ସୁନ୍ଦରୀପରୀ ଗୁଣ୍ଡୁଚି ମୂଷି

ଗଛ ଉପରେ ଗୋଟିଏ ଗୁଣ୍ଡୁଚି ମୂଷି ବସି ପ୍ରେମୀନାନୀର ସବୁ ଦୁଃଖକୁ ଠିକ୍ ବୁଝିପାରେ । ବୁଢୀ ଆଖିରୁ ଲୁହ ଗଡିବା ଦେଖି ସେ ମୂଷି ଭାବିଲା, ନିଶ୍ଚୟ କିଛି ସାହଯ୍ୟ କରିବା ଏଇ ପ୍ରେମୀନାନୀଙ୍କୁ ।

ସେହି ଗୁଣ୍ଡୁଚିମୂଷିଟି ଅସାଧାରଣ ଗୁଣର ଅଧିକାରୀ ଥିଲା । ଦିନେ ସଂନ୍ଧ୍ୟା ସମୟରେ ପରୀମାନଙ୍କ ଗହଣରେ ସୁନ୍ଦରୀ ପରୀଟିଏ ଘୂରି ବୁଲୁଥିଲା । ଏହି ସମୟରେ ସେହି ସୁନ୍ଦରୀପରୀଟି ନଦୀପଠାର ସେ ବରଗଛଟି ଦେଖି ଅତିବ ଖୁସି ହୋଇଗଲା । ତାପରେ ସେ ପରୀ ନିଜ ଶକ୍ତି ବଳରେ ଗୁଣ୍ଡୁଚି ମୂଷା ରୂପ ଧାରଣ କରି ସେହିଠାରେ ଅତି ଶାନ୍ତିରେ ବାସ କରିଲା । ଏଣେ ଅନ୍ୟ ପରୀମାନେ ତାକୁ ନ ପାଇ, କିମ୍ବା ପାଇବା ପାଇଁ ଚେଷ୍ଟା ନ କରି ନିଜ ରାଜ୍ୟକୁ ଫେରିଗଲେ ।

ସେହି ଦିନଠାରୁ ସେ ସୁନ୍ଦରୀ ପରୀଟି ଗୁଣ୍ଡୁଚି ମୂଷା ରୂପରେ ଅନ୍ୟ ଗୁଣ୍ଡୁଚି ସହ ଖେଳେ, ଗୀତ ବୋଲି ନାଚେ । ପ୍ରେମୀନାନୀର ଦୁଃଖରେ ସେ ଗୁଣ୍ଡୁଚି ମୂଷିଟି ଯେପରି ମ୍ରିୟମାଣ ହୋଇ ପଡିଲା । ତେଣୁ ସେ ଗୋଟିଏ ଡାଲାରେ ଚାଉଳ, ଡାଲି ଓ ପନିପରିବା ଇତ୍ୟାଦି ନେଇ ପାହାନ୍ତା ରାତିରେ ସେ ପ୍ରେମୀନାନୀର ଦ୍ୱାର ମୁହଁରେ ରଖି ଦେଇ ଆସିଲା । ସକାଳୁ ଉଠି ପ୍ରେମୀ ନାନୀ ଡାଲାଭର୍ତି ଡାଲି, ଚାଉଳ, ପନିପରିବାକୁ ଘରକୁ ନେଲା । ସେସବୁକୁ ରୋଷେଇ କରି ସେ ଟିକେ ଶାନ୍ତିରେ ଖାଇଲା ।

ଏହିପରି ପ୍ରତିଦିନ ଡାଲାଭର୍ତି ଖାଦ୍ୟ ପଦାର୍ଥ ପାଇ ସେ ପ୍ରେମୀନାନୀ ବେଶ୍ ଖୁସିହୁଏ । କିଏ ଏସବୁ ତାକୁ ଦେଉଛି ବୋଲି ସର୍ବଦା ଭାବିଥାଏ । ବରଗଛ ମୂଳରେ ପାଣି ସବୁଦିନେ ଦେଇ ବୃକ୍ଷଦେବତାଙ୍କୁ ସେ ଡାକେ । ବୋଧେ ବୃକ୍ଷ ଦେବତା ତା ମନ କଥା ଜାଣିପାରି ତାକୁ ଏସବୁ ଦେଇଛନ୍ତି ବୋଲି ସେ ଭାବେ ।

ବହୁଦିନ ଧରି ସେ ଏମିତି ଖାଦ୍ୟ ପଦାର୍ଥ ଭରା ଡାଲା ପାଇଥାଏ । ତେଣୁ ଖୁବ୍ ଶାନ୍ତିରେ ସେ ତା ଜୀବନ ଧାରଣ କରିଥାଏ । ତାଙ୍କ ପଡୋଶିନୀ ଶାନ୍ତି ଅପା ପ୍ରେମୀନାନୀଙ୍କୁ ଥରେ ସନ୍ଦେହରେ ପଚାରିଲେ, କେଉଁଠୁ କ’ଣ ଆଣୁଛ, ଭଲରେ ଖାଇ ତୁ ତୋ ଦେହ ସୁସ୍ଥ ରଖିଛୁ? ଏବେ ତୋରତ ଗୋଲ୍ଗାଲ୍ ଚେହେରା ହୋଇଯାଇଛି । ରାଣ ପକାଉଛି ସତ କୁହ । ପ୍ରେମୀନାନୀ ଉତ୍ତର ଦେଲେ ନାହିଁ । ଯେତେ ପଚାରିଲେ ବି ପ୍ରେମୀନାନୀ କହିଲେ ପଛରେ କହିବି । ଆଜି ମୋ ମନ ମୋଟେ ଭଲ ନାହିଁ ।

କିନ୍ତୁ ଶାନ୍ତି ଅପା ତ ମୋଟେ ଛାଡିବାର ଜନ୍ତୁ ନୁହେଁ । ତେଣୁ ସେ ମନେ ମନେ କହିଲେ –

                ହଉ ହଉ ଲୋ ପ୍ରେମୀ ନାନୀ

                                କେଉଁଠୁ ଆଣି ତୁ ହେଉ ଧନୀ

                ଆଜି ନ କହିଲେ ନିଶ୍ଚୟ କେବେ

                                କହିବୁ ନିଶ୍ଚୟ ଜାଣିଲି ଏବେ!

ପେମୀନାନୀ ତ ଅତି ସରଳ ପ୍ରକୃତିର । ଛନ୍ଦ କପଟ ସେ ତ ଆଦୌ କିଛି ଜାଣେ ନାହିଁ । ତାପରେ ମୁହଁ ଛିଂଚାଡି ଶାନ୍ତି ଅପା ସେଠୁ ଚାଲିଗଲା ।

ପ୍ରେମୀ ନାନୀ ସେହି ରାତିଟା ପୂର୍ଣ୍ଣଭାବରେ ଅନିଦ୍ରା ରହିଲା । ତା ଦୁଃଖରେ ଭାଗୀହୋଇ ତାକୁ ସାହାଯ୍ୟ କରୁଥିବା ସେହି ଅଦୃଶ୍ୟ ଶକ୍ତିର ଅନୁସନ୍ଧାନ ନିହାତି କରିବା ଦରକାର । ଏହିପରି ଭାବନା ତା’ ମୁଣ୍ଡକୁ ଖାଲି ଅସ୍ତବ୍ୟସ୍ତ କରିପକାଉଥାଏ ।


ଗପ ସାରଣୀ

ତାଲିକାଭୁକ୍ତ ଗପ