ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ବୈରାଗ୍ୟ

ମହାରାଜା ମହାଜନକ ସନ୍ନ୍ୟାସ ଜୀବନ ଯାପନ କରିବା ଉଦ୍ଧେଶ୍ୟରେ ରାଜପ୍ରସାଦ ଛାଡି ଏକ ବଗିଚାରେ ଛୋଟ ଘରଟିଏ ବନାଇ ରହିଲେ । ସେ କଥାବାର୍ତ୍ତା ମଧ୍ୟ ପ୍ରାୟ ବନ୍ଦ କରିଦେଲେ । କିଛିଦିନ ପରେ ଦିନେ ସେ ତାଙ୍କ ସେବକକୁ ଡାକି କହିଲେ, “ମୋ ପାଇଁ କିଛି ଗେରୁଆ ବସ୍ତ୍ର ଓ ମାଟିର ଏକ ଭିକ୍ଷାପାତ୍ର ନେଇ ଆସ । ଆଉ ଗୋଟିଏ ବାରିକ ମଧ୍ୟ ଡାକି ଆଣିବୁ ।” ବାରିକ ଆସି ତାଙ୍କ ମୁଣ୍ଡ ଲଣ୍ଡା କରିଦେଲା ଓ ସେ ଗେରୁଆ ବସ୍ତ୍ର ପିନ୍ଧି ମାଟି ପାତ୍ରଟି ଧରି ଘର ଛାଡିଲେ । ତାଙ୍କୁ କେହିବି ଚିହ୍ନି ପାରିଲେ ନାହିଁ ।

                କିଛି ସମୟ ପରେ ରାଣୀ ସିବଳୀ ଦେବୀ ବହୁତ ଖୋଜାଖୋଜି କରି ରାଜାଙ୍କୁ ନ ପାଇବାରୁ ରାଜାଙ୍କ ସେବକକୁ ଧରି ଆଣି ତାକୁ ସେ ବିଷୟରେ ପଚାରିଲେ । ସେ ସବୁକଥା ଖୋଲି କହିଦେଲା । ଏସବୁ କଥା ଶୁଣି ସିବଳୀ ଦେବୀ ଓ ଅନ୍ୟାନ୍ୟ ରାଣୀମାନେ ଖାଲି କ୍ରନ୍ଦନ କରିବାକୁ ଲାଗିଲେ । ତା’ପରେ ଯେଉଁ ଦିଗକୁ ମହାଜନକ ଯାଇଥିଲେ ସେଇ ଦିଗକୁ ଲକ୍ଷ୍ୟ କରି ରାଣୀମାନେ ଓ ପ୍ରଜାମାନେ ଚାଲିବାକୁ ଲାଗିଲେ । ବହୁ ରାସ୍ତା ଚାଲିବା ପରେ ସେମାନେ ମହାଜନକଙ୍କୁ ସନ୍ନ୍ୟାସୀ ବେଶରେ ଗୋଟିଏ ବୃକ୍ଷ ଛାୟାରେ ବିଶ୍ରାମ କରୁଥିବାର ଦେଖିଲେ । ସେମାନେ ତାଙ୍କୁ ଲେଉଟିବାକୁ ବହୁ ଅନୁରୋଧ କଲେ । କିନ୍ତୁ ସେକଥା ସେ ଯମାରୁ ସ୍ୱୀକାର କଲେ ନାହିଁ ।

                ଇତିମଧ୍ୟରେ ରାଣୀ ମନ୍ତ୍ରୀଙ୍କୁ ଗୁପ୍ତରେ ଅଦୂରରେ ରାଜ୍ୟର କେତେକ ପରିତ୍ୟକ୍ତ ଘରମାନଙ୍କରେ ନିଆଁ ଲଗାଇ ଦେବାକୁ କହିଲେ । ନିଆଁ ଜଳିଲା । ରାଣୀ କହିଲେ, “ଦେଖନ୍ତୁ ଆପଣଙ୍କ ସମ୍ପତ୍ତି ଜଳିପୋଡି ଛାରଖାର ହୋଇ ଯାଉଛି, ଚାଲନ୍ତୁ ସେଗୁଡିକୁ ରକ୍ଷା କରିବେ ।”

                ରାଜା ଉତ୍ତର ଦେଲେ “ମୋର ସମ୍ପତ୍ତି ବୋଲି ଏବେ କିଛି ନାହିଁ । ତେଣୁ ରକ୍ଷା କରିବାର ପ୍ରଶ୍ନ କିପରି ବା ଉଠୁଛି?”

