ଅଶୋକ କହିଲେ “ଆପଣଙ୍କର ରାଜଭକ୍ତି ଅତୁଳନୀୟ । ଆପଣଙ୍କର ଏହି ସାହସିକ ପଦକ୍ଷେପ ସାଫଲ୍ୟମଣ୍ଡିତ ହେଉ । ଏହା ହିଁ ମୋର ଆନ୍ତରିକ କାମନା”
ସୁଶେମ ନଗରର ଦ୍ୱାର ଦେଶରେ ପହଁଚିବା ପୂର୍ବରୁ ପ୍ରଧାନମନ୍ତ୍ରୀ ଭଲ୍ଲାଟକ ହାତରେ ପୁଷ୍ପହାର ଧରି ସେଠାରେ ଉପସ୍ଥିତ ଥିଲେ । ସୁଶେମଙ୍କୁ ଦେଖିବାକ୍ଷଣି ସେ ପୁଷ୍ପହାର ପିନ୍ଧାଇବା ଉଦ୍ଧେଶ୍ୟରେ ଆଗକୁ ଗଲେ ।
ନଗର ନିକଟତର ହେବା ସମୟରୁ ସୁଶେମଙ୍କର କ୍ରୋଧ ବହୁଗୁଣିତ ହୋଇ ଉଠୁଥାଏ । ସେ ତାଙ୍କର ସଙ୍ଗୀମାନଙ୍କୁ କହୁଥାନ୍ତି, “ଯେତେବେଳେ ଯାଏଁ ମୁଁ ରାଜଭବନରେ ପ୍ରବେଶ କରି ସିଂହାସନାସୀନ ହୋଇନାହିଁ, ସେତେବେଳଯାଏଁ ଆମର ଗତିପଥରେ ଯିଏ ବି ବାଧା ସୃଷ୍ଟି କରିବ, ତା’କୁ ମୁଁ ହତ୍ୟା କରିବି ।” ଦ୍ୱାର ଦେଶରେ ପ୍ରଧାନମନ୍ତ୍ରୀ ଭଲ୍ଲାଟକଙ୍କୁ ଠିଆ ହୋଇଥିବାର ଦେଖି ସୁଶେମ କ୍ରୋଧରେ ଅନ୍ଧ ହୋଇଗଲେ । ତତ୍କ୍ଷଣାତ୍ ତରବାରୀରେ ସେ ତାଙ୍କର ଶିର ସ୍କନ୍ଧଚ୍ୟୁତ କଲେ ।
ପ୍ରଧାନମନ୍ତ୍ରୀଙ୍କ ପୁତ୍ର ତଥା ଜଣେ ଦଳନାୟକ କିଛି ଦୂରରେ ଠିଆ ହୋଇଥିଲେ । ସେ ତାଙ୍କ ପିତାଙ୍କର ଏପରି ଦୁର୍ଦ୍ଦଶା ଦେଖି ନିକଟସ୍ଥ ସୈନିକଙ୍କୁ ସୁଶେମଙ୍କର ଶିରଚ୍ଛେଦ ପାଇଁ ଆଦେଶ ଦେଲେ । ସୁଶେମ ଆଉ ପାଦଟିଏ ବି ଆଗକୁ ବଢି ପାରିଲେ ନାହିଁ । ସେହିଠାରେହିଁ ତାଙ୍କର ମୁଣ୍ଡକାଟ ହେଲା । ତକ୍ଷଶିଳାରୁ ଆଗତ ସୈନିକମାନେ ଆଉ ପାଦଟିଏ ମଧ୍ୟ ଆଗକୁ ଆସି ପାରିଲେ ନାହିଁ । ସେମାନେ କ୍ଷମାଭିକ୍ଷା କରି ମଗଧ ସୈନ୍ୟବାହିନୀ ସହ ସାମିଲ୍ ହୋଇଗଲେ ।
