ଯଥାର୍ଥ ବର

ନିଶା ଗରଜୁଥାଏ । ଠିକ୍ ସେହି ସମୟରେ ତୁହାକୁ ତୁହା ଶୀତଳ ପବନ ସାଙ୍ଗକୁ ଝିପିଝିପି ବର୍ଷା ମଧ୍ୟ ହେଉଥାଏ । ବଜ୍ରଧ୍ୱନି ଓ ଶ୍ୱାନ ଶ୍ୱାପଦଙ୍କ ରଡି ସହିତ ମଝିରେ ମଝିରେ ଅଶରୀରୀମାନଙ୍କର ଅଟ୍ଟହାସ୍ୟ ମଧ୍ୟ ଶୁଭୁଥାଏ । ଘନଘନ ବିଜୁଳି ଆଲୁଅରେ ଭୟାବହ ମୁହଁଟିମାନ ଝଟକି ଉଠୁଥାଏ ।

କିନ୍ତୁ ରାଜା ବିକ୍ରମାର୍କ ତିଳେ ହେଲେ ମଧ୍ୟ ବିଚଳିତ ବୋଧ ନ କରି ବୃକ୍ଷାରୋହଣ ପୂର୍ବକ ପୁନର୍ବାର ସେହି ଶବଟିକୁ ଉତାରି ଆଣିଲେ । ତେବେ ସେ ତାକୁ ନିଜ କାନ୍ଧରେ ପକାଇ ସେହି ଶୁନ୍ ଶାନ୍ ଶ୍ମଶାନ ପଥ ଅତିକ୍ରମ କରିବାକୁ ଆରମ୍ଭ କରନ୍ତେ, ଶବସ୍ଥିତ ବେତାଳ କହିଲା, “ରାଜନ୍, ତୁମର କଠୋର ବ୍ରତ ଓ ନିଷ୍ଠାକୁ ମୁଁ ହୃଦୟର ସହିତ ଅଭିନନ୍ଦନ କରଛି, ଏହି ଘୋର ଶ୍ମଶାନରେ ବିଷଧର ସର୍ପ, ଶୃଗାଳ, ବାଦୁଡି ପ୍ରଭୃତି ଜନ୍ତୁ ଭରି ରହିଛନ୍ତି । ଏହାଛଡା ନାନା ପ୍ରକାରର ଭୂତ ପ୍ରେତ, ପିଶାଚ ମଧ୍ୟ ଏଠାରେ ରହିଛନ୍ତି । ତୁମକୁ ଟିକିଏ ମଧ୍ୟ ସ୍ପର୍ଶ କରୁନାହିଁ । ସାହସ, ବୀରତ୍ୱ, କଠୋର ବ୍ରତ ଇତ୍ୟାଦି ନିଶ୍ଚୟ ତୁମର ନିଜସ୍ୱ ସଦୃଶ । କିନ୍ତୁ ଏପରି କଠୋର ପରିଶ୍ରମ କରୁଛ ବୋଧହୁଏ ଜଣେ ତାନ୍ତ୍ରିକ ସହିତ ବନ୍ଧୁତ୍ୱ କରି କିଛି ଅଭିଳାଷ ପୁରଣ କରିବାକୁ । କିନ୍ତୁ ସାବଧାନ, ତୁମକୁ ହୁଏତ ଶେଷରେ ନିରାଶ ହେବାକୁ ପଡିବ । ନିଜର ପରିଶ୍ରମକୁ ସାଫଲ୍ୟମଣ୍ଡିତ ନ ଦେଖିଲେ ତୁମେ ନିଜେହିଁ ଦୁଃଖିତ ହେବ । ଏମିତି ପ୍ରାୟ ଘଟେ । ତେଣୁ ଏ ସମ୍ପର୍କରେ ସଚେତନ କରାଇ ଦେବାକୁ ମୁଁ ତୁମକୁ ମାତଙ୍ଗ ମୁନିଙ୍କ କାହାଣୀ ଶୁଣାଇବି । ମନ ଦେଇ ତାହା ଶୁଣ; ତଦ୍ୱାରା ତୁମ ଶ୍ରମଭାର କିଛି ମାତ୍ରାରେ ଲାଘବ ହେବ ।” ତା’ପରେ ସେ ବେତାଳ ଗପିଲା –

