କ୍ଷତିରୁ ଲାଭ

ଶେଖର ଓ ଶୋଭାଙ୍କର ବିବାହ ସମ୍ପନ୍ନ ହୋଇଗଲା । କିନ୍ତୁ ପତିପତ୍ନୀଙ୍କ ମଧ୍ୟରେ ଗୋଟିଏ ବିଷୟରେ ମନ ଅମେଳ ରହୁଥିଲା । ଶେଖର ଗ୍ରାମରେ ରହିବାକୁ ପସନ୍ଦ କରୁଥିବା ବେଳେ, ଶୋଭା ସହରାଭିମୁଖୀ ଥିଲେ । ପାଠପଢା ସରିବା ପରେ ଶେଖର ଚାକିରୀଟିଏ ସନ୍ଧାନରେ ଥିଲେ । ଅକସ୍ମାତ ପିତାଙ୍କ ଦେହାନ୍ତ ଘଟିବାରୁ ପାରିବାରିକ ଦାୟିତ୍ୱ ସମ୍ଭାଳିବା ପାଇଁ ତାଙ୍କୁ ଗ୍ରାମରେ ରହିବା ପାଇଁ ପଡିଲା । ତା’ ମୁଣ୍ଡ ଉପରେ ଗୋଟିଏ ଭଉଣୀର ବିବାହ ଭାର ବି ଥିଲା । ତେଣୁ ସେ ଆଉ ଚାକିରୀ ପଛରେ ନ ଧାଇଁ ଗ୍ରାମରେ ଜମିବାଡି ଦେଖାଶୁଣା କରି ସରଳ ଜୀବନଯାପନ କରୁଥିଲେ ।

                କିନ୍ତୁ ପତ୍ନୀ ଶୋଭାଙ୍କୁ ଗ୍ରାମୀଣ ପରିବେଶ ଆଦୌ ଭଲ ଲାଗୁ ନ ଥାଏ । ବିବାହ ଚାରିମାସ ନ ପୁରୁଣୁ ସେ ଏହି ମନ୍ତବ୍ୟ ଦେବାକୁ ଆରମ୍ଭ କଲେ, “ଏହା ଘର କି କୈଦୀଖାନା, ଏଠାରେ ପବନ ନାହିଁ, ଆଲୋକ ନାହିଁ, ଚାରିଆଡେ ମଶା, ମାଛି, ଅସରପା, ମୂଷା ରଣଭଣ । ସଂନ୍ଧ୍ୟାରେ ଘରୁ ବାହାରି ବୁଲିଯିବା ପରି ଜାଗାଟିଏ ବି ଏଠି ନାହିଁ । ଏଠି ଆଉ ଛଅଟା ମାସ ରହିଗଲେ ତ ମୁଁ ପୁରାପୁରି ପାଗଳୀ ହୋଇଯିବି ।”

                ଏସବୁ ଶୁଣି ଶେଖର ବୁଝାନ୍ତି, “ଏହି ଘରେ ମୁଁ ପଚିଶ ବର୍ଷ ହେଲା ରହିଆସୁଛି । ସହରରେ ଚଳି ଆସିଥିବାରୁ, ପ୍ରଥମେ ପ୍ରଥମେ ତୁମକୁ ଏପରି ଅସୁବିଧା ଲାଗୁଛି । ଧୀରେ ଧୀରେ ସବୁ ସୁଧୁରି ଯିବ ।”

                କିନ୍ତୁ ଦିନକୁ ଦିନ ଶୋଭାଙ୍କର ଅସନ୍ତୋଷ ବଢିଚାଲିଲା । ସେ ତାଙ୍କର ପିତାଙ୍କ ଘରକୁ ଯାଇଥିବା ସମୟରେ ନିଜର ଦୁଃଖ ପିତାଙ୍କ ଆଗରେ ପ୍ରକାଶ କରି କହିଲେ, “ଯେପରି ହେଉ, ଆପଣଙ୍କ ଜୋଇଁଙ୍କ ପାଇଁ ଏକ ଚାକିରୀ ସହରରେ ଯୋଗାଡ କରିଦିଅନ୍ତୁ । ସେହି ଦରିଦ୍ର ଗ୍ରାମରେ ଆଉ ଅଧିକଦିନ ରହିବା ମୋ ପକ୍ଷରେ ଅସମ୍ଭବ ।” କନ୍ୟାର ଆଖିର ଲୁହ ଓ ଅଭିଯୋଗ ଦେଖି ପିତା ତାଙ୍କର ଜଣେ ବନ୍ଧୁଙ୍କ ମାଧ୍ୟମରେ ଏକ ଚାକିରୀ ବୁଝିଦେଲେ । ସହର ପାଖାପାଖି ଏକ ବଡ ଗ୍ରାମରେ ଶେଖରଙ୍କୁ କାମ କରିବା ପାଇଁ ପଡିବ ।

                ଏହି ସମାଚାର ଆଣି ଶୋଭା ପତିଗୃହକୁ ଫେରିଆସିଲେ । ଶେଖରଙ୍କୁ ରାତ୍ରିଭୋଜନ ପରଷି ଦେଉଥିବା ସମୟରେ ଶୋଭା କହିଲେ, “ଏବେ ଜିନିଷପତ୍ର ବନ୍ଧାବନ୍ଧି ଆରମ୍ଭ କର । ଦୁଇଦିନ ମଧ୍ୟରେ ଆମେ ଏ ଗ୍ରାମରୁ ମୁକ୍ତ ହୋଇଯିବା । ମୋର ପିତା ତୁମକୁ ଏହି ମାଟି, ଝାଳ ଆଉ ଦୁର୍ଭାଗ୍ୟର ଜୀବନରୁ ଉଦ୍ଧାର କରିଦେଇଛନ୍ତି ।” ଚାକିରୀ ବୁଝାହୋଇଥିବା ବିଷୟ ଶୋଭା ଏପରି ଢଙ୍ଗରେ ଉପସ୍ଥାପନ କଲେ ସତେ କି ତାଙ୍କ ପିତା ଏକ ଅସମ୍ଭବକୁ ସମ୍ଭବ କରି ଦେଇଛନ୍ତି ।

                କିଛି କ୍ଷଣ ଚିନ୍ତା କରିବା ଉତାରେ ଶେଖର କହିଲେ, “କୁହନ୍ତି, ଭଗବାନ୍ ଯାହା କରନ୍ତି, ତାହା ପ୍ରାଣୀର ମଙ୍ଗଳ ପାଇଁ । ସହରକୁ ଗଲେ ମାଙ୍କୁ ଭଲ ଚିକିତ୍ସା ସୁଯୋଗ ମିଳିପାରିବ । ବଡ ଗ୍ରାମକୁ ଗଲେ ଭଉଣୀ ପାଇଁ ପ୍ରସ୍ତାବ ମଧ୍ୟ ଯୋଗାଡ ହୋଇଯାଇପାରେ । କିନ୍ତୁ ଜମିବାଡି କାହା ଦାୟିତ୍ୱରେ ଦେଇ ଆମେ ସେଠାକୁ ଯିବା?”


ଗପ ସାରଣୀ

ତାଲିକାଭୁକ୍ତ ଗପ