ଅଶୋକଙ୍କର ଏପରି ଅବସ୍ଥା ଦେଖି ପ୍ରଧାନ ମନ୍ତ୍ରୀ ସେନାଧିପତିଙ୍କର ପରାମର୍ଶ ଲୋଡିଲେ । ସେ ସେନାଧିପତିଙ୍କୁ କହିଲେ, “ଆମ୍ଭର ମହାରାଜା ସର୍ବଦା ବିଷର୍ଣ୍ଣ ରହୁଛନ୍ତି । ବିଦିଶା ଦେବୀଙ୍କ ବିରହରେ ସେ ରାଜ୍ୟ-କାର୍ଯ୍ୟ ପରିଚାଳନାରେ ଉଦାସୀନ ରହୁଛନ୍ତି । ଏହିପରି ଅବସ୍ଥାରେ ହୁଏତ ସେ ଦିନେ ଅକସ୍ମାତ୍ ସିଂହାସନ ପରିତ୍ୟାଗ କରି ଉଜ୍ଜୟିନୀ ଫେରି ଯିବେ ଓ ଶାନ୍ତିରେ ପାରିବାରିକ ଜୀବନ ବିତାଇବେ । ଆମର କର୍ତ୍ତବ୍ୟ ହେଉଛି, ତାଙ୍କ ମନରେ ରାଜ୍ୟ ପ୍ରତି ଆସକ୍ତି ଜନ୍ମାଇବା, କ୍ଷମତା ପ୍ରତି ଲୋଭ ବଢାଇବା ଓ ରାଜ୍ୟ ବିଜୟର ଲାଳସାର ଉଦ୍ରେକ କରାଇବା । ଯୁଦ୍ଧରେ ବିଜୟ ହାସଲ କରିବା ପରେ ଯେ କେହି ରାଜା ନିଜକୁ ଉତ୍ସାହିତ ମନେ କରିବେ । ଶତୃକୁ ପରାଜିତ କରିବାରେ ଜଣେ ରାଜା ଯେଉଁ ଆନନ୍ଦ ଲାଭ କରେ, ତାହା ବର୍ଣ୍ଣନାତୀତ, ଅଦ୍ଭୁତ, ଅନିର୍ବଚନୀୟ ଅଟେ ।”
ପ୍ରଧାନ ମନ୍ତ୍ରୀ କହିଲେ “ଆପଣଙ୍କ ବିଚାର ଯଥାଯଥ ମନେ ହେଉଛି । ସୁଯୋଗ ଦେଖି ରାଜ୍ୟଜୟର ଲାଳସା ପ୍ରତି ମହାରାଜଙ୍କୁ ମୁଁ ଆକୃଷ୍ଟ କରାଇବି ।”
ଇତ୍ୟବସରରେ ଏହି ସମାଚାର ପ୍ରାପ୍ତ ହେଲା ଯେ କଳିଙ୍ଗ ରାଜା ଉତ୍ତରାଧିକାରୀ ଚୟନ କରିବା ପୂର୍ବରୁ ମୃତ୍ୟୁବରଣ କରିଥାନ୍ତି । କେତେକ ଉଚ୍ଚ ରାଜକର୍ମଚାରୀ ଏବେ କଳିଙ୍ଗର ଶାସନ ଦାୟିତ୍ୱ ତୁଲାଉଛନ୍ତି ।
ଦିନେ ସାୟଂକାଳରେ ଅଶୋକ ତାଙ୍କ ଉପବନରେ ବିଚରଣ କରୁଥାନ୍ତି । ପ୍ରଧାନମନ୍ତ୍ରୀ ରଥଗୁପ୍ତ ସେଠାରେ ଉପସ୍ଥିତ ହୋଇ ତାଙ୍କୁ କହିଲେ, “ମହାରାଜ, ଚନ୍ଦ୍ରଗୁପ୍ତ ମୌର୍ଯ୍ୟ ଓ ମହାରାଜ ବିନ୍ଦୁସାର କଳିଙ୍ଗ ବିଜୟ କରିବାର ସ୍ୱପ୍ନ ଦେଖୁଥିଲେ । କିନ୍ତୁ ତାହା ସାକାର ହୋଇ ପାରି ନଥିଲା । କଳିଙ୍ଗ ଏକ ସୁସମ୍ପନ୍ନ ରାଜ୍ୟ । ଏହାର ଜାଭା, ସୁମାତ୍ରା, ବାଲିଦ୍ୱୀପ ସହ ବାଣିଜ୍ୟ କାରବାର ଚାଲିଛି । ରାଜା ଅଧିନସ୍ଥ ଉଚ୍ଚ କର୍ମଚାରୀବର୍ଗଙ୍କ ମଧ୍ୟରେ ମୈତ୍ରୀଭାବ ରହିଛି । ସେହି ଏକତାର ଭାବନା ରହିଥିବାରୁ ରାଜାଙ୍କ ଅନୁପସ୍ଥିତିରେ ମଧ୍ୟ ରାଜ୍ୟ ଶାସନ ସୁପରିଚାଳିତ ହୋଇ ପାରିଛି । ମାତ୍ର ରାଜାଙ୍କ ଦେହାନ୍ତର ସୁଯୋଗ ନେଇ ଆମେ କଳିଙ୍ଗ ଆକ୍ରମଣ କରିବା ଓ ତାହାକୁ ଖଣ୍ଡ ବିଖଣ୍ଡିତ କରିଦେବା । କଳିଙ୍ଗ ବିଜୟ ପାଇଁ ଆମକୁ ଏହାଠାରୁ ବଳି ସୁବର୍ଣ୍ଣ ଅବକାଶ ଆଉ କେବେ ମଧ୍ୟ ମିଳିବ ନାହିଁ ।”
