ଅଦ୍ଭୁତ ବଂଶୀ

କୌଣସି ଗୋଟିଏ ଗ୍ରାମରେ ବିକାଶ ନାମକ ଏକ ଧନୀ ଯୁବକ ଥାଏ । ତା’ର ଲଳିତକଳା ପ୍ରତି କିଛିଟା ଆକର୍ଷଣ ଥାଏ । ସେ ନିଜେ ଗୀତ ରଚନା କରୁଥାଏ ଓ ବେଳେ ବେଳେ ଗୀତ ମଧ୍ୟ ଗାଉଥାଏ ।

                ବିକାଶ ତା’ର କବିତା ଓ ଗୀତ ଯୋଗୁଁ ଖୁବ୍ ଲୋକପ୍ରିୟ ହୋଇଥାଏ । କିଛିଦିନ ପରେ ପଦ୍ମା ନାମକ ଏକ ସୁନ୍ଦରୀ ଝିଅକୁ ସେ ବିବାହ କଲା । ଦୁହେଁ ଆନନ୍ଦରେ ଥା’ନ୍ତି । କିନ୍ତୁ ଭାଗ୍ୟର ବିପର୍ଯ୍ୟୟ ଏପରି ହେଲା ଯେ ପଦ୍ମା ହଠାତ୍ କୌଣସି ଏକ ରୋଗରେ ପଡି ମୃତ୍ୟୁ ବରଣ କଲା । ବିକାଶର ହୃଦୟ ଭାଙ୍ଗି ପଡିଲା । ତା’ପରେ ଦୁନିଆରେ ସବୁ କିଛି ତାକୁ ପିତା ଲାଗିଲା । ଏଣିକି ସେ ଯେଉଁ କବିତା ସବୁ ଲେଖିଲା ସେଗୁଡିକ ବିଷାଦରେ ଭରା, ଦୁଃଖରେ ଭରା । ତେଣୁ ତା’ର କବିତା ଶୁଣିବା ପାଇଁ ଆସୁଥିବା ଲୋକଙ୍କ ସଂଖ୍ୟା କ୍ରମେ ହ୍ରାସ ହେବାକୁ ଲାଗିଲା ।

                ଏଣେ ଧନସମ୍ପତ୍ତିର ସହାୟତା ମାଗିବାକୁ ଯେଉଁ କେତେ ଲୋକ ଆସନ୍ତି ସେମାନଙ୍କୁ ବିକାଶ ନାହିଁ କରିପାରେ ନାହିଁ । ଏପରି ଏକ ସମୟ ଆସିଲା ଯେ ତା’ର ପ୍ରାୟ ସବୁ ଧନ ଶେଷ ହୋଇଗଲା । ସେ ବହୁତ ବିରକ୍ତ ହେଲା । ନିଜ ଘରଟିକୁ କୌଣସି ସମ୍ପର୍କୀୟଙ୍କ ଦାଇତ୍ତ୍ଵରେ ରଖି ତୀର୍ଥାଟନ କରିବାକୁ ସେ ବାହାରି ଗଲା । ପ୍ରଥମେ ସେ କାଶୀ ତୀର୍ଥରେ ଯାଇ ପହଁଚିଲା । ସେଠାରେ ସେ ନିଜର ଗୀତ ସବୁ ଶୁଣାଇଲା, କବିତା ପାଠ କରି ଶୁଣାଇଲା, ହେଲେ ସେଥିପାଇଁ କେହି ଉତ୍ସାହ ଦେଖାଇଲେ ନାହିଁ । ବିକାଶ ଭାବିଲା ଯେ ନିଜ ଗ୍ରାମରେ ଯଦି ତା’ର ଦୁଃଖ କେହିବି ହେଲେ ବୁଝିଲେ ନାହିଁ, ଏଠାରେ ବା ଏଡେ ସହରରେ କିଏ ତା’ର ଦୁଃଖ ବୁଝିବ? ଏମିତିକି ଲୋକମାନେ ବେଳେ ବେଳେ ଭିଖାରୀ ଭାବି ତା’ ପାଖରେ କିଛି ପଇସା ଫୋପାଡି ଦେଇ ଯା’ନ୍ତି ।

