ହୁଣ୍ଡା ରାୟଙ୍କ ରାୟ

ପୁରୁଣା କାଳର କଥା । ସେତେବେଳେ ଦେଶରେ ଜମିଦାରମାନଙ୍କ ରାଜୁତି ଚାଲିଥାଏ ବୋଲି କହିଲେ ଚଳେ । ରାଜା ଥା’ନ୍ତି । କିନ୍ତୁ ରାଜା ତ ଆଉ ଗାଁ ଗଣ୍ଡା ବୁଲି ବୁଲି ହାଲ୍ ଚାଲ୍ ଦେଖିବେ ନାହିଁ! ତା’ଛଡା ସେତେବେଳେ ଆଜିକାଲି ଭଳି ଏତେ କର୍ମଚାରୀ ବି ନଥିଲେ । ତେଣୁ ଗାଁ ଗଣ୍ଡାର ଆଇନ୍ କାନୁନ୍, ନିୟମ ଶୃଙ୍ଖଳା ସବୁ ଜମିଦାରମାନଙ୍କ ଉପରେ ନ୍ୟସ୍ତ ରହିଥାଏ ।

ଖଣ୍ଡିଏ ଖଣ୍ଡିଏ ଅଂଚଳ ଉପରେ ଜଣେ ଜଣେ ବିଚାରକ ଥିଲେ । ସେ ଲୋକଙ୍କ ଅଭିଯୋଗ ଶୁଣି ରାୟ ଦେଉଥିଲେ । ସାଧାରଣତଃ ସେସବୁ ଅଂଚଳର ଜମିଦାରମାନେହିଁ କିଏ ବିଚାରକ ହେବ ସେକଥା ସ୍ଥିର କରି ରାଜାଙ୍କୁ ଜଣାଇ ଦେଉଥିଲେ । ରାଜା ସେଥିରେ ନିଜର ସମ୍ମତି ଦେଉଥିଲେ ।

ଥରେ ରଶ୍ମିପୁରର ବିଚାରକ ପଦ ଖାଲି ପଡିଲା । ସେଠିକାର ଜମିଦାର ବିଜୟ ରାୟ ଥିଲେ । ସେ ଟିକିଏ ହୁଣ୍ଡାଳିଆ ପ୍ରକୃତିର ଲୋକ ଥିଲେ ବୋଲି ଲୋକେ ତାଙ୍କୁ ହୁଣ୍ଡା ରାୟ ବୋଲି ଡାକୁଥିଲେ । ହୁଣ୍ଡା ରାୟଙ୍କୁ ତାଙ୍କର କେତେଜଣ ଖୋସାମୋଦିଆ କହିଲେ, “ହଜୁର୍! ଯିଏ ନୂଆ ବିଚାରକ ହେବ, ସେ ଆପଣଙ୍କ ଭଳି ସେତିକି ବୁଦ୍ଧିମାନ ଓ ନ୍ୟାୟଶୀଳ ହେବା ଦରକାର!”

                ହୁଣ୍ଡା ରାୟ କହିଲେ, “ଓଃ ଏମିତି କଥା? ତେବେ ମୁଁ ଏତେ କଷ୍ଟ କରି ବିଚାରକଟିଏ ପୁଣି କେଉଁଠୁ ଖୋଜିବି? ମୁଁ ବା ନିଜେ କିଆଁ ବିଚାରକ ନ ହେବି?” ସେ ସେହି ଅନୁସାରେ ରାଜାଙ୍କୁ ପତ୍ର ଲେଖିଲେ । ରାଜା ହଁ ଭରିଲେ ।

