ଦାତା ଓ ମିତ୍ର

ବରେନ୍ଦ୍ର ଯଶପୁରର ଜଣେ ବିଖ୍ୟାତ ବ୍ୟବସାୟୀ ଥିଲେ । ଦିନେ ତାଙ୍କର ପିଲାଦିନର ସାଙ୍ଗ ଶେଷାଦ୍ରି ତାଙ୍କୁ ଦେଖା କରିବାକୁ ଆସିଲେ । ସେ କହିଲେ, “ବନ୍ଧୁ, ମୁଁ ମୋ ଜୀବନରେ ବହୁତ ଧୋକ୍କା ଖାଇଛି । ମତେ ସମସ୍ତେ ଠକିଛନ୍ତି । ଏବେ ମୋର ଅବସ୍ଥା ଏତେ ଖରାପ ଯେ ମୋ ପରିବାର ଚଳାଇବାକୁ ମଧ୍ୟ ମୁଁ ଅକ୍ଷମ । ତୁମେ ଯଦି ମୋତେ ଟିକେ ସାହାଯ୍ୟ କରନ୍ତ ତେବେ ମୁଁ ନିଶ୍ଚୟ ଏ ସଙ୍କଟରୁ ଉଦ୍ଧାର ପାଇଯା’ନ୍ତି ।”

                ଶେଷାଦ୍ରି ପିଲାବେଳୁ ଲାଜୁଆ, ଶାନ୍ତଶିଷ୍ଟ, ମିତଭାଷୀ । କିନ୍ତୁ ବରେନ୍ଦ୍ର ତା’ ପିଲାବେଳୁ ଭାରି ଦୁଷ୍ଟ, ଆଉ ସବୁ ଦୁଷ୍ଟାମୀ କରି ଶେଷରେ ସେ ଶେଷାଦ୍ରିକୁହିଁ ଦୋଷୀ ସାବ୍ୟସ୍ତ କରନ୍ତି । ଶେଷାଦ୍ରି ବନ୍ଧୁର ସମସ୍ତ ଉପଦ୍ରବ ସହ୍ୟ କରି ଯାଉଥା’ନ୍ତି, ବଡ ହେବାରୁ ସେମାନଙ୍କ ଭିତରେ ପରିପକ୍ୱତା ଦେଖାଦେଲା । ବରେନ୍ଦ୍ର ଦୁଷ୍ଟାମୀ ଛାଡି କ୍ରମେ ପାଠ ଓ ଘର କାମରେ ମନ ଦେଲେ । କିଛି ବର୍ଷ ପରେ ବରେନ୍ଦ୍ର ସହରକୁ ଯାଇ ପିଲାପିଲି ଧରି, ବ୍ୟବସାୟ କରି ରହିଲେ । କିନ୍ତୁ ଶେଷାଦ୍ରି ସେମିତି ଗ୍ରାମରେହିଁ ପଡି ରହିଲେ ।

                ଶେଷାଦ୍ରିଙ୍କ କଥା ଶୁଣି ବରେନ୍ଦ୍ର କହିଲେ, “ତୁମପରି ବନ୍ଧୁକୁ ସାହାଯ୍ୟ କରିବି ନାହିଁ ତ ମୁଁ ଆଉ କାହାକୁ କରିବି? ତମେ ଘର ଜମି ସବୁ ବିକ୍ରି କରି କିଛି ଧନ ଧରି ସହରକୁ ଆସିଯାଅ । ଏଇଠି ରହିବ । ମୁଁ ତମକୁ ମୋ ବ୍ୟବସାୟର ଜଣେ ଅଂଶୀଦାର କରିନେବି ।”

                ଶେଷାଦ୍ରି ଗ୍ରାମକୁ ଯାଇ ଖୁବ୍ ଅଳ୍ପଦିନ ମଧ୍ୟରେ ସବୁ ବିକ୍ରି କରିଦେଇ ପିଲାପିଲିଙ୍କୁ ଧରି ସହର ଚାଲି ଆସିଲେ । ବରେନ୍ଦ୍ର ତା’ ପାଇଁ ଘରଟିଏ ଦେଲେ ଓ ମାସିକ ଘର ଖର୍ଚ୍ଚ ହଜାରେ ଟଙ୍କା କରି ଦେଉଥା’ନ୍ତି । ଶେଷାଦ୍ରିଙ୍କ ପରିବାର ଲୋକେ ବରେନ୍ଦ୍ରଙ୍କୁ ଜଣେ ଦେବତା ଭଳି ମାନୁଥା’ନ୍ତି ।

