ପ୍ରସାଦ ଓ ବିମଳ ପ୍ରତିବେଶୀ ଥିଲେ । ତେବେ ସେମାନେ ଯେଉଁ ଦୁଇଟି ଘର ଭଡା ନେଇ ରହୁଥିଲେ, ସେ ଘର ଦୁଇଟି ମଝିରେ ଆଉ ଗୋଟିଏ ଘର ଥିଲା । ସେ ମଝି ଘରଟି ବହୁଦିନ ପର୍ଯ୍ୟନ୍ତ ଖାଲି ପଡିଥିଲା ।
ପ୍ରସାଦ ଓ ବିମଳ ଭିତରେ ବେଶ୍ ସଦ୍ଭାବ ଥିଲା ।
ବିମଳର କେତୋଟି ଛେଳି ଥିଲେ । ଏହା ଯେଉଁ ସମୟର କଥା କୁହାଯାଉଛି, ସେ ସମୟରେ ସହର ଗୁଡିକ ଆଜି ଭଳି ଜନାକୀର୍ଣ୍ଣ ହୋଇ ନଥିଲେ । ସହରର ଆଖପାଖ ଅଂଚଳରେ ଓ ଏପରିକି ସହର ମଝିରେ ମଧ୍ୟ ଅନେକ ସ୍ଥାନ ପଡିଆ ପଡିଥାଏ । ତେଣୁ ଛେଳି ଖାଇବା ଭଳି ଘାସର କୌଣସି ଅଭାବ ନଥାଏ ।
ଦିନେ ତା’କାମକୁ ବାହାରିଗଲା ବେଳେ ବିମଳ ଦେଖିଲା, ତା’ ଘର ଓ ପ୍ରସାଦ ଘର ମଝିରେ ରହିଥିବା ଖାଲି ଘର ଚାରିପଟ ପଡିଆରେ ବହୁତ ଘାସ ବଢିଛି । ଏଣୁ ସେ ତା’ ଚାକରକୁ ଡାକି ସେହି ପଡିଆରେ ଛେଳିଗୁଡିକୁ ଚରାଇ ଆଣିବାକୁ କହିଲା ।
ସେ ଚାକରଟି ତ ନୂଆ କରି ଗାଁରୁ ଆସି ତହିଁ ପୂର୍ବଦିନ ବିମଳ ଘରେ କାମରେ ଯୋଗ ଦେଇଥାଏ । ସେ ଖାଲି ଘର ପଡିଆକୁ ଛେଳିମାନଙ୍କୁ ନେବା ପରିବର୍ତ୍ତେ ସେମାନଙ୍କୁ ନେଇ ପ୍ରସାଦର ବସାଘର ବାଡିରେ ପୁରାଇ ଦେଲା । ସେତେବେଳେ ପ୍ରସାଦ ଘରେ ନଥିଲା । କିଛି ସମୟ ପରେ ସେ ଲେଉଟି ଆସି ସେ ଦୃଶ୍ୟ ଦେଖି ପାଟିକରି କହିଲା, “ଆରେ, ତୋର ଏଡେ ସାହସ, ତୁ ମୋ ବଗିଚା ନଷ୍ଟ କରୁଛୁ?”
ଏହା ଶୁଣି ସେ ଚାକର ଉତ୍ତର ଦେଲା “ମୁଁ କ’ଣ ଜାଣେ? ମୋ ମାଲିକ ମୋତେ ତ ସେଇଆ ହିଁ କହିଲେ ।”
“ତୋ ମାଲିକ ନର୍କକୁ ଯାଉ!” ଏହା କହି ପ୍ରସାଦ ଛେଳିମାନଙ୍କୁ ତଥା ବିମଳର ଚାକରକୁ ସେଠାରୁ ଘଉଡାଇ ଦେଲା ।
ବିମଳ କାମରୁ ଫେରିବା ପରେ ଚାକର ତାକୁ କହିଲା, “ତୁମ ପଡୋଶୀ ତୁମକୁ ନର୍କକୁ ଯିବାକୁ କହୁଛି!”
