ଦୂର ପରବତ

ମହେନ୍ଦ୍ରପୁରର ତରୁଣ ରାଜା ଯେପରି ବୁଦ୍ଧିମାନ ସେ ଠିକ୍ ସେହିପରି ସହାନୁଭୂତିଶୀଳ ଥିଲେ । ଯେତେବେଳେ ତାଙ୍କ ବିବାହ ପାଇଁ ନାନା ଆଡୁ ପ୍ରସ୍ତାବ ସବୁ ଆସିଲା, ସେତେବେଳେ ସେ ଏହା ଜଣାଇ ଦେଲେ କି ସେ ଯେ କୌଣସି ରାଜପରିବାରରେ ବିବାହ କରିବେ, ସେଭଳି କିଛି କଥା ନାହିଁ । ଯେ କୌଣସି ସାଧାରଣ ଘରର ଝିଅ ପସନ୍ଦ ହେଲେ ସେ ତାକୁ ବିବାହ କରିବାକୁ ପ୍ରସ୍ତୁତ ।

                ଏକଥା ଚାରିଆଡେ ଅଧିକ ମାତ୍ରାରେ ପ୍ରଚାର ହୋଇଗଲା ।

                ଦିନେ ରାଜା ଓ ମନ୍ତ୍ରୀ ସେମାନଙ୍କ ଅଭ୍ୟାସ ଅନୁସାରେ ଛଦ୍ମବେଶ ପକାଇ ରାଜ୍ୟ ବୁଲି ବାହାରିଥାନ୍ତି । ରାତି ଭୋର୍ ହୋଇ ଆସୁଥାଏ । ଗୋଟାଏ ପ୍ରାନ୍ତର ଭିତରେ ସେମାନେ ଜଣେ ଯୁବକକୁ ଗୋଟିଏ ଗଛ ଚଢିବାର ଦେଖିଲେ । ଏଡେ ସକାଳେ ଯୁବକଟି କାହିଁକି ଗଛ ଚଢିଲା? ସେ ଗଛରେ ତ ଫୁଲ ନାହିଁ କି ଫଳ ବି ନାହିଁ । ରାଜା ମନ୍ତ୍ରୀ ତରବରରେ ସେ ଗଛଆଡେ ଚାଲିଲେ । ଯୁବକଟି ପ୍ରଥମେ ଦେହଛପା ଦେବାର ଚେଷ୍ଟା କଲା । କିନ୍ତୁ ସେ ପାରିଲା ନାହିଁ । ରାଜା ଓ ମନ୍ତ୍ରୀ ସେହି ଗଛ ପାଖରେ ପହଁଚି ସେ ଯୁବକକୁ ତଳକୁ ଓହ୍ଲାଇ ଆସିବା ପାଇଁ ଇଙ୍ଗିତ କଲେ । ମୁହଁରେ ଅଧା ଭୟ ଓ ଅଧା ଦୁଃଖ ମିଶା ଭାବ; ଶେଷରେ ନିରୁପାୟ ହୋଇ ସେ ଯୁବକଟି ତଳକୁ ଓହ୍ଲାଇଲା । ଖଣ୍ଡିଏ ଦଉଡି ମଧ୍ୟ ଶକ୍ତକରି ଗଛର ଡାଳରେ ସେ ବାନ୍ଧିଛି । ଜଣାଗଲା ଜୀବନରେ କୌଣସି ଗଭୀର ଦୁଃଖ ପାଇ ସେ ଯୁବକଟି ଆତ୍ମହତ୍ୟା କରିବାକୁ ଯାଉଥିଲା । ଏ ଘଟଣା ଦେଖି ରାଜାଙ୍କର ମନରେ ଯୁବକଟିର ଦୁଃଖ କ’ଣ ତାହା ଜାଣିବା ପାଇଁ ଟିକେ କୌତୁହଳ ଜାତ ହେଲା । ହୁଏତ ସେ ଏହାର କିଛି ପ୍ରତିକାର କରିପାରନ୍ତି ।

