ଶତ୍ରୁ କିଏ?

ଶଙ୍କର ଓ ସୁମତି ଜ୍ୟୋତିପୁରରେ ରହୁଥିଲେ । ସେମାନେ ସମ୍ପର୍କରେ ସ୍ୱାମୀ ସ୍ତ୍ରୀ ହେଲେ ବି ସେ ଦୁହିଁଙ୍କ ସ୍ୱଭାବରେ ଆଦୌ କିଛି ମେଳ ନଥାଏ । ଶଙ୍କର ଅତ୍ୟନ୍ତ ଧୀରସ୍ଥିର ଏବଂ ଭୋଳା ମଣିଷ । ମାତ୍ର ସୁମତିର ସ୍ୱଭାବ ଏପରି ଯେ ପଛରେ ତାକୁ ସେଠାକାର ଗାଁ ଲୋକେ କୁମତି ବୋଲି ଡାକୁଥାନ୍ତି । ଉପରେ ପଡି କଥା କହିବା, ସମସ୍ତଙ୍କ ସାଙ୍ଗରେ ସର୍ବଦା ଝଗଡା କରିବା, ଏସବୁ ପାଇଁ ସେ ବିଖ୍ୟାତ ଥିଲା ।

ସୁମତିର ଏଭଳି ସ୍ୱଭାବ ଯୋଗୁଁ ସବୁଠାରୁ ବେଶି ହଇରାଇ ହେଉଥାନ୍ତି ତାଙ୍କ ପଡୋଶୀ ମହେନ୍ଦ୍ରର ପରିବାର । କଥା କଥାକେ ସୁମତି ମହେନ୍ଦ୍ରର ସ୍ତ୍ରୀ ଓ ପିଲାପିଲିଙ୍କ ସହ ଖାଲି ଝଗଡା କରୁଥାଏ । କାହିଁକିନା ସେମାନଙ୍କର ଶ୍ରୀ ସେ ଆଦୌ ସହି ପାରୁ ନଥାଏ ।

ମହେନ୍ଦ୍ରର ଘର ବାଡିରେ ସୁନ୍ଦର ଶାକ୍ ସବଜି ହେଉଥାଏ । ସୁମତି ତା’ ମଇଁଷିକୁ ସେ ବାଡିକୁ ଛାଡି ଦେଉଥାଏ । ମଇଁଷି ଯାଇ ସବୁ ଖାଇ ଯାଉଥାଏ ।

ମହେନ୍ଦ୍ର ଯାଇ ଶଙ୍କରକୁ କହିଲା, “ଭାଇ, ତମେ ତମ ମଇଁଷିକୁ ସମ୍ଭାଳି ପାରିବ ନାହିଁ?”

ପାଖଦେଇ ଯାଉଥିବା ଜଣେ ଗ୍ରାମବାସୀ ଟିପ୍ପଣୀ ଦେଲା, “ଆରେ ମହେନ୍ଦ୍ର, ସେ ସିନା ପଶୁ ମଇଁଷିକୁ ସମ୍ଭାଳିବ, କିନ୍ତୁ ତା’ ଘରେ ଯେଉଁ ମଣିଷ-ମଇଁଷି ଅଛି, ତାକୁ ସମ୍ଭାଳିବା ଭଳି ତାକତ୍ ତା’ର କାହିଁ?”

ଶଙ୍କର ଏହି ଟିପ୍ପଣୀର ଅର୍ଥ ଠିକ୍ ବୁଝିଲା, କିନ୍ତୁ ସେ ନୀରବ ରହିଲା । ସୁମତିକୁ ପଦେ କହିଲେ ତ ସେ ଓଲଟି ପାଂଚପଦ କହିବ । ବହୁତ ଚେଷ୍ଟା କରି ମହେନ୍ଦ୍ର ଥକି ଯାଇଥାଏ । ଆଉ ଚେଷ୍ଟା କରୁ ନଥାଏ ।

ଶଙ୍କର ପଚାରିଲା “ମହେନ୍ଦ୍ରର ବଗିଚା ଭିତରକୁ କ’ଣ ଆମ ମଇଁଷି ପଶୁଛନ୍ତି?”

