ମଇନା କୁମାରୀ ଓ ଛବି କୁମାରୀ କାହାଣୀ

                ଏଣିକି ତ ଆଉ ସେପରି କିଛି ଭୟ ହିଁ ନାହିଁ । କାରଣ ବଂଶ ବୁଡ଼ାଉଥିବା କଟାସ ତ ମଲାଣି, ଏବେ ତା ଛୁଆମାନଙ୍କୁ ଖାଇବ ବା କିଏ? ସେ ଅମୃତ ମଣି ବା ଏଥିକି କି ଦର୍କାରରେ ଆସିବ? ବିଧାତାଙ୍କର ଶୁଭ ଦୃଷ୍ଟି ତା ଉପରେ ପଡିଛି ଯେତେବେଳେ ସେତେବେଳେ ତାଙ୍କୁ ଆଉ ଭୟ କ’ଣ? ଏମିତି ନାନାକଥା ଭାବି କାପତା ଉଡିଗଲା ସିଧା ତା ବସାକୁ । ଥଂଟରେ ଅମୃତମଣି ଖଣ୍ଡିକ ଆଣି ସେ ଧରାଇଦେଲା ଛବି କୁମାରୀ ହାତରେ ।

                ମନର ସନ୍ଦେହ ଘୁଂଚାଇବା ପାଇଁ ଛବି ସେହି ଅମୃତମଣିକୁ ନେଇ ପରୀକ୍ଷା କରିବାକୁ ଗଲା । ଆଗରେ ଗଡୁଥାଏ ଗୋଟିଏ ମଲା ହରିଣର ମୁଣ୍ଡ । ସେହି ମୁଣ୍ଡରେ ଛବି ଅଳ୍ପ ଟିକିଏ ଛୁଆଇଁ ଦେଲା ଅମୃତମଣିଟି । ଦେଖୁ ଦେଖୁ ମୁଣ୍ଡଟା ହୋଇଗଲା ଗୋଟିଏ ଜୀବନ୍ତ ହରିଣ । କନ କନ ହୋଇ ସେ ହରିଣ ମାଇଲା ଗୋଟାଏ କୁଦା ସିଧା ବଣ ଭିତରକୁ । ଏ କଥା ଦେଖି ଛବିର ମୁଖ ଉଜ୍ଜ୍ୱଳ ଦେଖାଗଲା । ସେ ଭାବିଲା ମୁଣ୍ଡମାଳ ଯାହା କହିଛନ୍ତି, ସେ କଥା ନିରାଟ ସତ୍ୟ । ତେଣୁ ସେ ଆଉ ଦଣ୍ଡେ ହେଳା ନ କରି ଯାଇ ବସିଲା ସେ ଝୁମୁରୁଝାଇଁ ଗଛରେ । କହିଲା – “ଉଡି ଚାଲରେ ବୃକ୍ଷରାଜ, ସେହି ମୁଣ୍ଡମାଳ ପାଖକୁ ।”

ଗଛ ଉଡିଲା ସାଇଁ ସାଇଁ ସର ସର ନାଦରେ ।

ତେଣେ ତ ସେ ମଇନା କୁମାରୀ ଯାଇ ରହିଲା ଦସ୍ୟୁ ସର୍ଦ୍ଦାରଙ୍କ ଘରେ ତାଙ୍କ ଝିଅ ହୋଇ । ସର୍ଦ୍ଦାର ତାକୁ ଯେତେ ଭଲ ପାଏ, ତା ଅପେକ୍ଷା ମଇନାକୁ ବେଶି ଭଲ ପାଏ ସେ ଦସ୍ୟୁ ସର୍ଦ୍ଦାରର ଘରଣୀ । କେତେବେଳେ ବି ହେଲେ ମଇନାକୁ ସେ ଦସ୍ୟୁ ଦମ୍ପତି ଆଦୌ ତଳେ ଚଲାଇ ଦିଅନ୍ତିନି କି ତା ଦେହରେ ଫୁଲର ଛଡି ଟିକିଏ ବି ବଜାଇ ଦିଅନ୍ତିନି । ମଇନାର ମନ ହେଲେ ସେ ଘୋଡାରେ ଚଢି ଟହଲମାରେ, କେବେ କେମିତି ତାର ମନ ହେଲେ ସେ ଧନୁଶର ଘେନି ଶିକାରକୁ ଯାଏ । ଖେଳ କସରତ ବି ବହୁତ କରେ । ବନ ବିହାରକୁ ଯାଏ । ତାର ଯାହା ଇଚ୍ଛା ହୁଏ ସେ ତାହା କରେ । ତା ମନରେ କେହିବି ଟିକିଏ ହେଲେ ବାଧା ଦିଅନ୍ତିନି ବରଂ ତାକୁ ଆହୁରି ଅଧିକ ଉତ୍ସାହ ଦିଅନ୍ତି । ମୋଟ ଉପରେ କହିବାକୁ ଗଲେ ସୁନା ସମୁଦ୍ରରେ ହୀରାର ନୂପୁର ପରି ସନ୍ତରଣ କରୁଥାଏ ସେ ମଇନା । ସର୍ଦ୍ଦାର ମଇନାକୁ ଏତେ ଗେଲବସରରେ ରଖିଥାଏ ଯେ, ଦିନକ ପାଇଁ ବି ମଇନାର ଆଉ ସେ ରାଜାଘର କଥା ମନେ ପଡେନି । ସେ ନିଜକୁ ବୋଲାଉ ଥାଏ ସର୍ଦ୍ଦାରର କନ୍ୟାବୋଲି ।


ଗପ ସାରଣୀ

ତାଲିକାଭୁକ୍ତ ଗପ