                ଦିନେ ବରେନ୍ଦ୍ର ଶେଷାଦ୍ରିଙ୍କୁ କହିଲେ, “ବନ୍ଧୁ, ଭାବନାହିଁ ଯେ ତମେ ମୋ ପାଖରେ ଚାକିରୀ କରିଛ । ତମେ ମୋ ଅଂଶୀଦାର । ଯଦି ମୋ ବ୍ୟବହାର ବା କଥାବାର୍ତ୍ତାରେ କେଉଁଠି କେବେ କିଛି ଭୁଲ୍ ଦେଖ ତେବେ ମୋତେ ଜଣାଇଦେବ ।”

                କିନ୍ତୁ ଶେଷାଦ୍ରି କେବେ ଭୁଲ୍ରେ ମଧ୍ୟ ବରେନ୍ଦ୍ରଙ୍କୁ କୌଣସି କଥାରେ ଆଦୌ ରାଗୁ ନଥିଲେ, ବରଂ ସର୍ବଦା ବିନୀତ ବ୍ୟବହାର କରୁଥା’ନ୍ତି ।

                ମଣିଷ ଜୀବନର ଭଲ ଓ ଖରାପ ଦୁଇଦିଗ ବିଷୟରେ ଶେଷାଦ୍ରି ବହୁତ ସଚେତନ ଥିଲେ । ତେଣୁ ନଗରର ଅନେକ ଲୋକଙ୍କୁ ସେ ସେମାନଙ୍କର ସମସ୍ୟା ସବୁ ସମାଧାନ କରିବା ଦିଗରେ ସାହର୍ଯ୍ୟ କରୁଥା’ନ୍ତି । ଅତି ଅଳ୍ପ ସମୟରେ ସେ ନିଜର ସଦ୍ଗୁଣ ଓ ବୁଦ୍ଧି ଯୋଗୁଁ ଜନପ୍ରିୟ ହୋଇ ଉଠିଲେ ।

                ବରେନ୍ଦ୍ର ଏସବୁ ଶୁଣି ଟିକିଏ ଆଶ୍ଚର୍ଯ୍ୟ ହେଲେ ଓ ଦିନେ କହିଲେ, “ମିତ୍ର, ମୁଁ ଜାଣି ନଥିଲି କି ତୁମ ଭିତରେ ଏତେ ଗୁଣ ଥିଲା! ତମେ ମୋର ତୃଟି ସବୁକୁ ସୁଧାରିବା ପାଇଁ କାହିଁ କେବେ ତ କିଛି ହେଲେ କହୁନାହଁ?”

                ଶେଷାଦ୍ରି କହିଲେ “ତୁମ ଭିତରେ ସେମିତି କିଛି ତୃଟି ଥିଲେ ମୁଁ ନିଶ୍ଚୟ କହନ୍ତି ।”

                ଶେଷାଦ୍ରିର କଥା ଶୁଣି ବରେନ୍ଦ୍ରଙ୍କ ମନ ଗର୍ବରେ ଫୁଲି ଉଠିଲା ।

                ଥରେ ଗୋଟିଏ ଘଟଣା ଘଟିଲା । ବରେନ୍ଦ୍ରର ବଡ ପୁଅ ଶେଖର ଜଣେ ଗରିବ ଘରର ଝିଅକୁ ବିବାହ କରିବା ପାଇଁ ମନ କଲା । କିନ୍ତୁ ବରେନ୍ଦ୍ର ସେ ବିବାହରେ ଅନୁକୁଳ ମତ ଜମା ଦେଲେ ନାହିଁ । ଶେଖର ଘର ଛାଡି ଚାଲିଯିବାର ଧମକ ଦେଲା ।

ଏଇ କଥା ଉପରେ ଦିନେ ବରେନ୍ଦ୍ର ଶେଷାଦ୍ରିଙ୍କୁ କହିଲେ, “ଶେଖର ଘର ଛାଡି ଚାଲିଯିବାକୁ ଚାହୁଁଛି ତ ଚାଲିଯାଉ । ଥରେ ବାହାରେ ଯାଇ କଷ୍ଟ ପାଇଲେ ପୁଅ ଠିକ୍ ବୁଝିବ, ବାପା ପଇସାରେ ବାହାଦୁରି ଦେଖାଇବାର ଅର୍ଥ ।” କିନ୍ତୁ ଶେଷାଦ୍ରି ନୀରବ ରହିଲେ ।

