ବେତାଳ ସମ୍ମୁଖେ କମଳିନୀ

ସନ୍ଧ୍ୟାହେବା ପୂର୍ବରୁ କମଳିନୀ ଦାସୀମାନେ ତା’ ନିକଟରେ ଥିଲେ । ପ୍ରହରେ ରାତ୍ରି ହୁଅନ୍ତେ କମଳିନୀ ସେମାନଙ୍କୁ ତା’ ନିକଟରୁ ବିଦା କରିଦେଲା । ଖାଦ୍ୟପେୟ ଓ ତାମ୍ବୁଳାଦି ଯତନରେ ସଜାଡି ରଖିଦେଲା । ଅତି ଯତ୍ନରେ ପୁଷ୍ପମାଳା ଗୁନ୍ଥି ତାମ୍ବୁଳ ରଖିଦେଇ ତାଙ୍କ ଅପେକ୍ଷାରେ ବସି ରହିଲା । ଗନ୍ଧର୍ବ ଚିତ୍ରରଥ ପ୍ରବେଶି ଦେଖେ କମଳିନୀର ଚନ୍ଦ୍ର ବଦନ ଶୁଖି ଯାଇଛି । ଗନ୍ଧର୍ବ ପ୍ରଶ୍ନକଲା, କହ ସଖୀ ତୁ ଆଜି ଏତେ ବିରସ ଦେଖାଯାଉଛୁ କାହିଁକି? କମଳିନୀ କହିଲା ଯାହା ପୁଚ୍ଛାକଲ ଶୁଣ । ଯେଉଁ ରାଜାଙ୍କ ସଙ୍ଗରେ ମୋର ବିବାହ ହୋଇଛି ସେ ଆମ୍ଭର ଗୁପ୍ତପ୍ରୀତି କଥା ଜାଣି ପାରିଲେଣି । ସେ ଜଣେ ମନୁଷ୍ୟ ନୁହଁନ୍ତି ଦେବତା । ମୋ ପୁରକୁ କେହି ଆସନ୍ତି ନାହିଁ, ମାତ୍ର ପ୍ରଭାତ ହେଲେ ସେ ଏକଥା ଜାଣୁଛନ୍ତି କିପରି? ଯେତେ ଘଟଣା ଘଟିଛି ସେ ସମସ୍ତ କଥା ସେ ରାଜା ମୋର ପରିଚାରୀଙ୍କୁ କହିଲେ । ତୁମ୍ଭ ମୋ ପୀରତି କଥା ମୋ ପରିଚାରୀମାନେ ମଧ୍ୟ ଜାଣନ୍ତି ନାହିଁ । ଗନ୍ଧର୍ବ କହିଲା ନିତି ମୁଁ ଗୀତ ଗାୟନ କରିବାକୁ ଦେବ ସଭାକୁ ଯାଉଛି । କାଲି ଆସିଲେ ସମସ୍ତ କଥା ତୋତେ କହିବି । ସେ ସମସ୍ତ କଥା ପାଶୋରି ହସି ହସି ଆସି ମୋ କୋଳରେ ବସ । ନନ୍ଦନ କାନନର ରାଜକୁନ୍ଦ କୋଳି ମୁଁ ତୁମପାଇଁ ଆଣିଛି । ସେ କୋଳି ଖାଇଲେ ମନ ପ୍ରଫୁଲ୍ଲିତ ହେବ । ଦୁହେଁ ଦୁହିଁଙ୍କୁ ପରସ୍ପର ଆଲିଙ୍ଗନ କଲେ । ତା’ ପରେ ଆରମ୍ଭ ହେଲା କାମ କେଳି । ତାଳ ବେତାଳ ଏ ସମସ୍ତ ଦେଖି ନିଶି ପାହିବା ପୂର୍ବରୁ ରାଜାଙ୍କ ପାଖରେ ପ୍ରବେଶି ସମସ୍ତ କଥା କହିଲେ । ତାଳ ବେତାଳଙ୍କୁ ବିକ୍ରମାଦିତ୍ୟ କହିଲେ ତୁମ୍ଭେ ଦୁହେଁ ଯାଇ ରାଜକୁନ୍ଦ କୋଳି ଆଣ । ମୁଁ ଆଜି ସେ ଗନ୍ଧର୍ବର ଗର୍ବ ଚୂର୍ଣ୍ଣ କରିଦେବି । ତାଳ, ବେତାଳ ଦୁହେଁ ସ୍ୱର୍ଗର ନନ୍ଦନ କାନନକୁ ଯାଇ ଅଗଣନ କୋଳି ଆଣିଲେ । ଗଣନା କରି ରାଜାଙ୍କୁ ବତ୍ରିଶ କାହାଣ ଦେଲେ । ରାଜା ବିକ୍ରମାଦିତ୍ୟ ନିଦରେ ଶୟନ କଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