ସ୍ୱପ୍ନ ବିଳାସ

ଅନେକ ଦିନ ତଳର କଥା । ଅବନ୍ତୀପୁର ରାଜ୍ୟର ଗୋଟିଏ ଗାଁରେ ଗୋଟାଏ ବାଳକ ଥାଏ, ଯାହାକୁ ଲୋକେ ବିଳାସ ବୋଲି ଡାକୁଥାନ୍ତି । କଥା କ’ଣ କି, ଭୋଗବିଳାସରେ ରହିବା ପାଇଁ ତା’ର ବାସନା ଏଡେ ପ୍ରବଳ ଯେ ଲୋକେ ତା’ର ଅସଲ ନାମ ଭୁଲିଯାଇଥାନ୍ତି ।

                ଏକଦିଗରେ ଭୋଗବିଳାସରେ ରହିବାର ଇଚ୍ଛା, ଅନ୍ୟ ଦିଗରେ କିନ୍ତୁ ପରିଶ୍ରମ କରିବା ପାଇଁ ଅନିଚ୍ଛା – ଏହାହିଁ ହେଲା ସେ ବାଳକର ମନୋଭାବ । ଏଥିରେ ବିଳାସ ପାଇଁ ଆବଶ୍ୟକୀୟ ଅର୍ଥ ବା ସୁଯୋଗ କାହୁଁ ଆସିବ?

                ଥରେ ସେ ଗାଁର ଶିବମନ୍ଦିରରେ ଆସି ଜଣେ ସନ୍ନ୍ୟାସୀ ଆଶ୍ରୟ ନେଲେ । ବିଳାସ ଯାଇ ତାଙ୍କର ସେବା ଶୁଶ୍ରୁଷା କରିବାକୁ ଲାଗିଗଲା । ସନ୍ନ୍ୟାସୀ ସେଥିରେ ତାକୁ କିଛିବି କହୁ ନଥାନ୍ତି ।

                ଦିନେ ସନ୍ନ୍ୟାସୀ ମନ୍ଦିରରୁ ବିଦାୟ ନେଇ ଚାଲିଯିବାକୁ ବସିଲେ । ବିଳାସ ଯାଇ ତାଙ୍କୁ ପ୍ରଣାମ କରି କହିଲା, “ବାବା, ମୋତେ କିଛି ବର ଦିଅନ୍ତୁ ।”

                ତା’ର ଏଭଳି କଥା ଶୁଣି ସେ ସନ୍ନ୍ୟାସୀ ଜଣକ ବଡ ଗମ୍ଭୀର ହୋଇ କହିଲେ, “ଯିଏ ସାଧନା କରିବାକୁ ଚାହୁଁଥିବ ବା ଭଗବାନଙ୍କୁ ପାଇବାକୁ ଚାହୁଁଥିବ, ମୁଁ କେବଳ ତାକୁହିଁ ସାମାନ୍ୟ ସାହାଯ୍ୟ କରିପାରେ । ତୋର ଇଚ୍ଛା ତୁ ସଦା ସର୍ବଦା ଆରାମ୍ରେ ରହିବୁ । ମୁଁ ସେଥିଲାଗି ତୋତେ କି ପ୍ରକାର ସାହାଯ୍ୟ ଦେଇ ପାରିବି?”

                ତା’ପରେ ସେ ବିଳାସ ନିଜକୁ ଆଉ ସମ୍ଭାଳି ନ ପାରି କହିଲା “ଆଜ୍ଞା, ମୁଁ ଆପଣଙ୍କର ଏତେ ସେବା କଲି ଆଉ ଆପଣ ମୋତେ କିଛି ବର ନଦେଇ ଏଇଠୁ ଏମିତି ଚାଲିଯିବେ?”

                ବିଳାସ ଅବଶ୍ୟ ଯେତେ ଦୂର ସମ୍ଭବ ନମ୍ର ଭାବରେ ଏକଥା କହିଲା; କିନ୍ତୁ ସେବା ପଛରେ ଥିବା ତା’ର ସ୍ୱାର୍ଥପର ଉଦ୍ଧେଶ୍ୟ ତାହା ସ୍ପଷ୍ଟ ହୋଇଗଲା । ତା’ର ଏଭଳି କଥା ଶୁଣି ସେ ସନ୍ନ୍ୟାସୀ ନୀରବ ରହିଲେ । ବିଳାସର ଆଉ ଧୈର୍ଯ୍ୟ ନଥାଏ । ସେ ପୁଣି କହିଲା, “ଆଜ୍ଞା, ଆପଣଙ୍କୁ ସେବା କଲେ କେତେ ଲାଭ ପାଇବି ବୋଲି ମୁଁ ସ୍ୱପ୍ନ ଦେଖୁଥିଲି!”