ଏହି ସମୟରେ ସେନାଧିପତି ସେଠାରେ ଆସି ପହଁଚିଲେ । ଅଶୋକ ମନ୍ତ୍ରୀଙ୍କ କଥା ଶୁଣିଲେ । କିନ୍ତୁ କିଛିବି ଉତ୍ତର ଦେଲେ ନାହିଁ । ନୀରବରେ ଚିନ୍ତା କଲେ ।
ସେନାଧିପତି କହିଲେ “ଆମ ଦେଶର ସେନାଗଣ ଦୀର୍ଘକାଳ ହେବ କୌଣସି ଯୁଦ୍ଧରେ ଲିପ୍ତ ହୋଇ ନାହାଁନ୍ତି । ଏପରି ଅବସ୍ଥା ଲାଗି ରହିଲେ ତାହା ଆମର ସୈନ୍ୟ ମାନଙ୍କର ସ୍ୱାସ୍ଥ୍ୟ ତଥା ମନୋବଳ ଉପରେ ଗଭୀର ପ୍ରଭାବ ପକାଇବ । ସେମାନଙ୍କୁ ପ୍ରତ୍ୟକ୍ଷ ଯୁଦ୍ଧର ଭୟାବହତାର ପ୍ରମାଣ ଦେଇ ଯୁଦ୍ଧ ବଦଳରେ ଶାନ୍ତି ପାଇଁ ଚେଷ୍ଟା କରିବାକୁ ପଡିବ ।”
ମହାରାଜ ଅଶୋକ କହିଲେ “ତେବେ ଠିକ୍ ଅଛି, କଳିଙ୍ଗ ଆକ୍ରମଣ ପାଇଁ ଯଥାବିଧି ଆୟୋଜନ ଆରମ୍ଭ କରନ୍ତୁ । ପ୍ରଥମେ ଆମର ଗୁପ୍ତଚରଙ୍କୁ କଳିଙ୍ଗ ଦେଶକୁ ପ୍ରେରଣ କରାଯାଉ । ସୈନ୍ୟ ସଂଖ୍ୟା, ସେମାନଙ୍କର କ୍ଷମତା କିପରି ଓ ସେମାନେ କେଉଁ ଧରଣର ଅସ୍ତ୍ରଶସ୍ତ୍ର ବ୍ୟବହାର କରନ୍ତି, ତାହା ବୁଝିବା ସହିତ ସେଠାକାର ଶାସକଙ୍କ ମନରେ ଭୟର ବାତାବରଣ ଉତ୍ପନ୍ନ କରିବାକୁ ହେବ । ଯାହା ଫଳରେ ସେମାନେ ପରସ୍ପର କଳହରତ ହେବେ ଓ ସେ ରାଜ୍ୟର ଏକତା କ୍ଷୂର୍ଣ୍ଣ ହୋଇଯିବ ।”
ପ୍ରଧାନମନ୍ତ୍ରୀ କହିଲେ “ଆପଣଙ୍କ ଯେପରି ଇଚ୍ଛା, ଆପଣଙ୍କ ଆଜ୍ଞା ସଙ୍ଗେ ସଙ୍ଗେ ପାଳିତ ହେବ ।”
ଏହାପରେ କଳିଙ୍ଗ ଉପରେ ଆକ୍ରମଣ କରି ବା ପାଇଁ ମଗଧ ସବୁ ଦିଗରୁ ନିଜକୁ ସଜାଗ ଓ ପ୍ରସ୍ତୁତ କରିବାରେ ଲାଗି ପଡିଲେ । ଏଣେ ପ୍ରଧାନମନ୍ତ୍ରୀ ଓ ସେନାଧିପତି ମହାରାଜାଙ୍କର ମନୋଭାବରେ ପରିବର୍ତ୍ତନ ଲକ୍ଷ କରି ବହୁତ ଖୁସୀ ହେଲେ । କଳିଙ୍ଗ ରାଜ୍ୟକୁ ଗୁପ୍ତଚର ପ୍ରେରଣ କରି ସେ ରାଜ୍ୟର ଆଭ୍ୟନ୍ତରୀଣ ବ୍ୟାପାର ସମ୍ପର୍କରେ ଖବର ସଂଗ୍ରହ କରି ଅଶୋକଙ୍କୁ ସେମାନେ ଜଣାଇଲେ । ଅଶୋକଙ୍କ ମନରେ ଯୁଦ୍ଧ ପ୍ରତି ଯେତିକି ଆଶକ୍ତି ଆସୁଥାଏ, ବିଦିଶାଙ୍କ କଥା ମନେ ପକାଇ ସେ ସେତିକି ବିଷର୍ଣ୍ଣ ହୋଇ ପଡୁଥାନ୍ତି । ଅନ୍ୟ ପକ୍ଷରେ ଯୁଦ୍ଧ ଅଭିଯାନର ଆୟୋଜନ ବେଶ୍ ସରଗରମ୍ ହୋଇ ଉଠୁଥାଏ ।