                ହୁଣ୍ଡା ରାୟ ସ୍ୱୟଂ ବାଜାବାଲା ସହ ବୁଲି ବୁଲି ପ୍ରଚାର କଲେ କି, “ପ୍ରଜାମାନେ, ତମମାନଙ୍କର ଆଉ ଭୟ ନାହିଁ । ମୁଁ ନିଜେ ବିଚାରକ ହେଲି । ମୋ ଚୁଟିକୁ ଦେଖ । ମୁଁ ଧାର୍ମିକ ଲୋକ । ଏଣିକି ଝଗଡା ହେଲେ ମୋ ପାଖକୁ ଚାଲି ଆସିବ ମୁଁ ନ୍ୟାୟ ବିଚାର କରି ରାୟ ଦେବି ।”

                ପରଦିନ ସେ ବିଚାର ପାଇଁ ବରଗଛ ମୂଳରେ ଆସି ବସିଲେ । ଠିକ୍ ସେତିକିବେଳେ ଖବର ପହଁଚିଲା, ସ୍ୱୟଂ ରାଜା ଗସ୍ତରେ ବାହାରିଛନ୍ତି । ସେ ଦିବାହାର ପର୍ଯ୍ୟନ୍ତ ସେଠି ରହିବେ ଓ ହୁଣ୍ଡା ରାୟଙ୍କ ବିଚାର ଦେଖିବେ ।

                ଘରେ ରାଜକୀୟ ଖିଆପିଆର ସମସ୍ତ ବ୍ୟବସ୍ଥା କରି ସାରି ଜମିଦାର ଗଛମୂଳକୁ ଆସି ଅପେକ୍ଷା କଲେ । ରାଜା ଆସି ସେଠାରେ ପହଁଚିଲେ । ଜମିଦାର ରାଜାଙ୍କୁ ଆସନରେ ବସାଇ ନିଜେ ଠିଆ ହୋଇ ବିଚାର ଆରମ୍ଭ କଲେ ।

                ବିଚାର ରମେଶ ପ୍ରାର୍ଥୀ ରଘୁର ନାକ କାମୁଡି ଖଣ୍ଡିଆ କରିଦେଇଥାଏ । ସେ କାହିଁକି ଏପରି କଲା ବୋଲି ଜମିଦାର ରମେଶକୁ ପଚାରିବା ମାତ୍ରେ ରମେଶ କହିଲା, “ହଜୁର୍! ମୁଁ କାହିଁକି ସେ କାମ କରିବି? ସେ ନିଜେ ନିଜ ନାକକୁ କାମୁଡିଛି!”

                ରଘୁ କହିଲା, “ଦେଖନ୍ତୁ, ଇଏ କେଡେ ମିଥ୍ୟାବାଦୀ । କେହି କ’ଣ କେବେ ନିଜ ନାକକୁ କାମୁଡି ପାରେ? ମୁହଁ ସେଯାଏଁ ପାଇବ?”

                ରମେଶ ଚଟାପଟ୍ ଉତ୍ତର ଦେଲା, “ହଜୁର୍, ଧର୍ମାବତାର! ସେ ଚୌକି ପକାଇ ତା’ ଉପରେ ଠିଆ ହୋଇ ନିଜ ନାକ କାମୁଡିଛି । ସେଥିରେ ମୁହଁ କାହିଁକି ସେଯାଏଁ ଯିବ ନାହିଁ?”

                ସେତେବେଳକୁ ହୁଣ୍ଡା ରାୟଙ୍କୁ ଭୀଷଣ ଅସୁବିଧା ଲାଗୁଥାଏ । କାରଣ ସ୍ୱୟଂ ରାଜା ସବୁ ଶୁଣୁଛନ୍ତି । ସେ କହିଲା, “ଠିକ୍, ଠିକ୍ । ରଘୁ ନିଜେ ଦୋଷୀ । ତାକୁ ଚାଳିଶ ପାହାର ବେତ ମାଡ ଦିଅ ।”

                ଏହାପରେ ସେ ରାଜାଙ୍କୁ କହିଲେ, “ମଣିମା! ମଣୋହି ବେଳ ହେଲାଣି । ମୋ ଘରକୁ ଚାଲନ୍ତୁ ।”

                ରାଜା କିଛି ନକହି ଚାଲିଲେ । ଘରେ ପହଁଚି ଜମିଦାର ତାଙ୍କ ସ୍ତ୍ରୀଙ୍କୁ ପଚାରିଲେ, “କ’ଣ, ମୋ ବିଚାର ଠିକ୍ ହେଲା? ଶୁଣୁଥିଲଟି?”

