ପାର୍ଥକ୍ୟ

ଜଣେ ରାଜାଥିଲେ ତାଙ୍କର ଶାସନ ଆଦର୍ଶ ଶାସନ ଥିଲା; ଦିନେ ସେ ଶିକାର କରିବାକୁ ଜଙ୍ଗଲକୁ ଯାଇଥିଲେ । ଶିକାର କରୁ କରୁ ସେ ନିଜ ଲୋକଙ୍କଠାରୁ ବିଚ୍ଛିନ୍ନ ହୋଇ ବହୁ ଦୂରକୁ ଚାଲିଯାଇଥିଲେ । ସଚେତନ ହୋଇ ସେ ଦେଖିଲେ ସେ ରାସ୍ତା ମଧ୍ୟ ଭୁଲିଯାଇଛନ୍ତି; ସେ କ୍ଷୁଧାତୃଷ୍ଣାରେ ଆତୁର ହୋଇ ବୁଲୁବୁଲୁ ଜଣେ ମୁନିଙ୍କର ଆଶ୍ରମରେ ଯାଇ ପହଁଚିଲେ ।

                ସେ ଦେଖିଲେ ମୁନି ଧ୍ୟାନସ୍ଥ । ତଥାପି ମଧ୍ୟ ସେ ଅତ୍ୟନ୍ତ ବ୍ୟସ୍ତ ହୋଇ କହିଲେ, “ମହାତ୍ମା, ରାସ୍ତା ଭୁଲି ବହୁଦୂର ଜଙ୍ଗଲ ମଧ୍ୟରେ ଚାଲି ଆସିଛି । ଆପଣ ଅନୁମତି ଦେଲେ ମୁଁ ଏଠାରେ କିଛି ସମୟ ବିଶ୍ରାମ କରିବି ।” ତାଙ୍କ କଥା ଶୁଣି ଆଖି ନ ଖୋଲି ମୁନି କହିଲେ, “ଏହି ରାଜ୍ୟର ଶାସକ ଜଣେ ଧାର୍ମିକ ବ୍ୟକ୍ତି । ତାଙ୍କରି ଧର୍ମ ଓ ପୁଣ୍ୟ ପ୍ରଭାବରୁ ଏଠାରେ ସବୁକିଛି ତୁମେ ପାଇ ପାରିବ ପଥିକ । ତୁମ ପାଇଁ ସ୍ୱତନ୍ତ୍ର ଭାବରେ ଅତିଥି ସତ୍କାର କରିବାର କୌଣସି ଆବଶ୍ୟକତା ନାହିଁ । ବିଶ୍ରାମ କର; ଓ ଆଶ୍ରମ ବଗିଚାରୁ ଫଳ ବା ପତ୍ର ତୋଳି ଖାଅ ।”

                ରାଜା କିଛି ସମୟ ବିଶ୍ରାମ କରିବା ପରେ ଆଶ୍ରମ ବଗିଚାକୁ ଯାଇ ସେଠାରୁ କିଛି ଫଳ ତୋଳିଲେ । ଯେଉଁ ଫଳ ବା ପତ୍ର ତୋଳି ସେ ଖାଇଲେ ତା’ର ମଧୁର ସ୍ୱାଦର ଆଦୌ କୌଣସି ଉପମା ନାହିଁ । ନିମ୍ବ ପ୍ରଭୃତି ପିତା ଗଛର ପତ୍ର ମଧ୍ୟ ବଡ ସ୍ୱାଦିଷ୍ଟ । ନାନା ଫଳର ନାନା ପ୍ରକାର ସ୍ୱାଦ ଅଛି । କିନ୍ତୁ ସେଠାରେ ଖଟା ଓ ପିତା ଫଳ ମଧ୍ୟ ମଧୁର ଲାଗୁଥିଲା । ରାଜା ବହୁସମୟ ଧରି ପରୀକ୍ଷା କରି ସେସବୁ ଖାଇଲେ । ସବୁଥିରୁହିଁ ସେ ସୁନ୍ଦର ସ୍ୱାଦ ପାଇଲେ । ରାଜା ତ ଅବାକ୍, ଏହା କିପରି ସମ୍ଭବ ହେଲା? ରାଜା ମନଭରି ଖିଆପିଆ କରିବା ପରେ ସନ୍ତୁଷ୍ଟ ମନପ୍ରାଣ ନେଇ ମୁନିଙ୍କ ପାଖକୁ ଗଲେ । ସେଠାରେ ସେ ତାଙ୍କଠାରୁ ବିଦାୟ ନେଇ ନିଜରାଜ୍ୟକୁ ଫେରିଗଲେ ।