ସୁମତି ଜବାବ୍ ଦେଲା “ସେଥିପାଇଁ ମୁଁ ବା କ’ଣ କରିବି? ମଇଁଷିର କ’ଣ ସ୍ୱାଧୀନତା ବୋଲି କିଛି ନାହିଁ ।” ତଥାପି ମଧ୍ୟ ମଇଁଷି ପଶିବା ବନ୍ଦ ହେଲା ନାହିଁ ।

ବାରମ୍ବାର ଏପରି ହେବାରୁ ଥରେ ମହେନ୍ଦ୍ର ଗୋଟାଏ ପ୍ରକାର ବିଷାକ୍ତ ଚାରା ଆଣି ତାକୁ ନିଜ ବାଡିରେ ଲଗାଇଲା । ସେ ନୂଆ ପ୍ରକାର ଚାରା ନିଶ୍ଚୟ କୌଣସି ଲାଭଜନକ ଚାଷ ହୋଇଥିବ ଭାବି ସୁମତି ମହେନ୍ଦ୍ରର ସ୍ତ୍ରୀକୁ ପଚାରିଲା, “ଇଏ କି ଗଛ?”

ମହେନ୍ଦ୍ରର ସ୍ତ୍ରୀ କହିଲା “ଗୋଟାଏ ପ୍ରକାର ବିଷାକ୍ତ ଗଛ!”

                ସେ ସୁମତି ଏଥିରେ ଭୀଷଣ ଭାବେ ରାଗିଗଲା । ତାକୁ ଯେ ମିଛ କଥା କୁହା ଯାଉଛି ବା ଥଟ୍ଟା କରାଯାଇଛି, ଏଥିରେ ତା’ର ଆଉ କୌଣସି ସନ୍ଦେହ ନଥିଲା । ରାତିରେ ସେ ତା’ ମଇଁଷିକୁ ମହେନ୍ଦ୍ରଙ୍କ ବାଡି ଭିତରକୁ ଛାଡିଦେଲା । ମଇଁଷି କିଛି ପତ୍ର ଚୋବାଇବା ପରେ ତଳେ ପଡି ହଠାତ୍ ଗଁ ଗଁ ହେଲା । ସେ ପ୍ରଚୁର ଦୁଧ ଦେଉଥାଏ । ପରଦିନଠାରୁ ସେ କିଛି ଖାଇଲା ନାହିଁ କି ଦୁଧ ବି ଦେଲା ନାହିଁ ।

                ଏସବୁ ଦେଖି ମହେନ୍ଦ୍ରର ସ୍ତ୍ରୀ କହିଲା “ମୁଁ ତ କହିଦେଇଥିଲି ଯେ ଆମ ବାଡିରେ ବିଷାକ୍ତ ଗଛ ହୋଇଛି । ତଥାପି ମଧ୍ୟ ତମେ ତମ ମଇଁଷିକୁ ମୋ ବାଡିକୁ କାହିଁକି ଛାଡିଲ?”

                “ଏ ଗାଁରେ ତ ସମସ୍ତେ ମୋର ଶତ୍ରୁ!” ସୁମତି ଏଭଳି ଚିତ୍କାର କରି ବାଟ ଘାଟ କମ୍ପାଇଦେଲା ଓ ସେ ପୁଣି କହିଲା, “ଆଜି ମୁଁ ମୋ ବାପଘରକୁ ଚାଲିଲି । ସେଠି ମୁଁ ବେଶ୍ ସୁଖରେ ରହିବି ।”


ଗପ ସାରଣୀ

ତାଲିକାଭୁକ୍ତ ଗପ