                ଏପରି ପରିସ୍ଥିତି ଦେଖି ବିକାଶର ମନ ବଡ ଦୁଃଖ ହେଲା । ସେ ମନସ୍ଥ କଲା କି ଗଙ୍ଗାରେ ଝାସ ଦେଇ ପ୍ରାଣ ତ୍ୟାଗ କରିବ । ଆଉ ବଞ୍ଚିବାରେ ବା କି ଲାଭ । ତା’ପରେ ଗଙ୍ଗା କୂଳକୁ ଯାଇ ସେ ଭଗବାନଙ୍କୁ ଧ୍ୟାନ କରିବା ପରେ ଗଙ୍ଗାମାତାଙ୍କୁ ଧ୍ୟାନ କରି କହିଲା, “ହେ ଗଙ୍ଗାମାତା, ମୋର ବଞ୍ଚିବାରେ ଆଉ କ’ଣ ବା ପ୍ରୟୋଜନ? ମୋର ଟଙ୍କା ଥିବାବେଳେ ବହୁଜନ ମୋ ନିକଟକୁ ଆସୁଥିଲେ । ଏବେ ଟଙ୍କା କମିଯିବାରୁ ମୋତେ ସେମାନେ ତ୍ୟାଗ କରିଛନ୍ତି । ତାଛଡା ମୋର ବଞ୍ଚିବା ପାଇଁ ଆଉ କୌଣସି ପ୍ରକାର ଆକର୍ଷଣ ମଧ୍ୟ ନାହିଁ । ତେଣୁ ମୋତେ ତୁ ଉଦ୍ଧାର କର । ମୁଁ ଏବେ ତୋରି କୋଳରେ ଚିର ଆଶ୍ରୟ ପାଇବି ।”

                ଠିକ୍ ସେହି ସମୟରେ ଜଣେ ସାଧୁ ସେଠାରେ ଆସି ପହଁଚିଲେ ଓ ତା’ ହାତ ଧରି ତାକୁ ପାଣିରୁ ଉଠାଇ ଆଣିଲେ । ବାଟ ଚାଲୁ ଚାଲୁ ସାଧୁଟି କହିଲେ, “ବତ୍ସ, ତମର ତ ବୟସ କମ୍, ଏପରି ଏକ ଭୟାନକ କାର୍ଯ୍ୟ କରିବାକୁ ତମେ ଯାଉଥିଲ କାହିଁକି?”

                ବିକାଶ ସାଧୁଙ୍କୁ ସବୁ କଥା କହିଲା । ସେ କହିଲା, “ସ୍ୱାମୀନ୍, ମୋର ପତ୍ନୀର ମୃତ୍ୟୁ ହେବାରୁ ମୋର ମନ ବହୁତ ଦୁଃଖ ହେଲା । ମୁଁ କିନ୍ତୁ କବିତା ଲେଖି ଓ ଗୀତ ଗାଇ ଗାଇ ସେହି ଦୁଃଖକୁ ସହି ନେଉଥିଲି । କେତେକ ଗ୍ରାମୀଣ ବ୍ୟକ୍ତି ମଧ୍ୟ ମୋ ପାଖକୁ ଆସି ସେହି ସଙ୍ଗୀତ ଶୁଣୁଥିଲେ ଓ ସେମାନଙ୍କ ଦୁଃଖ ଭୁଲି ଯାଉଥିଲେ । କିନ୍ତୁ ପରେ ମୁଁ ଉପଲବ୍ଧି କଲି ମୋର ଧନ ଶେଷ ହେବା ପରେ ଆଉ କେହିବି ମୋ ପାଖକୁ ଆସୁ ନାହାଁନ୍ତି । ସୁତରାଂ ମୋ ମନରେ ବିଷାଦ ଓ ବିରକ୍ତି ଭାବ ଆସିଲା । ଏଣେ ପତ୍ନୀବିୟୋଗ ଜନିତ ଦୁଃଖ, ତା’ ଉପରେ ପୁଣି ସଂସାରରେ ଲୋକମାନଙ୍କର ଏପରି ସ୍ୱାର୍ଥପର ସ୍ୱଭାବ । ଏସବୁ ଦେଖି ମୋର ମନେହେଲା ମୋ କବିତା ବା ସଙ୍ଗୀତର କୌଣସି ମୂଲ୍ୟ ନାହିଁ । ତେଣୁ ମୋ ଜୀବନର ମଧ୍ୟ କୌଣସି ମୂଲ୍ୟ ନାହିଁ । କ’ଣ ପାଇଁ ଆଉ ଏବେ ମୁଁ ବଞ୍ଚିବି, ଯଦି ବଞ୍ଚିବି କି ଅବଲମ୍ବନ ନେଇ? ଏତିକି ମୋତେ ବୁଝାଇ ଦିଅନ୍ତୁ ।”


ଗପ ସାରଣୀ

ତାଲିକାଭୁକ୍ତ ଗପ