ବାସ୍! ତା’ପରେ ଏତିକି କଥାରେ ସେ ଦୁଇ ପ୍ରତିବେଶୀ ପରସ୍ପର ପରସ୍ପରର ଶତ୍ରୁ ହୋଇଗଲେ । ସେମାନେ ଯେ ଉପରେ କିଛି ବିବାଦ ବା କଳି କଲେ, ତାହା ନୁହେଁ, କିନ୍ତୁ କେହି କାହା ସହିତ କଥାବାର୍ତ୍ତା କରିବା ତ ଦୂରର କଥା, କେହି କାହା ଛାଇ ମଧ୍ୟ ସୁଦ୍ଧା ଆଦୌ ମାଡିଲେ ନାହିଁ ।
ଏହାର କିଛିଦିନ ପରେ ମଝିରେ ଖାଲିଥିବା ଘରେ ରବି ଆସି ରହିଲା । କେଇ ଘଂଟା ଭିତରେ ସେ ବୁଝିପାରିଲା ଯେ ତା’ ଘର ଦୁଇକଡେ ଥିବା ଦୁଇ ଭଦ୍ରଲୋକ ପରସ୍ପର ପ୍ରତି କୃଦ୍ଧ । ସେଭଳି ଦୁଇଜଣ ପ୍ରତିବେଶୀଙ୍କ ମଝିରେ ରହିବା ଶୁଭଙ୍କର ନୁହେଁ ବୋଲି ରବିର ଧାରଣା ହେଲା । ସେ ଜଣକୁ ସମର୍ଥନ କଲେ ଅନ୍ୟଜଣେ ତା’ର ଶତ୍ରୁ ହେବ । ସେ ବିମଳର ଚାକରଠୁଁ ଦୁଇଜଣଙ୍କ ଭିତରେ ଉପୁଜିଥିବା ଶତ୍ରୁତାର କାରଣ ବୁଝିନେଲା । ସେ ସଂନ୍ଧ୍ୟାବେଳେ ପ୍ରସାଦ ସହ କଥାବାର୍ତ୍ତା ହେଲାବେଳେ କହିଲା, “ଆପଣ ଦୁଇଜଣଙ୍କ ଭଳି ସହୃଦୟ ପ୍ରତିବେଶୀ ପାଇଁ ମୁଁ ବଡ ଭାଗ୍ୟବାନ । ଥରେ ବିମଳବାବୁଙ୍କ ବୋକା ଚାକର ଆପଣଙ୍କ ବଗିଚା ନଷ୍ଟ କଲା । ଅଥଚ ଆପଣ ବିମଳବାବୁଙ୍କୁ ପଦେ ବି କିଛି କହିଲେ ନାହିଁ । ଏହି କଥାକୁ ନେଇ ବିମଳବାବୁ ବହୁତ ଲଜ୍ଜିତ ।”
କିଛି ସମୟ ପରେ ସେ ରବି ଯାଇ ବିମଳକୁ କହିଲା, “ଆପଣଙ୍କ ଭଳି ଦୁଇଜଣ ମହତ୍ ପ୍ରତିବେଶୀ ପାଇ ମୁଁ ନିଜକୁ ବଡ ଭାଗ୍ୟବାନ ମନେ କରୁଛି । ପ୍ରସାଦବାବୁ ଥରେ କେମିତି ନ ଜାଣି ଆପଣଙ୍କ ଉପରେ ଗୋଟାଏ କଟୁ କଥା କହିଦେଲେ, ଅଥଚ ଆପଣ ଥରେ ବି ତାଙ୍କୁ କିଛି ହେଲେ ବି କହିଲେ ନାହିଁ, ସେକଥା ମୁଁ ଶୁଣିଛି । ତେଣୁ ପ୍ରସାଦବାବୁ ତାଙ୍କ ମନେ ମନେ ଘୋର ଲଜ୍ଜା ଅନୁଭବ କରୁଛନ୍ତି ।”
ପରଦିନ ସକାଳେ ଦେଖାଗଲା, ତିନି ପ୍ରତିବେଶୀ ଏକତ୍ର ଖୁସିରେ ଗପସପ ହେଉଛନ୍ତି ।