ଭୁବନସୁନ୍ଦରୀ

(ଟ୍ରୋୟ ରାଜାଙ୍କ ପୁତ୍ର ମୋହନ ଭୁବନସୁନ୍ଦରୀଙ୍କୁ ନେଇ ଆସିଲେ, ଗ୍ରୀକମାନେ ସେମାନଙ୍କର ନିଜ ଜାହାଜରେ ସୈନ୍ୟ ଓ ବୀରମାନଙ୍କୁ ଧରି ଆସି ଟ୍ରୋୟ ନଗରୀରେ ପହଁଚିଲେ ଓ ଟ୍ରୋୟ ନଗରୀକୁ ଘେରାଉ କଲେ; ପାଖ ପଡୋଶୀ ରାଜ୍ୟମାନଙ୍କୁ ଅଧିକାର କରି, ସେମାନେ ସେଠାରୁ ଲୁଣ୍ଠନ କରିଚାଲିଲେ । ନଅବର୍ଷ ଧରି ସେମାନେ ଘେରି ରହିଲେ । ବଡ ଯୁଦ୍ଧ ପ୍ରାୟ ହେଉ ନଥିଲା । କିନ୍ତୁ ଏମାନଙ୍କ ପକ୍ଷରୁ ଓ ସେମାନଙ୍କ ପକ୍ଷରୁ ବହୁ ଛୋଟ ଛୋଟ ଯୁଦ୍ଧ ହେଉଥାଏ ଓ ନାନା ଘଟଣାସବୁ ଘୁଟୁଥାଏ । ଏଣିକି ଆଗକୁ ପଢନ୍ତୁ ।)

                ଟ୍ରୋୟ ନଗରୀକୁ ଗ୍ରୀକ୍ମାନେ ବର୍ଷ ବର୍ଷ ଧରି ଘେରି ରହିଲେ । କିନ୍ତୁ ଯୁଦ୍ଧ ହୋଇ ପାରିଲା ନାହିଁ । ଶୀତକାଳରେ ସେମାନେ ନିଜ ଶିବିର ଅଧିକ ସଂଖ୍ୟାରେ ତିଆରି କଲେ, ପାଖ ରାଜ୍ୟ ଲୁଟି ଖାଦ୍ୟ ଇତ୍ୟାଦି ସଂଗ୍ରହ କଲେ । ତା’ପରେ ସେମାନେ ଅସ୍ତ୍ରପ୍ରୟୋଗ ଆଦି ଅଭ୍ୟାସ କରି ସମୟ ବିତାଇଲେ ।

ଯୁଦ୍ଧଭୂମିଠାରୁ କିଛି ଦୂରରେ ସୂର୍ଯ୍ୟଙ୍କର ଗୋଟିଏ ମନ୍ଦିର ଥିଲା । ସେଠାରେ ବଳି ଦିଆଯାଉଥାଏ । ସେହି ମନ୍ଦିରରେ ପୂଜା କରିବା ପାଇଁ ଦୁଇପକ୍ଷର ଲୋକ ଆସୁଥା’ନ୍ତି । ଟ୍ରୋୟ ନଗରୀରେ କେତେକ ଜଣାଶୁଣା ବ୍ୟକ୍ତିଙ୍କ ସହିତ ଗ୍ରୀକ୍ମାନେ ସେହି ମନ୍ଦିରରେ ଦେଖା କରୁଥା’ନ୍ତି ଓ କଥାବାର୍ତ୍ତା ବି କରୁଥାନ୍ତି ।

ଦିନେ ବଜ୍ରକାୟ ବଳି ଦେବାକୁ ଆସିଥାନ୍ତି, ରାଜା ବର୍ଦ୍ଧନଙ୍କର ରାଣୀ ଓ ଝିଅ ପ୍ରମୋଦିନୀ ମଧ୍ୟ ମନ୍ଦିରକୁ ଆସିଥା’ନ୍ତି । ପ୍ରମୋଦିନୀ ଅତ୍ୟନ୍ତ ସୁନ୍ଦରୀ ଥିଲେ । ତାଙ୍କୁ ଦେଖିବାମାତ୍ରେ ବଜ୍ରକାୟ ତାଙ୍କ ପ୍ରତି ଆକୃଷ୍ଟ ହେଲେ । ସେ ଶିବିରକୁ ଫେରିବାମାତ୍ରେ ବୀରସିଂହଙ୍କ ପାଖକୁ ଦୂତ ଦ୍ୱାରା କହି ପଠାଇଲେ କି ସେ ତାଙ୍କ ଭଉଣୀ ପ୍ରମୋଦିନୀଙ୍କୁ ବିବାହ କରିବାକୁ ଚାହାଁନ୍ତି । କିନ୍ତୁ ବୀରସିଂହ କହି ପଠାଇଲେ “ତୁମେ ଯଦି ସେପରି ଚାହଁ, ତେବେ ଗ୍ରୀକ୍ ଶିବିର ଛାଡି ଚାଲିଆସ । ପୁଣି ଆମେ ଯେ ତୁମକୁ ବିଶ୍ୱାସ କରିବୁ ସେଥିପାଇଁ ସର୍ତ୍ତ ହେଲା, ତୁମେ ଏଠାକୁ ଆସିବା ପୂର୍ବରୁ କେତେକ ନାମକରା ଗ୍ରୀକ୍ ସେନାପତିଙ୍କୁ ମାରିବାପରେ ଏଠାକୁ ଚାଲିଆସିବ । ତେବେ ଆମେ ତୁମକୁ ବିଶ୍ୱାସ କରିବୁ ଓ ତୁମର ବିବାହ ସମ୍ପନ୍ନ ହେବ ।”

