ତାରାମତୀ କଥା

       ଭାଲୁ ଏବଂ ରାଜକୁମାର ପରସ୍ପରର ସ୍ଥାନ ବଦଳ କଲେ        । ଭାଲୁ ଯେତେବେଳେ ଶୋଇ ଘୁଙ୍ଗୁଡି ମାରିଲା ଠିକ୍ ସେତିକିବେଳେ ଗଛ ତଳେ ଜଗି ରହିଥିବା ବାଘ ରାଜକୁମାରକୁ କହିଲା, “ମୋ କଥା ମାନ । ତୁ ଭାଲୁକୁ ତଳକୁ ଠେଲି ଦେ । ମୁଁ ତାକୁ ନେଇ ଚାଲିଯିବି । ତୋ’ର କିଛି କ୍ଷତି କରିବିନି । ତୁ ସ୍ୱଇଚ୍ଛାରେ ଘରକୁ ଫେରି ଯାଇ ପାରିବୁ ।

       ବାଘର କଥାରେ ଭୁଲି ରାଜକୁମାର ଭାଲୁକୁ ଗଛ ଡାଳରୁ ଠେଲିଦେବା ସମୟରେ ତା’ର ନିଦ ଭାଙ୍ଗିଗଲା । ସେ ଭଲ ଭାବରେ ଡାଳକୁ ଜାବୋଡି ଧରିଥିବାରୁ ପଡିଗଲା ନାହିଁ । ସେ ରାଗିଯାଇ ରାଜକୁମାରକୁ କହିଲା, “ତୁମ ପରି ମିତ୍ରଦ୍ରୋହୀ ଆଉ ବିଶ୍ୱାସ ଘାତକ କେହି ନାହିଁ । ବାଘ ତମ ପରି ମତେ ମଧ୍ୟ ଉସ୍କାଇ ଥିଲା । ଅଥଚ ମୁଁ ତା କଥାମାନି ତମକୁ ବିପଦକୁ ଠେଲି ନ ଦେଇ ମୋର ଜବାବ୍ ରକ୍ଷା କଲି । ମାତ୍ର ତମେ? ଠିକ୍ ଅଛି ଆଜିଠାରୁ ତମେ ଘୁଙ୍ଗା ଆଉ ଜଡା ପାଲଟିଯିବ ।”

       ସକାଳ ହେଲା । ବାଘ ପଳାଇଲା । ଭାଲୁ ତା’ ବାଟରେ ଚାଲିଗଲା । ରାଜକୁମାର ସେମିତି ସେଇ ଗଛମୂଳେ ଠିଆ ହୋଇଥାଏ । କଥା କହି ପାରୁ ନଥାଏ କି କିଛି ଶୁଣି ପାରୁ ନଥାଏ । ତା’ର ସାଙ୍ଗମାନେ ଖୋଜି ଖୋଜି ଆସି ସେଠାରେ ପହଁଚିଲେ ଏବଂ ତାକୁ ନେଇ ରାଜ୍ୟକୁ ଫେରିଲେ । ପୁଅର ଏମିତି ଦୟନୀୟ ଅବସ୍ଥା ଦେଖି ରାଜା ଖୁବ୍ ମ୍ରିୟମାଣ ହୋଇ ପଡିଲେ । ବଡ ବଡ ବୈଦ୍ୟମାନେ ଚିକିତ୍ସା କରିବାକୁ ଆସି ହାର ମାରିଲେ । ରାଜା ନିରାଶ ହୋଇ ପଡିଲେ । ରାଜ କୁମାରର କ’ଣ ହୋଇଛି କେହି ବୁଝି ପାରିଲେ ନାହିଁ ।

       ମନ୍ତ୍ରୀ ଯେତେବେଳେ ଲୁଚେଇ ରଖିଥିବା ଶିଳ୍ପୀଙ୍କୁ ଭେଟି ରାଜକୁମାରଙ୍କ ଅବସ୍ଥା କଥା କହିଲେ । ସେ ତାଙ୍କର ଦିବ୍ୟଜ୍ଞାନ ବଳରେ ସଫଳ ଚିକିତ୍ସା କରିପାରିବେ ବୋଲି ପ୍ରତିଶୃତି ଦେଲେ ।