ଶାନ୍ତିର ଦୂତରୂପେ ଦଣ୍ଡାୟମାନ ନିରାୟୁଧ ପ୍ରଧାନମନ୍ତ୍ରୀଙ୍କୁ ଏପରି ନିର୍ଦ୍ଦୟରୂପେ ହତ୍ୟା କରିବା ସମ୍ବନ୍ଧରେ ଜାଣିଲା ପରେ ଅଶୋକ ଅତ୍ୟନ୍ତ ବ୍ୟଥିତ ହେଲେ । ତାଙ୍କ ପଦରେ ରଥଗୁପ୍ତଙ୍କୁ ନିଯୁକ୍ତ କରାହେଲା । ଶତ୍ରୁଗଣଙ୍କର ସମୂଳେ ବିନାଶ ଘଟିବାରୁ ରାଜ୍ୟରେ ଶାନ୍ତି ସ୍ଥାପନା ସମ୍ଭବପର ହେଲା । ଅଶୋକ ତାଙ୍କ ପ୍ରଜାମାନଙ୍କ ପାଇଁ ସକଳ ପ୍ରକାରର ସୁଖ ସୁବିଧାର ବ୍ୟବସ୍ଥା କରାଇଲେ, କ୍ରମେ ଅଶୋକଙ୍କର ଶାସନ-ପଦ୍ଧତି ବେଶ୍ ଲୋକପ୍ରିୟ ହେଲା । ପୁରୁଖା ପ୍ରଜାଗଣ କହିଲେ ଅଶୋକ ମହାରାଜା ହିସାବରେ ସମ୍ରାଟ ଚନ୍ଦ୍ରଗୁପ୍ତଙ୍କ ସହିତ ତୁଳନୀୟ ଅଟନ୍ତି ।
ଅଶୋକଙ୍କ ମୁକୁଟାଭିଷେକର ଶୁଭ ମୁହୂର୍ତ୍ତ ସ୍ଥିର ହେଲା । ମହାରାଣୀ ବିଦିଶା ଦେବୀ ବୌଦ୍ଧ ଧର୍ମାବଲମ୍ବୀ ଥିଲେ । ଏହା ବ୍ୟତୀତ ବିଦିଶା ଦେବୀଙ୍କର ସ୍ୱାସ୍ଥ୍ୟାବସ୍ଥା ମଧ୍ୟ ଏତେ ଭଲ ରହୁ ନ ଥିଲା । ବୈଦ୍ୟଙ୍କ ପରାମର୍ଶ ଅନୁଯାୟୀ, ତାଙ୍କ ପକ୍ଷରେ ଦୂରଯାତ୍ରାକୁ ବାରଣ କରାଯାଇଥିଲା । କିନ୍ତୁ ଏତେ ସବୁ ସମସ୍ୟା ସତ୍ତ୍ୱେ ମୁକୁଟାଭିଷେକ ସ୍ଥଗିତ ରଖିବା ମଧ୍ୟ ସମ୍ଭବ ନ ଥିଲା । ଏହି ସବୁ ଘଟଣାକୁ ଆଖି ଆଗରେ ରଖି ନୂତନ ପ୍ରଧାନମନ୍ତ୍ରୀ ରଥଗୁପ୍ତ ଅଶୋକଙ୍କୁ କହିଲେ, “ପ୍ରଭୁ, କ୍ଷମା କରିବେ, ପରିସ୍ଥିତି ମୋତେ ଏହା କହିବା ପାଇଁ ବାଧ୍ୟ କରୁଛି । ଆପଣ ତ ନିଶ୍ଚୟ ଅବଗତ ଥିବେ ଯେ ବିଦିଶା ଦେବୀଙ୍କ ସ୍ୱାସ୍ଥ୍ୟ ଏବେ କିଛି ଦିନ ହେଲା ମୋଟେ ଭଲ ରହୁନାହିଁ । ଆପଣଙ୍କ ପୁତ୍ର ଯୁବରାଜ ମହେନ୍ଦ୍ରଙ୍କୁ ମଧ୍ୟ ବୌଦ୍ଧ ଧର୍ମର ନିୟମାବଳୀ ସମ୍ବନ୍ଧରେ ଶିକ୍ଷା