ସେ ଆଶ୍ଚର୍ଯ୍ୟ ହୋଇ ଭାବିଲେ କି ତାଙ୍କରି ମହତ୍ୱ ବା ଭଲ ଶାସନ ଯୋଗୁଁ ପ୍ରକୃତିରେ ଏପରି ପରିବର୍ତ୍ତନ ହେଉଛି । ତେଣୁ ସେ ମନ୍ତ୍ରୀ ଓ ଅମାତ୍ୟମାନଙ୍କୁ ଏକ ଭୋଜନକୁ ଡାକିଲେ । ଅନ୍ୟାନ୍ୟ ଜିନିଷ ସହ ଖିରୀ ପ୍ରସ୍ତୁତ ହୋଇଥିଲା । ରାଜା ରାନ୍ଧୁଣିଆକୁ କହିଥିଲେ ଯେ ନିମ୍ବ ଓ କଲରାର ରସରେ ଯେପରି ଖିରୀ ହୁଏ; ଏକଥା ଶୁଣି ସେ ରାନ୍ଧୁଣିଆ ବି ଅବାକ୍ । କିନ୍ତୁ ରାଜାଜ୍ଞା ତୁରନ୍ତ ପାଳନ ହେଲା । ଭୋଜନ ସମୟରେ ସ୍ୱତନ୍ତ୍ର ଖିରୀ ତ ମୁହଁରେ ଦେଇ ହେଉନାହିଁ । ରାଜା ବ୍ୟସ୍ତ ହେଲେ । ତା’ପରେ ସେ ଭାବିଲେ, “ପୁଝାରୀ ବା କ’ଣ ଜାଣେ? ମୁଁ ନିଜେ ଯାଇ ନିମ୍ବକଲରା ରସ ସଂଗ୍ରହ କରିବି ।” ଶେଷରେ ତାହାହିଁ ହେଲା । କିନ୍ତୁ କିଛିବି ଲାଭ ହେଲା ନାହିଁ ।

ପରଦିନ ରାଜା ସିଧା ଯାଇ ମୁନିଙ୍କ ଆଶ୍ରମରେ ପହଁଚି ତାଙ୍କୁ ସବୁକଥା ଜଣାଇ ପଚାରିଲେ, “ମହାତ୍ମା, ଆପଣଙ୍କ ଆଶ୍ରମରେ ସବୁ ମିଠା, କିନ୍ତୁ ସେଠାରେ କାହିଁକି ନୁହଁ?”

ମୁନି ବୁଝାଇ କହିଲେ “ସେଦିନ ମୁଁ ଜାଣି ନଥିଲି କି ତୁମେହିଁ ଏଦେଶର ରାଜା ଥିଲ । ଅଜାଣତରେ ମୁଁ ତୁମରି ଧାର୍ମିକ ଗୁଣର ମହାନତା ଯୋଗୁଁ ଏପରି ହୋଇଛି ବୋଲି କହିଥିଲି । କିନ୍ତୁ ତା’ଫଳରେ ତୁମ ମନରେ ଗର୍ବ ଭରିଗଲା । ତୁମେ ନିଜେ ପରୀକ୍ଷା କରି ଦେଖିଲ ଓ ଜାଣିଲ ସତ୍ୟ କ’ଣ, ମହିମା ଧର୍ମସମ୍ମତ ହୋଇପାରେ, କିନ୍ତୁ ପରୀକ୍ଷା କରାଗଲେ ଅନ୍ୟ ଗୁଣ ଦେଖାଦେବ । ଏଠାରେ ଆଧ୍ୟାତ୍ମିକ ବାତାବରଣ ସହିତ ଅନ୍ୟସବୁ କାମକରୁଛି । ତୁମରାଜ୍ୟରେ ସେପରି ହେବ ନାହିଁ ।”

ରାଜାଙ୍କର ଗର୍ବ ଭାଙ୍ଗିଲା । ସେ ମୁନିଙ୍କୁ ପ୍ରଣାମ କରି ରାଜଧାନୀ ଫେରିଲେ । ସେଦିନଠାରୁ ରାଜା ବିନୟୀ ହୋଇ ରାଜ୍ୟଶାସନ କଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