ଏହି ସର୍ତ୍ତକୁ ବଜ୍ରକାୟ ସ୍ୱୀକାର କଲେ ନାହିଁ, କିନ୍ତୁ ବହୁବାର ଯୁଦ୍ଧ ମଧ୍ୟରେ ବଜ୍ରକାୟ ବୀରସିଂହଙ୍କ ସହିତ ଦେଖା କରିବାକୁ ଚେଷ୍ଟା କରୁଥା’ନ୍ତି; ଥରେ ସେ ଯିବା ବେଳେ ତାଙ୍କର ଜଣେ ଭାଇ ତାଙ୍କ ଉପରକୁ ବର୍ଚ୍ଛା ଚଳାଇ ତାଙ୍କୁ ଆହତ କରିଦେଇଥିଲେ ।

ଯୁଦ୍ଧର ପରିସ୍ଥିତି ଦେଖି ଜଣାଯାଉଥିଲା ଯେ ଦେବତାମାନେ ଗ୍ରୀକ୍ଙ୍କ ପ୍ରତି ଅନୁକୂଳ ନଥିଲେ । ପ୍ରଥମେ ବଜ୍ରକାୟ ଟ୍ରୋୟର ଆଖପାଖରେ ଥିବା ଛୋଟ ରାଜ୍ୟମାନ ଲୁଟି ଧନ ଓ ଖାଦ୍ୟ ସଂଗ୍ରହ କରୁଥିଲେ । ସେହି ଲୁଟତରାଜ ମଧ୍ୟରେ ସୁନ୍ଦରୀ ଝିଅମାନଙ୍କୁ ମଧ୍ୟ ନେଇ ପଳାଇ ଆସୁଥିଲେ ଓ ସେମାନଙ୍କୁ ନିଜ ପରିଚାରିକା କରି ରଖୁଥିଲେ, ସେମାନଙ୍କ ମଧ୍ୟରେ ଦୁଇଜଣ ସୁନ୍ଦରୀ ଝିଅ ଥିଲେ, ତାଙ୍କ ନାମ ହେଲା ହେମା ଓ ଭାମିନୀ । ଯେତେବେଳେ ସେମାନଙ୍କୁ ବଂଟା ହେଲା ସେତେବେଳେ ହେମା ସମ୍ରାଟଙ୍କ ଭାଗରେ ପଡିଲା ଓ ଭାମିନୀ ବଜ୍ରକାୟଙ୍କ ଭାଗରେ ପଡିଲା । ହେମାର ବାପା ହେମାମ୍ବର ସୂର୍ଯ୍ୟ ଉପାସକ ଥିଲେ । ସେ ନିଜ ଝିଅକୁ ଫେରାଇ ନେବାକୁ ଚାହୁଁଥିଲେ । ତେଣୁ ଅନେକ ମୂଲ୍ୟବାନ୍ ଜିନିଷସବୁ ସମ୍ରାଟଙ୍କୁ ଭେଟି ଦେଇଥିଲେ ଓ ଅନୁରୋଧ କରିଥିଲେ କି ତାଙ୍କ ଝିଅକୁ ଯେପରି ଫେରାଇ ଦିଆଯାଉ । କିନ୍ତୁ ସମ୍ରାଟ ସେଥିରେ ରାଜି ହୋଇ ନଥିଲେ ।

ହେମାର ବାପା ଦୁଃଖିତ ହୋଇ ଫେରିଯିବା ପରେ ବହୁତ ରାଗି ଯାଇଥିଲେ । କିଛି ଦିନ ଧରି ଗ୍ରୀକ୍ ଶିବିର ଉପରେ ଅନବରତ ବାଣବର୍ଷା ହେବାକୁ ଲାଗିଲା । ଅନେକ ସୈନ୍ୟ ମଲେ । ଏକଥା କିଏ କରୁଛି ଓ କାହିଁକି କରୁଛି ତାହା କେହି ମଧ୍ୟ ଜାଣି ପାରିଲେ ନାହିଁ । ଶେଷକୁ ଗ୍ରୀକ୍ ଜାହାଜର ଦିଗଦର୍ଶକ କାଂଶୁକ ଏକଥା ଜାଣିପାରିଲେ । ସେ କହିଲେ, “ହେମାମ୍ବର ସୂର୍ଯ୍ୟୋପାସକ; ସେ ତାଙ୍କ ଝିଅକୁ ଫେରାଇ ନେବା ପାଇଁ ଆସିଥିଲେ ଓ ସମ୍ରାଟ ତାଙ୍କୁ ଗାଳି ଦେଇ ଖାଲି ହାତରେ ଫେରାଇ ଦେଇଥିଲେ । ସେ ନିଷ୍ଠାର ସହିତ ସୂର୍ଯ୍ୟ ଦେବତାଙ୍କର ପୂଜା କଲେ । ଫଳସ୍ୱରୂପ ସୂର୍ଯ୍ୟ ଦେବତାହିଁ ଏହିପରି ବାଣବର୍ଷଣ କରି ଆମର ପାପ ପାଇଁ ଆମକୁ ଦଣ୍ଡ ଦେଉଛନ୍ତି । ତେଣୁ ଏଥିରୁ ମୁକ୍ତି ପାଇବାକୁ ହେଲେ ଆମେ ତୁରନ୍ତ ହେମାକୁ ତା’ର ପିତାଙ୍କ ନିକଟକୁ ପଠାଇ ଦେବା ଉଚିତ୍ ।”


ଗପ ସାରଣୀ

ତାଲିକାଭୁକ୍ତ ଗପ