ବାଘ

ଆନନ୍ଦବର୍ଦ୍ଧନଙ୍କ ଏହି ସର୍ତ୍ତକୁ ଶଶୀଧର ବି ମାନିଗଲେ । ଚାହୁଁ ଚାହୁଁ ଖଡ୍ଗ ଯୁଦ୍ଧ ଆରମ୍ଭ ହୋଇଗଲା । ବହୁ ସମୟ ଧରି ସେମାନଙ୍କର ଏହି ଯୁଦ୍ଧ ଚାଲିଲା । କ୍ରମେ ଆନନ୍ଦବର୍ଦ୍ଧନ ନିସ୍ତେଜ ହୋଇ ପଡିଲେ । ଏଣେ ଶଶୀଧର ବେଶି ଉତ୍ସାହରେ ତଲବାର ଚଳାଇଲେ । ହଠାତ୍ ନିଜକୁ ବଂଚାଇବା ପାଇଁ ଆନନ୍ଦବର୍ଦ୍ଧନ ଢାଲଟି ଟେକି ଧରିଲେ ଓ ସେଥିରେ ଶଶୀଧରଙ୍କ ଖଣ୍ଡା ବାଜି ତାହା ଦୂରକୁ ଛିଟକି ଗଲା ଓ ତାଙ୍କ ହାତରେ ଆଘାତ ଲାଗିଲା ।

ଜିତିବାକୁ ଯାଉଥିବା ଲୋକ, ଅଳ୍ପକେ ହାରିଗଲେ ବୋଲି କହିଲେ ଚଳେ । ଯୁଦ୍ଧ ସ୍ଥଗିତ ରଖାଗଲା । ସେହିଦିନଠାରୁ ଶଶୀଧର ରତ୍ନଗିରି ରାଜ୍ୟ ସହିତ ରାଜା ଆନନ୍ଦବର୍ଦ୍ଧନଙ୍କୁ ମଧ୍ୟ ନିଜର ଶତ୍ରୁ ଭାବରେ ଦେଖନ୍ତି । ଆଉ ଏବେ ସେ କିପରି ଔଷଧ ପାଇଁ ସେଠାକୁ ଲୋକ ପଠାଇବେ ।

ରାଜାଙ୍କୁ ଏଭଳି ଚିନ୍ତାଗ୍ରସ୍ଥ ହେବାର ଦେଖି ରାଣୀ ତାଙ୍କୁ କହିଲେ, “ମହାରାଜ, ଏବେ ବାଘ ପାଇଁ ବିପଦ ପଡିଛି; ଏ ସମୟରେ ପୂର୍ବକଥା, ଯିଦି, ଶତୃତା ଏସବୁ ଆମକୁ ଭୁଲି ଯିବାକୁ ହେବ । ଆନନ୍ଦବର୍ଦ୍ଧନଙ୍କ ଉଦ୍ୟାନରୁ ଯେପରି ହେଉ ପଛେ ଆମକୁ ସେ ଔଷଧକୁ ଆଣିବାକୁ ହେବ । ବାଘକୁ ବଂଚାଇବାକୁ ହେବ । ତାକୁ ଜୀବିତ ରଖିବା ଅବଶ୍ୟ ଆମର ଧର୍ମ । ସେହି ବାଘଟି ଆମ ସ୍ନେହର ଏକ ପ୍ରତୀକ ।”

ରାଣୀଙ୍କ କଥାଶୁଣି କିଛିସମୟ ଭାବିବା ପରେ ରାଜା କହିଲେ, “ରତ୍ନଗିରି ରାଜ୍ୟକୁ ଆକ୍ରମଣ କରି ବିଜୟଲାଭ କରି, ଔଷଧକୁ ହସ୍ତଗତ କଲେ କିପରି ହୁଅନ୍ତା?”

ତହୁଁ ସେ ରାଣୀ କହିଲେ, “ମହାରାଜ, କୁହାଯାଏ ଯୁଦ୍ଧରେ ଜୟ ପରାଜୟ ଦୈବର ଅଧୀନ । ଆପଣ ହାରିଗଲେ କ’ଣ ହେବ? ଆଚ୍ଛା ଯଦିବା ଜିତିବେ, ତେବେ ଔଷଧ ଯେ ପାଇବେ ତା’ର ସଠିକତା କିଛି ନାହିଁ । ପୁଣି ଦୁଇପକ୍ଷରେ ଅସଂଖ୍ୟ ଲୋକ କେବଳ ରାଜାଙ୍କ ଖିଆଲ୍ ଯୋଗୁଁ ମୃତ୍ୟୁବରଣ କରିବେ । ସେ ପାପ ବି ତ ଶେଷରେ ଆମକୁହିଁ ଲାଗିବ ନା? ପୁଣି ବାଘଟା ପାଇଁ ଏତେ ଘଟଣା ଏକ ହାସ୍ୟାସ୍ପଦ କଥା ମାତ୍ର ହେବ ।”