ଅନେକ ଦିନ ତଳର କଥା । ନବନୀତ ନାମରେ ଜଣେ ଧନୀ ଦକ୍ଷିଣ ସମୁଦ୍ରତଟରେ ବାସ କରୁଥିଲେ । ସମୟକ୍ରମେ ପରିସ୍ଥିତି ଏପରି ହେଲା ଯେ ତାଙ୍କର ସମସ୍ତ ସମ୍ପତ୍ତି ଧିରେ ଧିରେ ନଷ୍ଟ ହୋଇଗଲା । ତାଙ୍କର ପୁଅଟିଏ ଥାଏ । ପୁଅଟିକୁ ଏକୋଇଶ ବର୍ଷ ହେବା ବେଳକୁ ତାଙ୍କର ଆଉ କିଛି ସମ୍ପତ୍ତି ନଥାଏ । ନବନୀତ ବଡ ଶୋକଗ୍ରସ୍ତ ହୋଇ ପୁଅ ସୀତାରାମଙ୍କୁ ଦିନେ ନିଜ ପାଖକୁ ଡାକି କହିଲେ, “ପୁଅ, କେବଳ ମୋର ଦୁରାଶା ଯୋଗୁଁ ଆଜି ଆମର ଏପରି ଖରାପ ଅବସ୍ଥା ହୋଇଛି । ମାତ୍ର ମୁଁ ଚାହେଁ ଯେପରି ତୋ ଜୀବନରେ ଏହି ଘଟଣା କେବେବି ନ ଘଟୁ । ଆଜି ଭଲଦିନ । ତେଣୁ ତୁ ଭଲ ଭାବରେ ସ୍ନାନ କରି ପବିତ୍ର ହୋଇ ମୋ ପାଖକୁ ଆସେ, ମୁଁ ତୋତେ କିଛି ବତାଇ ଦେବି ।”

ସୀତାରାମ ସ୍ନାନ କରିବାକୁ ଯିବାବେଳେ ତା’ର ମା’ ରଜନୀ ତାକୁ କହିଲେ କି, “ମୁଁ ତତେ ଏହା କହିବାକୁ ଭୁଲିଗଲି ଯେ ଆଜି ପବିତ୍ର ସପ୍ତମୀ ବୋଲି । ତୁ ସ୍ନାନ କରିବା ବେଳେ ଆଖୁ ପତ୍ର ଓ ବେଲ ମଥା ଉପରେ ରଖି ପାଣିରେ ବୁଡିବୁ ।

ସୀତାରାମ ପତ୍ର ଓ ଫଳ ଖୋଜୁ ଖୋଜୁ ଏଣେ ତା’ ପିତା ଅର୍ଥାତ ନବନୀତଙ୍କର ମୃତ୍ୟୁ ହୋଇଗଲା । ଫଳରେ ରଜନୀ ଓ ସୀତାରାମ ବହୁତ କାନ୍ଦିଲେ । ପରଦିନହିଁ ଋଣଦାତାମାନେ ସେମାନଙ୍କୁ ହଇରାଣ କଲେ । ସେମାନେ କହିଲେ, ନବନୀତ କହିଥିଲେ କି ସପ୍ତମୀ ପରଦିନ ତାଙ୍କ ପୁତ୍ର ସମସ୍ତ କରଜ ଶୁଝି ଦେବ ।

ବିଚାରା ସୀତାରାମ ବହୁତ ବୁଝାଇଲା କି ତା’ର ପିତା ସପ୍ତମୀରେ ତାକୁ କିଛି ଗୁପ୍ତକଥା କହିବାର ଥିଲା, ହେଲେ ତା’ ପୂର୍ବରୁ ସେ ମରିଗଲେ, କିନ୍ତୁ ଋଣଦାତାମାନେ ତ ନଛୋଡବନ୍ଧା ।”

ଋଣଦାତାମାନଙ୍କ ମଧ୍ୟରେ ରମଣ ନାମରେ ଜଣେ ବ୍ୟକ୍ତି ଥିଲେ, ସେ କହିଲେ ଯେ ନବନୀତ ତାଙ୍କ ପାଖରେ ଘର ବନ୍ଧକ ରଖିଛନ୍ତି । ସେ ଅନ୍ୟମାନଙ୍କୁ କହିଲେ, “ଭାଇମାନେ, ତୁମର ତ ଅଳ୍ପ ପରିମାଣର ଟଙ୍କାସବୁ ଅଛି । ହେଲେ ମୋ ନାମରେ ତ ଘର ଅଛି । ତେଣୁ ଘର ବିକ୍ରି କରି ତୁମମାନଙ୍କୁ ମଧ୍ୟ ସେଇଥିରୁ ଋଣ ପରିଶୋଧ କରିଦେବାର ବ୍ୟବସ୍ଥା କରିବି । ଠିକ୍ ଅଛି?”

ସମସ୍ତେ ତାଙ୍କ କଥାରେ ମଙ୍ଗିଗଲେ । ରମଣ ସୀତାରାମଙ୍କୁ କହିଲେ, “ମୁଁ ତୁମକୁ ଗୋଟିଏ ଦିନ ଦେଉଛି । ସେହି ସମୟ ମଧ୍ୟରେ ତୁମେ ନିଜକୁ ପ୍ରସ୍ତୁତ କରି ରଖିବ । କାଲି ଏତିକି ବେଳକୁ ଆମେମାନେ ଆସିବୁ । ତୁମେ ଘର ଛାଡି ଚାବି ମୋ ହାତରେ ଦେଇ ଚାଲିଯିବ ।” ଏତିକି କହି ସେମାନେ ସେଠାରୁ ଚାଲିଗଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