                ସନ୍ନ୍ୟାସୀ ପଚାରିଲେ“ସ୍ୱପ୍ନ ଦେଖୁଥିଲ?”

                ତା’ପରେ ସେ ବିଳାସ କହିଲା “ହଁ, ଆଜ୍ଞା”

                “ବାପା, ମୁଁ ତ ତୋତେ କେବେ ମୋର ସେବା କରିବାକୁ କହିନଥିଲି କିମ୍ବା ତୁ ସେବା କରିବାର ଦେଖି ମୁଁ ବିଶେଷ ଉତ୍ସାହ ଅନୁଭବ କରୁନଥିଲି । ଠିକ୍ ଅଛି । ମୁଁ ତୋତେ ଗୋଟାଏ ବର ଦେଉଛି । ତୁ ଯେଉଁ ସ୍ୱପ୍ନ ଦେଖିବୁ, ତାହା ସତ ହେବ । ସେଥିରେ ତୋର ଭଲ ହେବ କି ମନ୍ଦ ହେବ, ସେକଥା ମୁଁ ଅବଶ୍ୟ କହିପାରିବି ନାହିଁ । ଆଉ ତୋର ଏ ଶକ୍ତି ଅଳ୍ପଦିନ ରହିବ ।” ସେ ସନ୍ନ୍ୟାସୀ ଜଣକ ଏହା କହି ବିଳାସ ମୁଣ୍ଡରେ ଥରେ ହାତ ଥୋଇଦେଇ ସେଠାରୁ ଚାଲିଗଲେ ।

ଏଣେ ଏ ବିଳାସ ବହୁତ ଖୁସି ହୋଇଗଲା । ସ୍ୱପ୍ନ ସତ ହେଲେ ନିଶ୍ଚୟ ତା’ର ବହୁତ ଲାଭ ହେବ ବୋଲି ସେ ଧରିନେଲା । କିଛିଦିନ ପରେ ସେ ଯାଇ ଅବନ୍ତୀପୁରର ରାଜଧାନୀରେ ପହଁଚିଲା । ସେଠାରେ ଗୋଟାଏ ଚଟିଘରେ ବିଶ୍ରାମ ନେଉଥିବାବେଳେ ଲୋକେ ରାଜାଙ୍କ ବିଷୟରେ ଆଲୋଚନା କରୁଥିବାର ସେ ଶୁଣିଲା । ସେଠିକା ରାଜା କୁଆଡେ ବହୁତ ଦୟାଳୁ ଓ ବହୁତ ସାହସୀ । ଯେକୌଣସି ଗରୀବ ବା ଦୁଃଖୀ ଲୋକ ତାଙ୍କ ପାଖରୁ ସାହାଯ୍ୟ ଭିକ୍ଷା କରି କେବେବି ନିରାଶ ହୁଏନାହିଁ ।

ଏହା ଶୁଣୁ ଶୁଣୁ ହଠାତ୍ ତାକୁ ନିଦ ହୋଇଗଲା । ତା’ପରେ ସେ ସ୍ୱପ୍ନ ଦେଖିଲା, ରାଜା ରାତିରେ ଏକୁଟିଆ ରାସ୍ତାରେ ଚାଲିଛନ୍ତି । ଜଣେ ବୁଢା ଲୋକ ତାଙ୍କୁ କହିଲା, “ଆପଣ ଜଣେ ସାହସୀ ବୀର ଭଳି ଦିଶୁଛନ୍ତି । ମୋ କୁଡିଆରେ ଗୋଟାଏ ହେଟା ପଶିଛି । ଆପଣ ତାକୁ ମାରି ପାରିବେ? ଏହାପରେ ରାଜା ସେ ବୁଢା ପଛେ ପଛେ ଗଲେ । ଠିକ୍ ଏହି ସମୟରେ ବିଳାସର ନିଦ ଅଚାନକଭାବେ ଭାଙ୍ଗିଗଲା ।”


ଗପ ସାରଣୀ

ତାଲିକାଭୁକ୍ତ ଗପ