ସେହି ସହରରେ ଅନ୍ୟ ଜଣେ ବିଖ୍ୟାତ ଧନୀ ବ୍ୟବସାୟୀ ଥା’ନ୍ତି । ତାଙ୍କ ନାମ ଧନଗୁପ୍ତ । ତାଙ୍କ ଘରେ ମଧ୍ୟ ସେହି ଏକହିଁ ସମସ୍ୟା । କିନ୍ତୁ ଧନଗୁପ୍ତ ଗରୀବ ଝିଅଟିକୁ ବୋହୁ କରି ଘରକୁ ନେଇ ଆସିଲେ । ସେ ଏପରି କାହିଁକି କଲେ ତାହା ବୁଝିବା ପାଇଁ ବରେନ୍ଦ୍ର ଧନଗୁପ୍ତଙ୍କ ଘରେ ଯାଇ ପହଁଚିଲେ ।

ଧନଗୁପ୍ତ କହିଲେ, “ଦେଖ ଭାଇ, ଥରେ ମନ ଫାଟିଗଲେ ତାକୁ ପୁଣି ଆଉଥରେ ଯୋଡିବା ବଡ କଷ୍ଟ । ତମେ ଯଦି ପୁଅ ବୋହୁଙ୍କୁ ସ୍ୱୀକାର କରିନେବ ତ ସେମାନେ ସାରା ଜୀବନ ତୁମପ୍ରତି କୃତଜ୍ଞ ହୋଇ ରହିବେ । ତୁମର ସେବାବି କରିବେ । କିନ୍ତୁ ଏବେ ଧର ତୁମ ପୁଅ ଘରଛାଡି ଚାଲିଯିବ; ତଦ୍ୱାରା ତମେ ସିନା ତମ ଜିଦ୍ରେ ଅଟଳ ରହିବ, ହେଲେ ତା’ ମା’ର ମନ ଭାଙ୍ଗି ପଡିବ । ଏଣେ ପୁଅର ମନବି ଭାଙ୍ଗିବ । ଯଦି ସୁଖଶାନ୍ତି ନ ମିଳିଲା ତେବେ ଏତେ ଧନ ସମ୍ପତ୍ତି ଥାଇ କ’ଣ ବା ଲାଭ?”

ଧନଗୁପ୍ତଙ୍କ କଥା ଶୁଣି ବରେନ୍ଦ୍ରଙ୍କ ମନ ଟିକେ ହାଲୁକା ହୋଇଗଲା । ସେ କହିଲେ, “ଭାଇ ଧନଗୁପ୍ତ, ତମେ ଖୁବ୍ ବିଚାରବନ୍ତ ଲୋକ । ବିଚାର ପରାମର୍ଶ ଯୋଗୁଁ ଜନପ୍ରିୟ ହୋଇଥିବା ମୋର ବନ୍ଧୁ ଶେଷାଦ୍ରି ମଧ୍ୟ ଏଭଳି କଥା ଦିନେହେଲେ ମୋତେ କହିନାହିଁ ।”

ଧନଗୁପ୍ତ ଆଶ୍ଚର୍ଯ୍ୟ ହୋଇ କହିଲେ, “ଇଏ କ’ଣ କହୁଛ? ଏ ବିଚାର ତ ମୋର ନୁହେଁ । ଏହା ତ ଶେଷାଦ୍ରିଙ୍କର ପରାମର୍ଶ ।”

ଧନଗୁପ୍ତଙ୍କ କଥା ଶୁଣି ବରେନ୍ଦ୍ରଙ୍କର ମଥା ହଠାତ୍ ଘୁରିଗଲା । ସେ ତୁରନ୍ତ ଘରକୁ ଫେରି ଆସିଲେ । ସେ ଚାହୁଁଥିଲେ ସଙ୍ଗେ ସଙ୍ଗେ ଶେଷାଦ୍ରିଙ୍କୁ ଡାକି ପଚାରିବେ । ପୁଣି ଭାବିଲେ, “ଶେଷାଦ୍ରି ଅତି ଗରିବ ଅବସ୍ଥାରେ ତାଙ୍କ ପାଖକୁ ଆସିଥିଲା । ତା’ ମନରେ ଆଉ ଇର୍ଷ୍ୟା ଭାବ ହୋଇନାହିଁ ତ? ସେ ସମସ୍ତଙ୍କୁ ସତ୍ ପରାମର୍ଶ ଦେଉଛି କିନ୍ତୁ ତାଙ୍କର କିଛି ପରାମର୍ଶ ଦରକାର ହେଲେ ସେ କାହିଁକି ନୀରବ ରହିଯାଏ?” ଏସବୁ ଭାବି ତାଙ୍କ ମନ ବହୁତ ବ୍ୟସ୍ତ ଥାଏ । ଦୁଇଦିନ ପରେ ତାଙ୍କର କୁଳଗୁରୁ ସ୍ୱାମୀ ସଦାନନ୍ଦ ଆସି ସେଠାରେ ପହଁଚିଲେ । ସେ ଯେତେଦିନ ରହନ୍ତି ବରେନ୍ଦ୍ର ଖୁବ୍ ମନଦେଇ ତାଙ୍କର ସେବା ସତ୍କାର କରନ୍ତି ଓ ନିଜର ସମସ୍ୟା ସବୁ ଉପସ୍ଥାପିତ କରନ୍ତି । ଏଥରକ ସେ ପୁଅ କଥା ଓ ଶେଷାଦ୍ରିଙ୍କର ଆଶ୍ଚର୍ଯ୍ୟ ବ୍ୟବହାର କଥା କହିଲେ ।

