍ୟରେ ସେ କଡ ମାଛଟି ବି ବଡ ହୋଇଗଲା । ଦିନେ ସେ କଡ ମାଛ ତା ବାପାକୁ କହିଲା ‘ବାପା, ତୁମେ ଯାଇ ଏ ଦେଶର ସମ୍ରାଟଙ୍କୁ କୁହ ଯେ, ସେ ମୋ ସହିତ ରାଜକୁମାରୀକୁ ବିବାହ କରିଦିଅନ୍ତୁ ।’

ଏତକ ଶୁଣି ବୁଢାଟି ଅତ୍ୟନ୍ତ ଆଶ୍ଚର୍ଯ୍ୟ ହୋଇ କହିଲା ‘ସମ୍ରାଟ ତାଙ୍କ ଝିଅକୁ ଆମଭଳି ଗରିବ ଘରେ କେବେବି ବାହା ଦେବେ ନାହିଁ । ରାଜକୁମାରୀ ପାଇଁ ଅନେକ ରାଜକୁମାରଙ୍କ ପାଖରୁ ବିବାହ ପ୍ରସ୍ତାବ ଆସିଲେ ମଧ୍ୟ ସମ୍ରାଟ ସେ ସବୁ ପ୍ରସ୍ତାବରେ ରାଜି ହେଉ ନାହାଁନ୍ତି ।’

ମାତ୍ର କଡ ମାଛଟି କହିଲା ‘ସେ ଯାହାବି ହେଉ ପଛକେ ତୁମେ ସମ୍ରାଟଙ୍କ ପାଖକୁ ଯାଇ ତାଙ୍କୁ ଏ ପ୍ରସ୍ତାବ ଦିଅ ।’

ବୁଢାଟି ରାଜସଭାକୁ ଯାଇ ସମ୍ରାଟକୁ ପ୍ରଣାମ ଜଣାଇଲା । ତହୁଁ ସମ୍ରାଟ ସେ ବୁଢାଟିକୁ ପଚାରିଲେ ‘ତୁମର କ’ଣ ଦରକାର?’

ବୁଢାଟି ଉତ୍ତର ଦେଲା ‘ମୋର କଡମାଛର ପୁଅ ଆପଣଙ୍କ ଝିଅକୁ ବିବାହ କରିବାକୁ ଚାହୁଁଛି ।’

                ଏକଥା ଶୁଣି ସେ ସମ୍ରାଟ ହଠାତ୍ ଭୀଷଣ ରାଗିଯାଇ କହି ଉଠିଲେ ‘କ’ଣ? ମୁଁ କେତେ ରାଜକୁମାର ଓ ସାମନ୍ତଙ୍କ ବିବାହ ପ୍ରସ୍ତାବକୁ ଗୋଡରେ ଆଡେଇ ଦେଇଛି । ସାମାନ୍ୟ କଡ ମାଛ ସେ ପୁଣି ମୋ ଝିଅକୁ ବିବାହ କରିବାକୁ ସାହସ କରୁଛି । ଜାଣିଛୁ ଏହାର ପରିଣାମ କ’ଣ ହେବ?’

                ସମ୍ରାଟ ଏଭଳି ରାଗିଯିବାର ଦେଖି ସେଠାରେ ବସିଥିବା ରାଜକୁମାରୀ ସମ୍ରାଟଙ୍କୁ କହିଲା ‘ବାପା, ଆପଣ ତା ପାଇଁ ଗୋଟିଏ ସର୍ତ୍ତ ରଖନ୍ତୁ । ଯଦି ସେ ଆପଣଙ୍କ ସର୍ତ୍ତ ପାଳନ କରେ ତେବେ ଯାଇ ମୁଁ ତାକୁ ବିବାହ କରିବି । ନଚେତ୍ ତାର ମୁଣ୍ଡକାଟ ହେବ ।’

ସମ୍ରାଟ ଝିଅ କଥାରେ ରାଜି ହୋଇଗଲେ । ସେ ଟିକିଏ ଚିନ୍ତା କରି ବୁଢାକୁ କହିଲେ ‘ଦେଖ! ତୁ ଆଜି ରାତିକ ଭିତରେ ମୋର ରାଜଉଆସ ନିକଟରେ ଠିକ୍ ଏହିପରି ଆଉ ଗୋଟିଏ ନୂଆ ଉଆସ ତିଆରି କରିଦେବୁ । ସେ ଉଆସରେ ମୋର ଝିଅ ରହିବ । ଏହା କରିନପାରିଲେ ତୋର ଓ ତୋ ପୁଅର ମୁଣ୍ଡ କାଟ ହେବ ।’


ଗପ ସାରଣୀ

ତାଲିକାଭୁକ୍ତ ଗପ