ଆଜ୍ଞାକାରୀ କୁକୁର

ହେଲାପୁରୀ ହାଟରେ ଜଣେ ଲୋକ ଗୋଟିଏ କୁକୁର ବିକିବାକୁ ଆଣିଲା । ସେଠାରେ ଜମିଥିବା ଲୋକମାନଙ୍କୁ କୁକୁରର ଗୁଣ ବିଷୟରେ ସେ କହିଲା, “ଏହି କୁକୁରକୁ ଆପଣ ଯାହାବି କହିବେ ସେ ତାହା ଶୁଣିବ ଏବଂ ମାନିବ । ତାକୁ ଯାହା କାମ ବତେଇବେ ଯେତେ କଷ୍ଟ ହେଲେ ବି ସେ ତାହା ଅବଶ୍ୟ କରିବ ।”

                ତାଙ୍କ କଥା ଶୁଣି ସେହି ଲୋକମାନଙ୍କ ମଧ୍ୟରୁ ଜଣେ ପଚାରିଲା – “ଏହି କୁକୁରଟି ସବୁକଥା ଶୁଣୁଛି ଏବଂ ମାନୁଛି, କଷ୍ଟରୁ କଷ୍ଟତର କାମ ମଧ୍ୟ ସେ କରୁଛି । ସତରେ କହିବାକୁ ଗଲେ ଏ କୁକୁରଟି ବହୁତ ବିଶ୍ୱସ୍ତ; କିନ୍ତୁ ଆପଣ ଏହାକୁ କାହିଁକି ବିକୁଛନ୍ତି?”

                ତହୁଁ ସେ କୁକୁର ବିକିଲା ବାଲା କହିଲା – କଣ ଆଉ କରିବି ବାବୁ କାଲି ରାତିରେ ଆମ ଘରେ ଦଳେ ଚୋର ପଶିଲେ । ଏଇ କୁକୁର ତାଙ୍କ କଥା ଅନୁସାରେ ସବୁକାମ କଲା । ଯେତେବେଳେ ସେ ଚୋରମାନେ ମତେ ଓ ମୋ ସ୍ତ୍ରୀଙ୍କୁ ଖୁଂଟରେ ବାନ୍ଧୁଥିଲେ । ସେତେବେଳେ ସେ ନ ଭୁକି ଚୁପ୍ ଥିଲା । ମାନେ ସେ ଚୋରମାନଙ୍କୁ ସେମାନଙ୍କ କାର୍ଯ୍ୟରେ ସାହାଯ୍ୟ କଲା । କେବଳ ସେତିକି ନୁହେଁ, ମୁହଁରେ ଲଣ୍ଠନ ଧରି ସେ ମୋ ଘରର ମୂଲ୍ୟବାନ ଜିନିଷ ଥିବା ଯାଗା ସବୁ ଦେଖାଇଲା । ସେମାନେ ଯାହା ଚାହିଁଲେ ଏ ତାହାକଲା । ଶେଷରେ ଚୋରମାନଙ୍କୁ ସାହାଯ୍ୟ କରି ଇଏ ମୋ ଘରକୁ ଲୁଟି ମତେ ପୁରାପୁରି ବରବାଦ୍ କରିଦେଲା ।” ଏହି କଥା କହିଲା ବେଳେ ସେ ଲୋକଟି ରାଗରେ ଦାନ୍ତ ରଗଡୁଥିଲା ।

                ଏହା ଶୁଣି ସମସ୍ତେ ହସି ହସି ବେଦମ୍ ହେଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