                ତା’ପରେ ରାଜା ପୁଣି ଚାଲିବାକୁ ଲାଗିଲେ । ରାଣୀ ଓ ପ୍ରଜାମାନେ ମଧ୍ୟ ତାଙ୍କ ପଛେ ପଛେ ସେମିତି ଚାଲିଥା’ନ୍ତି । ବହୁତ ଦୂର ଯିବା ପରେ ରାଜା ପଛକୁ ଅନାଇ ଦେଖିଲେ ସମସ୍ତେ ଆଗପରି ଚାଲିଛନ୍ତି । ରାଜା ପ୍ରଶ୍ନ କଲେ, “ଏ ରାଜ୍ୟର ରାଜା କିଏ?”

ସମସ୍ତେ ଏକ ସ୍ୱରରେ ଉତ୍ତର ଦେଲେ, “ଆପଣ ।” ତା’ପରେ ରାଜା ତାଙ୍କ ହାତରେ ଥିବା ବାଡିରେ ଗାରଟିଏ କାଟିଦେଇ କହିଲେ, “ତେବେ ମୋର ଆଦେଶ କେହିବି ଏ ଗାର ଡେଇଁ ଏପଟକୁ ଆସିବ ନାହିଁ । ଏହିଠାରୁହିଁ ସମସ୍ତେ ଫେରିଯାଅ ।”

ସମସ୍ତେ ସେଇଠି ଅଟକି ଗଲେ । କିନ୍ତୁ ରାଣୀ ଗାର ଡେଇଁ ତାଙ୍କ ପାଖକୁ ଚାଲିଗଲେ । ତାଙ୍କ ପରେ ପ୍ରଜାମାନେ ମଧ୍ୟ ଗାର ଡେଇଁ ଆସିଲେ ।

ରାଣୀ କହିଲେ, “ମହାରାଜ, ଆପଣ ମୋତେ ଓ ପ୍ରଜାମାନଙ୍କୁ ଥରେ ଦେଖନ୍ତୁ । ଆମେ ସମସ୍ତେ କିପରି ବ୍ୟାକୁଳ ହୋଇ ଆପଣଙ୍କୁ ଲେଉଟି ଯିବା ପାଇଁ କହୁଛୁ ।”

ମହାଜନକ ଉତ୍ତର ଦେଲେ “ମୁଁ ସମସ୍ତଙ୍କୁ ତ୍ୟାଗ କରିଛି । ସ୍ତ୍ରୀ, ପୁତ୍ର, ପ୍ରଜା, ରାଜ୍ୟ ଏମିତିକି ସବୁ କିଛି ।”

                ରାଣୀ କାନ୍ଦି କାନ୍ଦି କହିଲେ “ମହାରାଜ ଆପଣ ସନ୍ନ୍ୟାସୀ ହେଲେ ମୋର ଦଶା କ’ଣ ହେବ?”

                ରାଜା କହିଲେ “ତମେ ଘରକୁ ଫେରିଯାଇ ପୁତ୍ରକୁ ରାଜସିଂହାସନରେ ବସାଇ ଦେଶ ଶାସନ କର । ପୁଅ ଯେପରି ସତ୍ୟବନ୍ତ ଓ ନିଷ୍ପାପ ରହେ ତାହାର ପ୍ରଯତ୍ନ କର ।”

                ସେଦିନ ଏମିତି ଭାବରେ କଥାବାର୍ତ୍ତା କରୁ କରୁ ସଂଧ୍ୟା ହୋଇଗଲା । ସେଠାରେ ସେମାନେ ଛାଉଣୀ ପକାଇ ରହିଲେ । ରାତ୍ରି ପ୍ରଭାତ ହୁଅନ୍ତେ ରାଜା ପୁଣି ତାଙ୍କର ଯାତ୍ରା ଆରମ୍ଭ କଲେ । ରାଣୀ ସିବଳୀ ଦେବୀ, ଅନ୍ୟ ରାଣୀ ଓ ପ୍ରଜାମାନଙ୍କୁ ପଛରେ ରଖି ନିଜେ ରାଜାଙ୍କ ସହିତ ଚାଲିଲେ ।

                ସେମାନେ ଯାଇ ଯାଇ ଏକ ଜନପଦରେ ପହଁଚିଲେ । ସେଠାରେ ଗୋଟିଏ ଝିଅ ଚାଉଳ ବାହାର କରିବା ପାଇଁ ଧାନ ଛେଚୁଥାଏ । ତା’ର ଗୋଟିଏ ହାତରେ ପଟେ ଚୁଡି ଓ ଅନ୍ୟ ହାତରେ ଦୁଇପଟ ଚୁଡି ଥାଏ । ଝିଅଟି ଧାନ ଛେଚିବା ବେଳେ ଦୁଇପଟ ଚୁଡି ପରସ୍ପର ଲାଗି ଝଣଝଣ ଶବ୍ଦ କରୁଥାଏ ।

                ରାଜା ସେହି ଦୃଶ୍ୟ ଦେଖି ଝିଅଟିକୁ ପଚାରିଲେ, “ତୁମର ଗୋଟିଏ ହାତରେ ଚୁଡି କିପରି ଶବ୍ଦ କରୁଛି, ଅନ୍ୟ ହାତରେ ତ କରୁନାହିଁ!”