ସଦାନନ୍ଦ କହିଲେ, “ତମେ ଯାହା ଭାବିଛ ତାହା ଠିକ୍ ନୁହେଁ । ଆଜି ଏଠାକୁ ଆସିବାକୁ ଶେଷାଦ୍ରିହିଁ ମୋ ପାଖକୁ ଖବର ପଠାଇଥିଲା । କାରଣ ତମେ କୌଣସି ସମସ୍ୟାରେ ପଡିଛ ।”

ବରେନ୍ଦ୍ର ରାଗ ଓ ଦୁଃଖରେ କହିଲେ, “ସ୍ୱାମିଜୀ, ଯେଉଁ ସମସ୍ୟା ସେ ନିଜେ ସମାଧାନ କରି ପାରିଥା’ନ୍ତା, ସେଥିପାଇଁ ସେ ଆପଣଙ୍କୁ କାହିଁକି ଡାକି ପଠାଇଲା?”

ସଦାନନ୍ଦ ହସି ହସି କହିଲେ, “ତମେ ଯେତେବେଳେ ବଡ ଧନୀ ସେତେବେଳେ ସେ ଗରୀବ ହୋଇ ତୁମ ପାଖକୁ ଆସିଥିଲା । ତମେ ତାକୁ ସାହାଯ୍ୟ କରି ତା’ର ଅବସ୍ଥାରେ ପରିବର୍ତ୍ତନ କରିଦେଇଛ । ସେଥିପାଇଁ ସେ ସଙ୍କୋଚ କରି କିଛିବି କହେନାହିଁ ।”

ବରେନ୍ଦ୍ର ରାଗିଯାଇ କହିଲେ, “ସାହାଯ୍ୟ ନେବାବେଳେ ତ ସଙ୍କୋଚ କଲାନାହିଁ ଆଉ ପରାମର୍ଶ ଦେବାବେଳେହିଁ ସଙ୍କୋଚ କରୁଛି?”

ସଦାନନ୍ଦ ବୁଝାଇ କହିଲେ “ତୁମେ ତାହାର ସାହାଯ୍ୟକାରୀ ହୁଅ ବା ଦାତା ହୁଅ ସେ ଯଦି ବନ୍ଧୁ ଭାବରେ ତୁମକୁ ପରାମର୍ଶ ଦେଇ ନ ପାରିଲା ସେଇଟା ତା’ର ନୁହେଁ, ବରଂ ତୁମର ଦୋଷ । ତୁମେ ସେଇ ପୂର୍ବ ସମ୍ପର୍କ ରଖି ପାରିନାହଁ ବୋଲି ସେ ସଙ୍କୋଚ କରୁଛି ।”

କ୍ରମେ ବରେନ୍ଦ୍ର ବୁଝିଲେ କି ସେ ଶେଷାଦ୍ରି ସହିତ ଦାତା ବା ସାହାଯ୍ୟକାରୀ ଭାବରେ ବ୍ୟବହାର କରିଛନ୍ତି, ବନ୍ଧୁ ଭାବରେ ନୁହେଁ । ସେ ନିଜର ଭୁଲ୍ ବୁଝିପାରି ଗୁରୁଙ୍କୁ ପ୍ରଣାମ କରି କହିଲେ, “ଆପଣଙ୍କ ଦୟାରୁ ଆଜି ମୋର ଆଖି ଖୋଲିଗଲା ।”

ତା’ ପରଠାରୁ ସେ ଦୁହେଁ ପିଲାବେଳ ପରି ମିତ୍ର ଭାବରେହିଁ ଚଳିଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