ମାରୁତି ନାମକ ଜଣେ ଭଲ ରାନ୍ଧୁଣିଆ ଥିଲା । କିନ୍ତୁ ତାର ଗର୍ବ ଯୋଗୁଁ କେହି ତାକୁ କେବେବି କିଛି କାମ ପାଇଁ ଡାକନ୍ତି ନାହିଁ । ଅଥଚ ତା’ର ବାପା ଭୀମକୁ ଭଲମନ୍ଦରେ ସମସ୍ତେ ରୋଷେଇ କରିବାକୁ ଡାକନ୍ତି । ଭୀମ ରନ୍ଧାରନ୍ଧି କରି ବହୁତ ଟଙ୍କା ରୋଜଗାର କରେ, ଆଉ ମାରୁତି ଖାଲି ତୁଚ୍ଛାକୁ ଘରେ ବସି ଆରାମରେ ଖାଏ ।
ସେହି ଗ୍ରାମରେ ଧର୍ମରାଜ ନାମକ ଜଣେ ଧନୀ ଚାଷୀ ଥାନ୍ତି । ତାଙ୍କ ପୁଅ ରାଜଧାନୀରେ ଚାକିରି ପାଇଲା । ତେଣୁ ତାଙ୍କ ବନ୍ଧୁବାନ୍ଧବମାନେ ଭୋଜି ଖାଇବାକୁ ଅଡି ଧରି ବସିଲେ । ସବୁକିଛିର ବ୍ୟବସ୍ଥା ହେଲା । କିନ୍ତୁ ନିର୍ଦ୍ଦିଷ୍ଟ ଦିନ ପୂର୍ବରୁ ଭୀମର ଦେହ ହଠାତ୍ ଖରାପ୍ ହେଲା । ନିରୁପାୟ ହୋଇ ଧର୍ମରାଜ ଶେଷରେ ମାରୁତିକୁ ରନ୍ଧା ପାଇଁ ଡାକିଲେ ।
ମାରୁତି ରନ୍ଧା ଘରେ ପାଦ ଦେବା ମାତ୍ରେହିଁ ଅଭିଯୋଗ ଆରମ୍ଭ କଲା ଯେ ଯଥେଷ୍ଟ ପାତ୍ର ନାହିଁ, କାଠ ଓଦା, ଖାଦ୍ୟପଦାର୍ଥର ପ୍ରକାର ଭଲ ନୁହେଁ । ଧର୍ମରାଜ ତ ମାରୁତିର ସ୍ୱଭାବ ଜାଣନ୍ତି, ତେଣୁ ସେ ତା’ର ସବୁକଥା ସହିଗଲେ ।
ଧର୍ମରାଜ ନିଜେ ଆତ୍ମାଭିମାନୀ । କେବେ ହେଲେ ସେ ଅନ୍ୟ କାହାର ସମାଲୋଚନା କରନ୍ତି ନାହିଁ । କେହି ବାଜେକଥା କହିଲେ, ସେ କେବେବି ଚୁପ୍ ରହୁ ନଥିଲେ । କିନ୍ତୁ ଏହି ପରିସ୍ଥିତିରେ ସେ କିଛି ବି କହିଲେ ନାହିଁ; କହିଲେ ସବୁକିଛି ବିଗିଡି ଯିବ ଓ ବନ୍ଧୁବାନ୍ଧବ ବହୁତ ସମାଲୋଚନା କରିବେ ।
ରୋଷେଇ କରୁ କରୁ ମାରୁତି ଧର୍ମରାଜଙ୍କୁ କଞ୍ଜୁସ୍ ବୋଲି କହିଲା । ଧର୍ମରାଜ କହିଲେ, “ମାରୁତି, ତୁମ ବାପା ରନ୍ଧନ ସାମଗ୍ରୀ ଯାହା ଯାହା ସବୁ ଲେଖିଥିଲେ, ମୁଁ ତ ତାହାହିଁ କିଣି ଆଣିଛି । କୁହ ତୁମର ଅଧିକା କ’ଣ ଦରକାର?”
ମାରୁତି ଉଚ୍ଚସ୍ୱରରେ କହିଲା “ରନ୍ଧନ ପାଇଁ ମୋ ବାପାଙ୍କୁ ଡାକିଲେ ଟି? ସେତିକି ତ ଆପଣଙ୍କ କଞ୍ଜୁସିର ଯଥେଷ୍ଟ ପ୍ରମାଣ । ସେ ଖାଲି ରାନ୍ଧି ଦିଅନ୍ତି, ଭଲମନ୍ଦ କ’ଣ ଜାଣନ୍ତି? ମୁଁ ରାନ୍ଧିଲେ ଲୋକେ ତ ହାତ ଚାଟି ଚାଟି ଖାଇବେ । ସେଥିପାଇଁ ରନ୍ଧନ ସାମଗ୍ରୀ ଦୁଇଗୁଣ ଦରକାର ।” ଧର୍ମରାଜ କହିଲେ, ‘ଭଲ ରନ୍ଧନ ପାଇଁ, ତୁମର ଯାହା ଯାହା ଅଧିକ ଦରକାର କୁହ ମୁଁ ସେସବୁ ନେଇ ଆସିବି, କିନ୍ତୁ ଦୟାକରି ଏଠାରେ ଆଉ ମୋଟେ ଚିତ୍କାର କର ନାହିଁ ।”
“ମୋର ଅଭ୍ୟାସ ଯାହା ମୁଁ ତାହା କରିବି । ଆପଣଙ୍କୁ ଭଲ ନ ଲାଗିଲେ କହି ଦିଅନ୍ତୁ ମୁଁ ଏଠାରୁ ଏହିକ୍ଷଣି ଚାଲିଯିବି ।” ଏହିଭଳି କଥା କହି ମାରୁତି ଧମକ ଦେଲା । ଏହାପରେ ଧର୍ମରାଜ ଚୁପ୍ ରହିଲେ ।