                ସ୍ତ୍ରୀ କହିଲେ “ଗଧଟିଏ ଯେମିତି ବିଚାର କରିଥାନ୍ତା, ତମେ ସେମିତି କଲ । ନିଜେ ଚୌକି ଉପରେ ଠିଆ ହୋଇ ନିଜ ନାକ କାମୁଡିବାକୁ ଚେଷ୍ଟା କଲ ଦେଖିବା!”

                ଜମିଦାର ହୁଣ୍ଡା ରାୟ ଅନେକ ଚେଷ୍ଟା କଲେ, କିନ୍ତୁ ପାରିଲେ ନାହିଁ । ସେ କହିଲେ, “ବଡ ଭୁଲ୍ ହୋଇଗଲା ତ!”

                ଉପରଓଳି ପୁଣି ବିଚାର ଆରମ୍ଭ ହେଲା । ଜମିଦାର କହିଲେ, “ରମେଶକୁ ଚାଳିଶ ବେତ ମାଡ ଦିଅ ।”

                ସେତେବେଳେ ଜମିଦାରଙ୍କ ସ୍ତ୍ରୀ ଆଢୁଆଳରୁ ସବୁ ଦେଖୁଥାନ୍ତି । ସେ ଚାହୁଁଥିଲେ କି ଜମିଦାର ପ୍ରଥମେ ଏହା କହନ୍ତୁ କି କେହି ନିଜ ନାକ କେବେବି କାମୁଡି ପାରେନା । ତେଣୁ ସେ ତାଙ୍କ ନିଜ ନାକ ପ୍ରତି ଇଙ୍ଗିତ ଦେଲେ । ଜମିଦାର ତାହା ଲକ୍ଷ୍ୟ କରି କହିଲେ, “ନାହିଁ, ନାହିଁ, ବେତମାଡ ଦରକାର ନାହିଁ । ତା’ ନାକ କାଟି ଦିଅ ।”

ସ୍ତ୍ରୀ ଏ ରାୟ ଶୁଣି ବିରକ୍ତିରେ ଦାନ୍ତ ଚିପି ନିଜ ଛାତିରେ ହାତ ବାଡେଇ ଦେଲେ । ଜମିଦାର ତାହା ଲକ୍ଷ୍ୟ କରି ରାୟ ଦେଲେ, “ରୁହ, ରୁହ । ମୋ ସ୍ତ୍ରୀ ତାଙ୍କ ନିଜ ଦାନ୍ତରେ ଯାଇ ତା’ ନାକ କାମୁଡିବେ ।”

ଜମିଦାରଙ୍କ ସ୍ତ୍ରୀ ଲଜ୍ଜାରେ ସେଠାରୁ ପଳାଇଗଲେ । ରାଜା ଆଉ ନିଜ ହସ ରୋକି ପାରିଲେ ନାହିଁ । ସେ କହିଲେ, “ଜମିଦାର! ହେଲା । ତମେ ତମ ପଶାଖେଳ, ଖାଇବା ପିଇବା ଇତ୍ୟାଦିକୁ ନେଇ ରୁହ । ଏ କାମ ତମ ପାଇଁ ନୁହେଁ । ମୁଁ ଜଣେ ବିଚାରକ ପଠାଇବି ।”

ତା’ପରେ ଦରବାର ଶେଷ ହେଲା । ରାଜା ଜଣେ ନୂଆ ବିଚାରକ ପଠାଇବାର ପ୍ରତିଶୃତି ଦେଇ ରାଜଧାନୀକୁ ବାହୁଡି ଗଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