ସମ୍ରାଟ ଅଶୋକ

(ଅଶୋକ ତାଙ୍କ ପିତାଶ୍ରୀ ବିନ୍ଦୁସାରଙ୍କ ଆଦେଶ ପାଳନ କରି ଅବନ୍ତୀର ରାଜଧାନୀ ଉଜ୍ଜୟିନୀ ଅଭିମୁଖେ ଯାତ୍ରା କଲେ । ସେହି ଦିନ ସାୟଂ କାଳରେ ସେ ପଥ ମଧ୍ୟରେ ବିଦିଶା ଘାଟୀରେ ବିଶ୍ରାମ ନେବାର ନିଷ୍ପତି ନେଲେ । ପର ଦିନ ପ୍ରାତଃ କାଳରେ ପ୍ରକୃତିର ଅପରୂପ ଶୋଭା ସଂଦର୍ଶନ ଲାଳସାରେ ଅଗ୍ରସର ହେଉଥିବା ଅଶୋକ ଏକ ଗଭୀର ଗର୍ତ୍ତ ମଧ୍ୟରେ ନିପତିତ ହେବାର ଠିକ୍ ପୂର୍ବ ମୁହୂର୍ତ୍ତରେ ତାଙ୍କୁ ଶାକ୍ୟନାୟକ- ପୁତ୍ରୀ ବିଦିଶା ରକ୍ଷା କଲେ । ସେହିଦିନ ରାତ୍ରକାଳରେ ଅଶୋକଙ୍କୁ ହତ୍ୟା ଉଦ୍ଧେଶ୍ୟରେ ଆସିଥିବା ଦୁଇ ନର୍ତ୍ତକୀ ଯୁବତୀ ମଧ୍ୟ ଧରାପଡିଲେ ।) ଏହାପରେ–

                ଅପରାଧିନୀ ଯୁବତୀମାନଙ୍କ ସମ୍ମୁଖରେ ଯଶ ସେମାନଙ୍କ ସହିତ ଆସିଥିବା ପୁରୁଷମାନଙ୍କୁ ନାନାଦି ପ୍ରକାର ନିର୍ଯ୍ୟାତନା ଦେଇ ସତ୍ୟ ଜାଣିବା ପାଇଁ ଚେଷ୍ଟା କଲେ । ତା’ପରେ ସେ ସେହି ଯୁବତୀମାନଙ୍କୁ କହିଲେ, “ତୁମେ ଦୁଇଜଣ ଯୁବରାଜଙ୍କୁ ହତ୍ୟା କରିବା ଉଦ୍ଧେଶ୍ୟରେ ଆସିଥିଲ । ଏହି ଅପରାଧର ଦଣ୍ଡ ହେଉଛି ମୃତ୍ୟୁ । ଅନ୍ତତଃ ମୃତ୍ୟୁ ପୂର୍ବରୁ ସତ୍ୟକଥା ପ୍ରକାଶ କର । ଏପରି କଲେ ନର୍କ- ଯାତନାରୁ ତୁମକୁ କିଛିଟା ତ୍ରାହି ମିଳିପାରେ ।”

                ଏକଥା ଶୁଣି ସେ ନର୍ତ୍ତକୀଦ୍ୱୟ ଭୟଭୀତା ହୋଇ ପରସ୍ପରକୁ ଚାହୁଁଥିଲେ । ସେମାନଙ୍କ ମଧ୍ୟରୁ ଜଣେ କହିଲା, “ମହୋଦୟ, ଆମକୁ ଦୟା କରନ୍ତୁ । ଆମେ ନରକ ପ୍ରତି ଅଧିକ ଭୟଭୀତ ନୋହୁଁ, କାରଣ ଆମେ ତାହା କ’ଣ ଆଗରୁ ଦେଖିନାହୁଁ । କିନ୍ତୁ ଆପଣଙ୍କର ଏହି କଠୋର ତାଡନା ଆମେ ଆଖି ଆଗରେ ଦେଖି ସହ୍ୟ କରିପାରୁନାହୁଁ । ଆମ୍ଭେ ମୃତ୍ୟୁକୁ ଭୟ କରୁଛୁ ।”

                ଯଶ କହିଲେ “ପ୍ରଥମେ ସତ୍ୟ କଥା ପ୍ରକାଶ କର । ତା’ପରେ ତୁମମାନଙ୍କ ଜୀବନ ଓ ମୃତ୍ୟୁ ସମ୍ବନ୍ଧରେ ଯୁବରାଜ ଯାହା ନିର୍ଣ୍ଣୟ ଶୁଣାଇବେ ।”

                ଜଣେ ନର୍ତ୍ତକୀ ଅତ୍ୟନ୍ତ ଦୀନ ଭାବରେ ପ୍ରକାଶ କଲା “ଆମେ ପେଷାରେ ନର୍ତ୍ତକୀ । ଆମକୁ ଯିଏ ଅର୍ଥର ପ୍ରଲୋଭନ ଦେଲା, ଆମେ ତା’ର କଥାରେ ପରିଚାଳିତ ହେଲୁ । ଯିଏ ଆମକୁ, ଯୁବରାଜଙ୍କୁ ନିଧନ କରିବା ପାଇଁ ପ୍ରେରଣ କରିଛନ୍ତି, ସେ ଅବଶ୍ୟ ଯୁବରାଜଙ୍କ ଶତ୍ରୁ ।”

                ଯଶ କଠୋର ସ୍ୱରରେ କହିଲେ “ଧନ ପ୍ରଦାନ କରି ଯୁବରାଜଙ୍କର କେଉଁ ଶତ୍ରୁ ତୁମ୍ଭମାନଙ୍କୁ ଏଠାକୁ ପ୍ରେରଣ କରିଛି ଶୀଘ୍ର ସେକଥା ପ୍ରକାଶ କର?”

                ନର୍ତ୍ତକୀ ବିନତୀ କଲା “ପ୍ରଥମେ ଆମକୁ ପ୍ରାଣ – ରକ୍ଷା ମିଳିବାର ନିର୍ଭରଯୋଗ୍ୟ ପ୍ରତିଶୃତି ଦିଅନ୍ତୁ ।”

                ଯଶ କର୍କଶ ସ୍ୱରରେ କହିଲେ “ପ୍ରତିଶ୍ରୁତି? ପ୍ରଥମେ ସତ୍ୟ କୁହ, ନଚେତ୍ ତୁମକୁ ମାରି ପକାଇବି ।” ନର୍ତ୍ତକୀ ପ୍ରକାଶ କଲା “ମହାଶୟ, ଯୁବରାଜଙ୍କୁ ହତ୍ୟା କରିବା ପାଇଁ ଆମକୁ ପ୍ରେରିତ କରିଥିବା ବ୍ୟକ୍ତି ଅନ୍ୟ କେହି ନୁହଁନ୍ତି, ସେ ହେଉଛନ୍ତି ବିନ୍ଦୁସାରଙ୍କ ଜ୍ୟେଷ୍ଠ ପୁତ୍ର ତଥା ଭାବୀ ରାଜା ସୁଶେମ ।”

                ଏହା ଶୁଣିବାକ୍ଷଣି ଅଶୋକ ଶିବିର ବାହାରକୁ ଆସିଲେ । ସେ ପୁନଶ୍ଚ ପ୍ରଶ୍ନ କଲେ “କ’ଣ ପ୍ରକୃତରେ ଏହା ସତ୍ୟ?”


ଗପ ସାରଣୀ

ତାଲିକାଭୁକ୍ତ ଗପ