                ଝିଅଟି କହିଲା, “ପଟେ ଚୁଡି ହାତରେ ରହିଲେ ଭଲ । ଦୁଇଟି ରହିବାରୁ ଅଯଥା ଶବ୍ଦ ହୁଏ ଓ ଦ୍ୱିତୀୟଟି ମଧ୍ୟ ଅନାବଶ୍ୟକ ।”

                ରାଜା କହିଲେ “ଦେଖିଲ, ଛୋଟ ଝିଅଟିର କଥାରେ ମହାନ୍ ଦର୍ଶନ ଅଛି । ରାଣୀ, ପ୍ରକୃତ ଦୃଷ୍ଟିରୁ ତମେ ମୋ ଜୀବନ ପାଇଁ ଓ ମୁଁ ତୁମ ଜୀବନ ପାଇଁ ଅନାବଶ୍ୟକ । ଏକଥା ହୃଦୟଙ୍ଗମ କରିବା ପରେ ତମେ ଯଦି ପୁଣି ମୋ ସହିତ ଆସ ତେବେ ଅଯଥା ତର୍କ କରିବା ସାର ହେବ ସିନା । ଏଇଠାରୁ ଫେରିଯାଅ ।”

                ରାଣୀ ସେଠାରେ ଏକ ମୁହୂର୍ତ୍ତ ପାଇଁ ଟିକିଏ ଅଟକି ଗଲେ । କିନ୍ତୁ ପର ମୁହୂର୍ତ୍ତରେ ପୁଣି ସ୍ୱାମୀଙ୍କ ପାଖରେ ଆସି ସେ ପହଁଚିଲେ ଓ ତାଙ୍କ ସହିତ ଚାଲିବାକୁ ଲାଗିଲେ । ବାଟରେ ଯାଉ ଯାଉ ଗୋଟିଏ କମାରଶାଳ ପଡିଲା । କମାର ଲୁହାର ସବୁ ହତିଆର ତିଆରି କରୁଥାଏ । ଗୋଟିଏ ନୂଆ ତୀର ହାତରେ ଧରି ସେ ତା’ର ଧାର ଯାଂଚ କରୁଥାଏ । ଗୋଟିଏ ଆଖି ବୁଜି ଓ ଅନ୍ୟଟିରେ ଧାର ପରୀକ୍ଷା କରି ଦେଖୁଥାଏ ।

                ରାଜା ତାକୁ ପଚାରିଲେ, “ଗୋଟିଏ ଆଖିରେ କିପରି ଧାର ପରୀକ୍ଷା କରୁଛ ।”

                କମାର କହିଲା, “ଧାର ପରୀକ୍ଷା ପାଇଁ ଗୋଟିଏ ଆଖି ଆବଶ୍ୟକ । ସେ କାମରେ ଅନ୍ୟ ଆଖିଟି ନିରର୍ଥକ ।”

                ରାଜା ରାଣୀଙ୍କୁ କହିଲେ, “ରାଣୀ, ଦେଖ, ତୁମେ ଏ କଥାରୁ କିଛି ବୁଝିଲ? ମୋର ବର୍ତ୍ତମାନର ଜୀବନ ଯାତ୍ରାରେ ତୁମର ଉପସ୍ଥିତି ନିରର୍ଥକ । ଘରକୁ ଫେରିଯାଇ ପୁତ୍ରକୁ ସିଂହାସନରେ ବସାଇ ରାଜ୍ୟ ପାଳନ କର ।” ଏକଥା କହି ରାଜା ସେଠାରୁ ଝଡବେଗରେ ପ୍ରସ୍ଥାନ କଲେ ଓ ଦୂର ଜଙ୍ଗଲରେ କୁଆଡେ ଅଦୃଶ୍ୟ ହୋଇଗଲେ । ରାଣୀ ସେଠାରେ ମୂର୍ଚ୍ଛିତ ହୋଇ ପଡିଗଲେ । ପରେ ପ୍ରଜାମାନେ ସେଠାରେ ପହଁଚି ତାଙ୍କର ସେବାଯତ୍ନ କରି ତାଙ୍କୁ ନଗରୀକୁ ଫେରାଇ ଆଣିଲେ ।

                ରାଜାଙ୍କ କଥା ଅନୁସାରେ ରାଣୀ ତାଙ୍କ ପୁତ୍ରକୁ ସିଂହାସନରେ ବସାଇ ନିଜେ ବଗିଚାରେ ଛୋଟ କୁଟୀରଟିଏ ବନାଇ ସେହିଠାରେ ସେ ସନ୍ନ୍ୟାସିନୀ ଜୀବନ ଯାପନ କରି ରହିଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