       ପରଦିନ ମନ୍ତ୍ରୀ ଶିଳ୍ପୀଙ୍କ ଛଦ୍ମବେଶ କରାଇ ରାଜମହଲକୁ ନେଇ ଗଲେ । “ରାଜକୁମାରଙ୍କୁ ଦେଖି ଶିଳ୍ପୀ, ଜଙ୍ଗଲରେ ଘଟିଥିବା ସମସ୍ତ ଘଟଣା ବର୍ଣ୍ଣନା କଲେ ଏବଂ କହିଲେ, ରାଜକୁମାର ବିଶ୍ୱାସ ଘାତକତା କରିଥିବାରୁ ତହିଁର ଦଣ୍ଡ ଭୋଗୁଛନ୍ତି । ସେ ନିଜର ଭୁଲ୍ ସ୍ୱୀକାର କରି ଅନୁତାପ କଲେ ଭଲ ହୋଇ ଯିବେ ।”

       ରାଜକୁମାର ସମସ୍ତ କଥାମାନି ନିଜର କୃତକର୍ମ ପାଇଁ ଦୁଃଖ ପ୍ରକାଶ କରିବାରୁ ତାଙ୍କର ବାକ୍ଶକ୍ତି ଓ ଶ୍ରବଣ ଶକ୍ତି ଫେରି ଆସିଲା । ରାଜା ପଚାରିଲେ, “ତମେ କେମିତି ସବୁକଥା ଜାଣିଲ?”

       ଶିଳ୍ପୀ କହିଲେ, “ମୋର ଦିବ୍ୟଜ୍ଞାନ ବଳରେ ଠିକ୍ ଯେମିତି ଶିଳ୍ପୀ ଆପଣଙ୍କ ରାଣୀଙ୍କ ଡାହାଣ ଜଙ୍ଘରେ ଥିବା ତିଳଚିହ୍ନ କଥା ଜାଣି ପାରିଥିଲେ ।

       ରାଜା ଛଦ୍ମବେଶୀ ଶିଳ୍ପୀଙ୍କୁ ଚିହ୍ନି ପାରିଲେ ଏବଂ ନିଜର ଭୁଲ୍ ନିଷ୍ପତି ପାଇଁ ଦୁଃଖ ପ୍ରକାଶ କଲେ । ମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ । ଶିଳ୍ପୀଙ୍କୁ ଉପଯୁକ୍ତ ପୁରସ୍କାର ଦେଲେ ।

       ବିଦ୍ୱାନ ଜଣକ ମହାରାଜ ବିକ୍ରମାଦିତ୍ୟଙ୍କୁ ଗୋଟିଏ ଶ୍ଲୋକର ତର୍ଜମା କରି ବିଶ୍ୱାସଘାତକତାର ଫଳ ସମ୍ପର୍କରେ ବୁଝାଇଥିଲେ । ସେଥିପାଇଁ ମହାରାଜ ତାଙ୍କୁ ଏକଲକ୍ଷ ପୁରସ୍କାର ଦେଇଥିଲେ ।

       “ଏବେ କୁହନ୍ତୁ ଭୋଜରାଜ! ଆପଣ ଜୀବନରେ କେବେ କୌଣସି ଗୁଣୀ ବ୍ୟକ୍ତିଙ୍କୁ ଏମିତି ଦାମୀ ପୁରସ୍କାର ଦେଇଛନ୍ତି? ତେବେ ଆସନ୍ତୁ । ମୁଁ ଆପଣଙ୍କୁ ସ୍ୱାଗତ କରୁଛି ।”

       ଭୋଜରାଜ ନିଜକୁ ଲଜ୍ଜିତ ମନେ କରି ଫେରିଗଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