                ସେ ପଚାରିଲେ, “ଆଚ୍ଛା, ତମେ ଜଣେ ଯୁବକ, ଜାଣି ଜାଣି ଏ ଭୟଙ୍କର ପାପ କେଉଁ ଦୁଃଖରେ ଆଉ କାହିଁକି କରିବାକୁ ଯାଉଥିଲ? କ’ଣ ବା ତୁମ ଦୁଃଖର କାରଣ? ସେ ବା କିଏ ଯିଏକି ତୁମକୁ ଏ ଦୁଃଖ ଦେଇଛି? କୁହ, ମନରେ କୌଣସି ପ୍ରକାର ସଙ୍କୋଚ ନକରି କୁହ । ହୁଏତ ଆମେ ତୁମ ପାଇଁ କିଛିଟା ପ୍ରତିକାର କରିପାରିବୁ ।”

                ଯୁବକଟି ନିଃସଙ୍କୋଚରେ କହିଲା “ମୋର ଜୀବନର ସମସ୍ତ ଦୁଃଖ ପାଇଁ ଦାୟୀ କେବଳ ଏ ଦେଶର ରାଜା ।”

                ରାଜା ପଚାରିଲେ “ଏ ଦେଶର ରାଜା? ଅସମ୍ଭବ । ତୁମ ସହିତ ତାଙ୍କର କୌଣସି ପ୍ରତ୍ୟକ୍ଷ ସମ୍ପର୍କ ଅଛି କି?”

ଯୁବକଟି କହିଲା “ନା, ତେବେ ପରୋକ୍ଷ ଭାବରେ ସେହିଁ ମୋର ଆଜିର ଏହି ଅବସ୍ଥା ପାଇଁ ଦାୟୀ ।”

ରାଜା ବିସ୍ମୟାଭିଭୂତ ହୋଇ କହିଲେ, “ଏହା କିପରି ସମ୍ଭବ? ତୁମେ ମୋତେ ସେକଥା ବୁଝାଇ କୁହ । ରାଜା ଓ ମନ୍ତ୍ରୀ ଶୁଣୁଥା’ନ୍ତି । ଯୁବକଟି ନିଜ ଜୀବନକାହାଣୀ ତାଙ୍କୁ ଶୁଣାଇବାକୁ ଆରମ୍ଭ କଲା ।”

ତାହାର ଉଦ୍ଧେଶ୍ୟ କ’ଣ? ଯୁବକ ସେମାନଙ୍କୁ ମୋଟେ ମିଛ କହି ପାରିଲା ନାହିଁ । ତା’ର ନାମ ସୁବଳ । ସେ ସୁକୁମାରୀ ନାମକ ଗୋଟାଏ ଝିଅକୁ ବିଭା ହେବାକୁ ଚାହୁଁଥିଲା । କିନ୍ତୁ ସୁକୁମାରୀ ତା’ ଘରେ ସେ ଅଡି ବସିଛି କି ସେ କେବଳ ରାଜାଙ୍କୁହିଁ ବିଭା ହେବ! ରାଜା ତ ସାଧାରଣ ଘରର ଝିଅକୁ ବିଭା ହେବାକୁ ରାଜି, ଅତଏବ ସେ ତାକୁ କିଆଁ ବିଭା ନହେବେ?

ରାଜା ପଚାରିଲେ “ତମେ ସୁକୁମାରୀକୁ ତମ ମନ କଥା କହିଛ କି?”

ସୁବଳ ଉତ୍ତର ଦେଲା “କହିକି କିଛିବି ଲାଭ ନାହିଁ ।”

“ହେଲା ବାବୁ, ତମେ ଆଉ ଏମିତି ଅଧୈର୍ଯ୍ୟ ହୁଅ ନାହିଁ । ଥରେ ଆତ୍ମହତ୍ୟା କଲେ ସାତ ଜନ୍ମ କାଳ ତମକୁ ସମାନ କଷ୍ଟ ଭୋଗିବାକୁ ହେବ । ଏହା କ’ଣ ତୁମେ ଜାଣିନାହଁ? ଥୟ ଧର । ଆମେ ତମ କଥା ନିଶ୍ଚୟ ବୁଝିବା ।” ଏହିଭଳି ଭାବେ ଛଦ୍ମବେଶୀ ରାଜା ଓ ମନ୍ତ୍ରୀ ସେହି ଯୁବକଟିକୁ ଆଶ୍ୱାସନା ଦେଇ ତାକୁ ତା’ ଘରକୁ ପଠାଇ ଦେଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