ରାଜା ପଚାରିଲେ “ଆଚ୍ଛା, ଏବେ ତୁମେ କୁହ ବାଘକୁ କିପରି ରୋଗରୁ ରକ୍ଷା କରା ହେବ?” ପ୍ରତ୍ୟୁତ୍ତରରେ ରାଣୀ ଗିରିଜାଦେବୀ ଅଳ୍ପ ହସି ବଡ କୋମଳ ସ୍ୱରରେ କହିଲେ, “ମହାରାଜ, ଆପଣ ଯଦି ବିରକ୍ତ ନହେବେ ତେବେ କଥାଟିଏ କହିବି । ଆମର ଜ୍ୟେଷ୍ଠପୁତ୍ର ଯୁବରାଜ ଦୀପ୍ତିଶେଖର ଓ ଆନନ୍ଦବର୍ଦ୍ଧନଙ୍କ ଝିଅ ରାଜକୁମାରୀ ଚନ୍ଦନା ଏ ଦୁହେଁ ପରସ୍ପରକୁ ମନେମନେ ବିବାହ କରିବାକୁ ସ୍ଥିର କରିଛନ୍ତି । ଆପଣଙ୍କର ଏପ୍ରକାର ମନୋଭାବ ଦେଖି ମୁଁ ଏହି ସତ୍ୟକୁ ଲୁଚାଇ ରଖିଛି । ଆପଣ ଏକଥାରେ ଅମତ ନହେଲେ, ଏହି ଶୁଭକାର୍ଯ୍ୟ ଯଥାଶୀଘ୍ରହିଁ ସମ୍ପନ୍ନ ହେବ ଏବଂ ଆମେ ଆମ ବାଘ ପାଇଁ ଉପଯୁକ୍ତ ଔଷଧ ମଧ୍ୟ ପାଇ ପାରିବା ।”

ଏପରି ଅପ୍ରତ୍ୟାଶିତ କଥା ଶୁଣି ଶଶୀଧର କହିଲେ, “ଅସମ୍ଭବ, ମୋ ଶତୃ ସହିତ ବନ୍ଧୁ ସମ୍ପର୍କ ରଖିବାକୁ କହୁଛ? ମୋର ଶେଷ ନିଶ୍ୱାସ ଥିବା ପର୍ଯ୍ୟନ୍ତ ମୁଁ ନିଶ୍ଚୟ ଏହାର ପ୍ରତିବାଦ କରିବି ।”

ରାଣୀ ତ ଆଉ ଏତେ ସହଜରେ ହାରିଯିବା ଲୋକ ନୁହଁନ୍ତି; ସେ କହିଲେ, “ମହାରାଜ, ବାଘର ବାସସ୍ଥାନ ହେଉଛି ଜଙ୍ଗଲ । ତା’ର ସ୍ୱଭାବ କ୍ରୁର । କିନ୍ତୁ ମନୁଷ୍ୟମାନଙ୍କ ସହିତ ସେ ରହି ସାଧୁପରି ବ୍ୟବହାର କରୁଛି, ନିଜର କ୍ରୁରତା ଓ ପଶୁପ୍ରବୃତ୍ତି ସେ ସମ୍ପୂର୍ଣ୍ଣରୂପେ ଭୁଲି ଗଲାଣି । ଯଦି ସାଧାରଣ ପଶୁ ଭିତରେ ଏତେ ପରିବର୍ତ୍ତନ ସମ୍ଭବ, ତେବେ ଆମ ଭିତରେ କ’ଣ ଅଳ୍ପ ପରିବର୍ତ୍ତନ ସମ୍ଭବ ନୁହେଁ? ଆମେ ପରା ମଣିଷ ଜନ୍ମ ପାଇଛୁ । ପୁଣି ଆମ ମଧ୍ୟରେ ଜ୍ଞାନ, ବିଦ୍ୟା, ଶକ୍ତି, ବିବେକ୍, ବୁଦ୍ଧି ଭରପୁର ହୋଇ ଅଛି । ଆପଣ ପୁଣି ରାଜା, ଦେଶର ଓ ପ୍ରଜାଙ୍କର ରକ୍ଷାକର୍ତ୍ତା । ଅକାରଣରେ ଦେଶ ଆକ୍ରମଣ କରି ଜନହତ୍ୟା କରି ପାପଅର୍ଜନ କରିବାର ଆବଶ୍ୟକତା ବା କେଉଁଠି? ଏପରି କରିବା ଦ୍ୱାରା ତ ଆମେ ନିଜ ଭିତରେ ପଶୁପ୍ରବୃତ୍ତିକୁହିଁ ପ୍ରକଟ କରିବା । ମୋ କଥା ଆପଣଙ୍କୁ ଶୁଣିବାକୁ ବହୁତ ଖରାପ୍ ଲାଗୁଥିବ, ତେଣୁ କ୍ଷମା କରନ୍ତୁ । ଆପଣ ତ ବାଘଛୁଆର ମା’କୁ ମାରିଥିଲେ ସେଥିପାଇଁ କ’ଣ ସେ ପ୍ରତିଶୋଧ ନେବାକୁ ଚାହୁଁଛି? ଆପଣ ପୂର୍ବକଥାକୁ ନେଇ ରହିଛନ୍ତି, କ୍ଷମା ଦେଇ ପାରୁ ନାହାଁନ୍ତି? ଏହି କଥା ଭାବି ମୋତେ ଯେତିକି ଆଶ୍ଚର୍ଯ୍ୟ ଲାଗୁଛି, ସେତିକି ଦୁଃଖ ମଧ୍ୟ ଲାଗୁଛି ।”