ପ୍ରଦାନ କରାଯାଉଛି । ଯେଉଁ ଯୁବରାଜଙ୍କର ଯୁଦ୍ଧ ଉପରେ ଆସ୍ଥା ରହିବ ନାହିଁ, ସେ ଭବିଷ୍ୟତରେ ରାଜ୍ୟର ପ୍ରତିରକ୍ଷା କିପରି କରିବେ ସେ ଉପରେ ଆମେ ସନ୍ଦିହାନ । ଆପଣ ଏହି ସତ୍ୟ ସହିତ ଭଲଭାବେ ପରିଚିତ ଅଟନ୍ତି ଯେ – ବୀରଭୋଗ୍ୟା ବସୁନ୍ଧରା । ତେଣୁ ରାଜ୍ୟର ଭବିଷ୍ୟତକୁ ଦୃଷ୍ଟିରେ ରଖି ଆପଣ ଅନ୍ୟ ଏକ ବିବାହ କରନ୍ତୁ । ଏହା ବ୍ୟତୀତ କାହିଁ ଅନ୍ୟ କୌଣସି ଉପାୟ ମୋ ବିଚାରକୁ ଆସୁନାହିଁ ।”
ଅଶୋକ ମନ୍ତ୍ରୀଙ୍କ ପ୍ରସ୍ତାବ ସଙ୍ଗେ ସଙ୍ଗେ ପ୍ରତ୍ୟାଖ୍ୟାନ କଲେ । କିନ୍ତୁ ଏହି କଥା ବିଦିଶା ଦେବୀ ଜାଣିବା ପରେ ଯଶଙ୍କ ହାତରେ ଅଶୋକଙ୍କ ନିକଟକୁ ସେ ଏକ ସନ୍ଦେଶ ପ୍ରେରଣ କଲେ, “ଦିନକୁ ଦିନ ମୋର ସ୍ୱାସ୍ଥ୍ୟ ତ କ୍ଷୀଣ ହୋଇ ଆସୁଛି । ରାଜପତ୍ନୀ ରୂପେ ମୋର ଯାହା କର୍ତ୍ତବ୍ୟ ତାହା ମୁଁ ପାଳନ କରିବା ସମ୍ଭବ ହେଉନାହିଁ । ତେଣୁ ମୁଁ ଭାବୁଛି ଯେ, ଆପଣ ଅନ୍ୟ କେଉଁ ରାଜକୁମାରୀଙ୍କୁ ବିବାହ କରିବା ଶ୍ରେୟସ୍କର ହେବ ।” ବିଦିଶା ତାଙ୍କର ଅନୁରୋଧ ପାଳନ କରିବା ପାଇଁ ଅଶୋକଙ୍କୁ ଅନେକ ବିନତି କରି ପତ୍ର ଲେଖୁଥିଲେ । ଶେଷରେ ଅଶୋକ ନିଜର ପୁନର୍ବିବାହ ପାଇଁ ସ୍ୱୀକୃତି ଦେଲେ । ତାଙ୍କର ବିବାହ ଆନନ୍ଦମିତ୍ରାଙ୍କ ସହ ସମ୍ପନ୍ନ ହେଲା । ଏହାର କିଛି ଦିନ ପରେ ଅଶୋକଙ୍କର ମୁକୁଟାଭିଷେକ ସମ୍ପନ୍ନ ହେଲା ।
ପରନ୍ତୁ ଅଶୋକ ବିଦିଶାଦେବୀ ଓ ପୁତ୍ର, କନ୍ୟା ଦୁହିଁଙ୍କୁ ନିଜ ମନରୁ ଆଦୌ ପାସୋରି ପାରିଲେ ନାହିଁ । ମାନସିକ ଅସ୍ଥିରତା ବଢିଚାଲିବାରୁ ସେ ଶାସନ ସମ୍ବନ୍ଧୀୟ କାର୍ଯ୍ୟରେ ବୀତସ୍ପୃହ ହେଲେ ।