ବୋଧିସତ୍ତ୍ଵ ଓ ବ୍ରହ୍ମରାକ୍ଷସ

ବ୍ରହ୍ମଦତ ଯେତେବେଳେ କାଶୀନଗରୀ ଉପରେ ରାଜୁତି କରୁଥିଲେ, ବୋଧିସତ୍ତ୍ଵ ସେତେବେଳେ ଗୋଟିଏ ବଣିକ ପରିବାରରେ ଜନ୍ମ ଗ୍ରହଣ କରିଥିଲେ । ବୋଧିସତ୍ତ୍ଵଙ୍କ ପିତା ଜଣେ ନ୍ୟାୟପରାୟଣ ବଣିକ ଥିଲେ ଏବଂ ପୁତ୍ରର ଉପଯୁକ୍ତ ଶିକ୍ଷାଲାଭ ନିମନ୍ତେ ବୋଧିସତ୍ତ୍ଵଙ୍କୁ ସେ ବାରାଣସୀରେ ଅବସ୍ଥିତ ଗୋଟିଏ ବିଖ୍ୟାତ ଗୁରୁକୂଳରେ ନେଇ ଛାଡିଥିଲେ ।

                ଗୁରୁକୂଳରେ ଶିକ୍ଷା ସମାପନ କରି ବୋଧିସତ୍ତ୍ଵ ଯେତେବେଳେ ଗୃହକୁ ପ୍ରତ୍ୟାବର୍ତ୍ତନ କଲେ, ସେତେବେଳେ ପିତା ତାଙ୍କୁ କହିଲେ, “ପୁତ୍ର! ମୋର ବୟସ କ୍ରମେ ବାର୍ଦ୍ଧକ୍ୟରେ ଆସି ଉପନୀତ ହେଲାଣି । ଏପରି ପରିସ୍ଥିତିରେ ମୁଁ ବା ଆଉ କେତେଦିନ ବାଣିଜ୍ୟ ଚଳାଇ ପାରିବି? ମୋର ଇଚ୍ଛା, ତୁ ମୋ ସାଥିରେ ଚାଲ । ଦୂରଦୂରାନ୍ତରର ଯେଉଁ ସବୁ ବଣିକମାନଙ୍କ ସହ ମୋର ସମ୍ପର୍କ ରହିଛି, ସେମାନଙ୍କ ସହ ମୁଁ ତୋର ପରିଚୟ କରାଇଦେବି । ଭବିଷ୍ୟତରେ ସେମାନେ ତୋ ସହ କାରବାର କରିବେ ।”

                ବଣିକଙ୍କ ପ୍ରସ୍ତାବରେ ବୋଧିସତ୍ତ୍ଵ ଅସମ୍ମତ ହେବାର କୌଣସି ପ୍ରଶ୍ନହିଁ ଉଠୁ ନଥିଲା । ଯଥାଶୀଘ୍ର ପିତାପୁତ୍ର ଅନେକ ମଣିମାଣିକ୍ୟ ଧରି ସେସବୁ ଅନ୍ୟତ୍ର ବିକ୍ରୟ କରିବା ନିମନ୍ତେ ବାହାରି ପଡିଲେ ।

                ସେମାନେ ପ୍ରାୟ ଛଅମାସ କାଳ ବହୁ ଗ୍ରାମ ନଗରୀ ଭ୍ରମଣ କଲେ । ମଣିମାଣିକ୍ୟ ବିକ୍ରୟ ହେବା ସଙ୍ଗେ ସଙ୍ଗେ ବୋଧିସତ୍ତ୍ଵଙ୍କ ସହ ଅନ୍ୟ ବଣିକମାନଙ୍କର ମଧ୍ୟ ପରିଚୟ ହେଲା ।

                ତା’ପରେ ପିତାପୁତ୍ର ନିଜ ସହର ଅଭିମୁଖେ ଯାତ୍ରାରମ୍ଭ କଲେ । ବାଟରେ ଦିନେ ସେମାନେ ଗୋଟିଏ ନଗରୀର ସୀମାରେ ଆସି ପହଁଚିବା ବେଳକୁ ସଞ୍ଜ ହୋଇ ଯାଇଥାଏ । ସେ ନଗରୀକୁ ଗୋଟିଏ ଉଚ୍ଚ ପ୍ରାଚୀର ବେଷ୍ଟନ କରିଥାଏ । ପିତାପୁତ୍ର ସେଠାରେ ପହଁଚିବା ବେଳକୁ ନଗରୀର ଫାଟକ ସେଦିନ ସକାଶେ ବନ୍ଦ ହୋଇ ଗଲାଣି ।

                ଫାଟକ ଜଗିଥିବା ପ୍ରହରୀକୁ ବଣିକ କହିଲେ, “ଭଦ୍ରେ! ଆମ ପାଇଁ ଦ୍ୱାର ଖୋଲିଦିଅ ।”

                ପ୍ରହରୀ କହିଲା, “ମହାଶୟ, ଆପଣ ଯେ ସମ୍ଭ୍ରାନ୍ତ ଲୋକ, ତାହା ତ ଆପଣଙ୍କ କଥାବାର୍ତ୍ତା ଓ ଚେହେରାରୁ ମୁଁ ଠିକ୍ ବୁଝି ପାରୁଛି । କିନ୍ତୁ ରାଜାଙ୍କ ଆଦେଶ ଆଜିକାଲି ସୂର୍ଯ୍ୟାସ୍ତ ହେବା ମାତ୍ରେ ପ୍ରାଚୀର ଦ୍ୱାର ବନ୍ଦ କରିବାକୁ ହେବ । ସୂର୍ଯ୍ୟୋଦୟ ବେଳେ ଯାଇ ଏ ଦ୍ୱାର ଖୋଲା ହେବ । ଏଥିରେ ଅନ୍ୟଥା କଲେ ମୋର ପ୍ରାଣଟି ଯିବ ।”

                ବଣିକ ଚିନ୍ତିତ ଭାବରେ କହିଲେ, “ବଡ ଅସୁବିଧା କଥା ହେଲା ତ? ନଗରୀ ଭିତରେ କୌଣସି ଚଟିଘରେ ଯାଇ ଆମେ ଖିଆପିଆ କରିବୁ ବୋଲି ଭାବିଥିଲୁ । ହେଲେ ବର୍ତ୍ତମାନ କ’ଣ କରାଯିବ?”

                ପ୍ରହରୀ କହିଲା, “ମହାଶୟ, ମୋ କୁଡିଆ ଏଇଠି । ମୋ ପାଖରେ ରୋଷେଇବାସ କରିବା ନିମନ୍ତେ ସାଜସରଞ୍ଜାମ ଅଛି । ଭରପୁର୍ ପାଣି ମଧ୍ୟ ରହିଛି । ହେଲେ, କୌଣସି ଖାଦ୍ୟସାମଗ୍ରୀ ନାହିଁ । ଆପଣଙ୍କ ପାଖରେ ଯଦି ଖାଦ୍ୟ ସାମଗ୍ରୀ ଅଛି, ତେବେ ଆପଣ ମୋ କୁଟୀରରେ ରୋଷେଇ କରି ଖାଇନେଇ ପାରନ୍ତି ।”


ଗପ ସାରଣୀ

ତାଲିକାଭୁକ୍ତ ଗପ