ରାଣୀଙ୍କ କଥା ରାଜାଙ୍କ ମନକୁ ବହୁତ ପ୍ରଭାବିତ କଲା । ଅଳ୍ପ ସମୟ ଚିନ୍ତା କରିବା ପରେ ସେ ରାଜା ଦୀର୍ଘଶ୍ୱାସ ପକାଇ କହିଲେ, “ଠିକ୍ ଅଛି । ଆନନ୍ଦବର୍ଦ୍ଧନଙ୍କର ଏଥିରେ କୌଣସି ଆପତ୍ତି ନଥିଲେ ବିବାହର ବନ୍ଦୋବସ୍ତ କର । ମାତ୍ର ତା’ପୂର୍ବରୁ ସେଠାରୁ ଯେପରି ଔଷଧ ମଗାଇ ବାଘକୁ ଚିକିତ୍ସା କରାଯାଏ ।” ତା’ପରେ ସେ ରତ୍ନଗିରିକୁ ପଠାଇବାକୁ ଜଣେ ଦୂତକୁ ଡାକିବାକୁ କହିଲେ ।

ଇତିମଧ୍ୟରେ ପଶୁବୈଦ୍ୟ ରାଜାଙ୍କ ନିକଟକୁ ଆସି କହିଲେ, “ମହାରାଜ, କ୍ଷମା କରନ୍ତୁ ମୁଁ ଆପଣଙ୍କୁ ମିଥ୍ୟା କହିଥିଲି । ମୋ ପାଖରେ ଥିବା ଔଷଧରେ ବାଘ ଭଲ ହୋଇଯିବ । ଆପଣଙ୍କ ମଧ୍ୟରେ ପରିବର୍ତ୍ତନ ଆଣିବା ପାଇଁ ରତ୍ନଗିରି ଓ ମଣିପୁର ମଧ୍ୟରେ ବନ୍ଧୁତା ସ୍ଥାପନ କରିବାକୁ, ଦୁଇ ରାଜ୍ୟର ପ୍ରଜା ଯେପରି ସୁଖୀ ଓ ସମ୍ପନ୍ନ ହୁଅନ୍ତୁ, ଏହିସବୁ ବିଷୟକୁ ମନରେ ରଖି ମହାରାଣୀ ଏପରି ଯୋଜନା କରି ମୋ ଦ୍ୱାରା କାର୍ଯ୍ୟକାରୀ କରାଇ ଥିଲେ । ସେଥିପାଇଁ ମୋତେ କ୍ଷମା କରନ୍ତୁ ।”

ତାଙ୍କର ସମସ୍ତ କଥା ଶୁଣି ଶଶୀଧର ଅଳ୍ପ ହସି କହିଲେ, “ମହାରାଣୀଙ୍କୁ ତ ମୁଁ ପରେ ପୁରସ୍କାର ଦେବି । କିନ୍ତୁ ତୁମକୁ ମୁଁ ଯାହା ଦେଖିଲି ତୁମେ କେବଳ ପଶୁ ବୈଦ୍ୟ ନୁହଁ, ମଣିଷ ମଧ୍ୟରେ ଥିବା ପଶୁ ପ୍ରବୃତ୍ତିକୁ ବି ଉପଶମ କରାଇବାରେ ଦକ୍ଷ, ସେଥିପାଇଁ ତୁମକୁ ମୁଁ ଏବେହିଁ ପୁରସ୍କାର ଦେଉଛି ।” ଏହା କହି ସେ ରାଜା ତୁରନ୍ତ ନିଜ ଗଳାରୁ ରତ୍ନହାର କାଢି ପଶୁବୈଦ୍ୟଙ୍କୁ ତାହା ସେ ପୁରସ୍କାର ସ୍ୱରୂପ ଦେଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