ନାରୀ ମାୟା ଦେବେ ଅଗୋଚର

ରାତ୍ରି ପାହି ଗଲା । ସହଳ ସହଳ ଚତୁର ବ୍ୟଙ୍ଗକାର ଶଯ୍ୟାତ୍ୟାଗ କରି ଡାକ ପକାଇଲେ ।

                ଉଠ ଅବଲୋକରା ପାହିଲା ରାତି

                ଯିବା ତୀର୍ଥ ଜାଣ ଚଂଚଳ ମତି ।

                ଉପଦେଷ୍ଟାଙ୍କର ପାଟି ଶୁଣିବା ମାତ୍ରେ ଅବୋଲକରା ଉପଦେଷ୍ଟାଙ୍କର ସମସ୍ତ ଗଣ୍ଠିଲି ପତ୍ର କମ୍ବଳାଦି ଧରି ବାହାରି ପଡିଲା । ଏହା ପରେ ଚତୁର ବ୍ୟଙ୍ଗକାର ଆଗେ ଆଗେ ଚାଲିଲେ । ପଛେ ପଛେ ଚାଲି ଥାଏ ଅବୋଲକରା ।

                ଏମିତି କିଛି ବାଟ ଚାଲୁ ଚାଲୁ ଉତ୍କଳ ରାଜ୍ୟ ସମାପ୍ତ ହେଲା । ଉତ୍କଳର ସୀମା ବାହାରକୁ ଯିବା ପରେ ଉପଦେଷ୍ଟାଙ୍କ ଦୃଷ୍ଟିକୁ ଏକ ରମଣୀୟ ସ୍ଥାନ ଦେଖା ଗଲା । ସ୍ଥାନଟି ନାନା ପ୍ରକାର ପୁଷ୍ପ ଫଳ ବିମଣ୍ଡିତ ବୃକ୍ଷ ଲତାରେ ପରିପୂର୍ଣ୍ଣ । ସ୍ଥାନଟି ସମ୍ପୂର୍ଣ୍ଣ ନିକାଂଚନ ଥିବାରୁ ନାନା ପ୍ରକାର ପକ୍ଷୀ ମାନଙ୍କର ଭୟ ହୀନ ବିଚରଣ ଥାଏ । ସେଠାରେ ପକ୍ଷୀ ମାନଙ୍କର ନାନା ପ୍ରକାର କଳରବ ଶୁଭୁ ଥାଏ । ଆଉ ମଧ୍ୟ  ଚତୁର ବ୍ୟଙ୍ଗକାର ଦେଖିଲେ ଏପରି ଏକ ସୁଶୋଭନୀୟ ସ୍ଥାନରେ ସେହି ରାଜ୍ୟ ଜମିଦାରଙ୍କ ଦ୍ୱାରା ଏକ ସୁନ୍ଦର ଧର୍ମଶାଳା ନିର୍ମାଣ ହୋଇଛି ।  ଚତୁର ବ୍ୟଙ୍ଗକାର କହିଲେ – ଦେଖତ ଅବୋଲକରା ଏହି ଧର୍ମଶାଳାଟି ଖୁବ୍ ଭଲ ହୋଇଛିକିନା?

                ଅବୋଲକରା ସେହି ଧର୍ମଶାଳାଟିକୁ ଦେଖି ଖୁବ୍ ଖୁସିଟିଏ ହୋଇ ଯାଇ କହିଲା ବାଃ କି ସୁନ୍ଦର ଘର! ଆମେ ଏହି ସ୍ଥାନରେ ଦୁଇ ଚାରି ଦିନ ବିଶ୍ରାମ ନେଲେ ଭଲ ହୁଅନ୍ତା । ଚତୁର ବ୍ୟଙ୍ଗକାର ଅବୋଲକରା ଠାରୁ ଏପରି ଶୁଣିବା ପରେ କହିଲେ –

                ରହ ବୋଲକରା ଶ୍ରୁତିକୁ ଶୁଣି

                ସ୍ଥାନୀୟ ଦେବତା ପୂଜିବା ଏଠାରେ ଜାଣି ।

                ବଡ ମନୋରମ ଅଟଇ ଏ ସ୍ଥାନ

                ବସି ଲଗାଇବା ପ୍ରଭୁଙ୍କୁ ଧ୍ୟାନ ।

ଅବୋଲକରା ଗୃହ ମଧ୍ୟକୁ ପଶି ଯାଇ ପରିଷ୍କାର କରି ଆଣି ଗଣ୍ଠିଲିକୁ ଥୋଇ ଦେବା ପରେ ଚତୁର ବ୍ୟଙ୍ଗକାର ଆଦେଶ କଲେ ଯେ – ତୁ ଯା, ଯଥା ଶୀଘ୍ର ପାଖ ହାଟରୁ ଡାଲି ତଣ୍ଡୁଳ କୋଶଳା ଶାଗ ଆଉ କିଛି କଂଚା କଦଳି ଧରି ଚାଲିଆ । ମୁଁ ସ୍ନାନାଦି କାର୍ଯ୍ୟ ସମାପନ କରୁଛି ।

ଉପଦେଷ୍ଟାଙ୍କ ଠାରୁ ପଇସା ଓ ମୁଣା ଧରି ଅବୋଲକରା ଆଉ ମୁହୂର୍ତେ ମଧ୍ୟ କାଳ ବିଳମ୍ବ ନକରି ଶୀଘ୍ର ଶୀଘ୍ର ଚାଲି ଗଲା ପାଖରେ ଥିବା ହାଟକୁ । ହାଟରେ ପହଁଚି ସମସ୍ତ ସଉଦା କିଣି ସାରି ଧର୍ମଶାଳାକୁ ଫେରି ଆସିବା ବାଟରେ ସଂନ୍ଧ୍ୟା ହୋଇ ଗଲା । ସେଥି ଲାଗି ତରବରିଆ ଭାବରେ ଆଗକୁ ଆଗକୁ ପାଦ ପକାଉ ଥାଏ । ଏମିତି ଚାଲି ଚାଲି ଆସୁ ଆସୁ ପଥ ମଧ୍ୟରେ ତା’ର ପାଦଟା ଅଟକି ରହି ଗଲା । ସେ ଦେଖିଲା ପଥ ପାଶ୍ୱର୍ରେ ଏକ ଖୁବ୍ ମନୋରମ ପୁଷ୍କରିଣୀ । କିନ୍ତୁ ପୁଷ୍କରିଣୀ ମଧ୍ୟରେ ଖୁବ୍ ସୁନ୍ଦର ନୀଳ ପଦ୍ମ ଗୋଟିଏ ଫୁଟି ମଉଳି ଯିବାକୁ ବସି ଥାଏ । ପୁଷ୍କରିଣୀ ଚତୁଃପାଶ୍ୱର୍ରେ ମୁଗୁନି ପଥରର ପ୍ରାଚୀର । ଆଉ ପୁଷ୍କରିଣୀର ତୁଠଟି କେବଳ ଶଙ୍ଖ ମଲମଲ ପଥର ଦ୍ୱାରା ନିର୍ମାଣ ହୋଇଛି । ଚାରି ପାଶ୍ୱର୍ରେ ଖୁବ୍ ସୁଗନ୍ଧ ଯୁକ୍ତ ଫୁଲ ଗଛ ଗୁଡିଏ ଲଗା ଯାଇଛି । ସୁଲୁ ସୁଲିଆ ପବନ ବହୁଛି । ଏପରି ଏକ ମନୋରମ ସ୍ଥାନ ଆଉ କେଉଁଠାରେ ଅବୋଲକରା ଆଗରୁ ଦେଖି ନଥିଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