ବାନର କୃତି

ଗୋଟିଏ ଗ୍ରାମରେ ସୋମୁ ନାମକ ଏକ ଗରୀବ ବୃଦ୍ଧ ଚାଷୀ ଥାଏ । ବିଚରା ଘାସ କାଟି ସେସବୁ ବିକି ନିଜ ପେଟ ପୋଷୁଥାଏ । ତା’ ସ୍ତ୍ରୀ ଗୌରୀ ଦିନେ ଏ ବୁଢାକୁ ଏକ ଛିଣ୍ଡାକନାର ଥଳୀ ଦେଲା । ବୁଢା ବଣକୁ ଯାଇ ଥଳୀଟି ବୃକ୍ଷ ଶାଖାରେ ଟଙ୍ଗାଇ ଦେଇ ଘାସ କାଟିବାକୁ ଗଲା । ଅଳ୍ପ ସମୟ ପରେ ନାନା ପ୍ରକାର ଶବ୍ଦ ଶୁଣି ସେ ଟିକେ ପଛକୁ ଚାହିଁ ଦେଖେ ତ ଦଳେ ମାଙ୍କଡ କାହୁଁ ଆସି ତା’ ଥଳିଟିକୁ ଚିରି ଖଣ୍ଡ ଖଣ୍ଡ କରି ପକାଉଛନ୍ତି, ଏସବୁ ଦେଖି ସେ ଚୁପ୍ଚାପ୍ ହୋଇ କାହାକୁ କିଛି ନ କହି ଗୋଟିଏ ଗଛକୁ ଆଉଜି ବସିଥାଏ । ଦେଖିଲେ ମନେହେବ ଯେପରି ସେ ଏକ ପଥରମୂର୍ତ୍ତି । କିଛି ସମୟ ଡିଆଁ ଡେଇଁ କରିବା ପରେ ମାଙ୍କଡମାନେ ଦେଖିଲେ ସୋମୁ ତ କାହିଁ ମୋଟେ ହଲ୍ଚଲ୍ ହେଉନାହିଁ । ତେଣୁ ସେମାନେ ତାକୁ ଏକ ମୂର୍ତ୍ତି ଭାବି ଟେକି ଟେକି ନେଇ ଏକ ଭଙ୍ଗା ମନ୍ଦିରର ପାହାଚ ଉପରେ ବସାଇ ଦେଇ କୁଆଡେ ଚାଲିଗଲେ । ସୋମୁ ସେଇଠି ସେମିତି ବସିଥାଏ । କିଛି ସମୟ ପରେ ସେମାନେ ହାତ ମୁଠାରେ ଟଙ୍କା ସବୁ ଧରି ଆସି ସେଠାରେ ପହଁଚିଲେ ଓ ସୋମୁ ପାଖରେ ସେଗୁଡିକ ବିଂଚି ଦେଇ ସେମାନେ ପୁଣି ଚାଲିଗଲେ ।

                ବୁଢା ସୋମୁ ଏଥର ନିଜ ଆଖି ଖୋଲି ସବୁ ଦେଖିଲା ଓ ବୁଝିଗଲା ଯେ ମନ୍ଦିରକୁ ଆସୁଥିବା ଲୋକମାନଙ୍କଠାରୁ ପଇସା ସବୁ ନେଇ ମାଙ୍କଡମାନେ ଏକ ସୁରକ୍ଷିତ ସ୍ଥାନରେ ରଖିଥିଲେ । ହଠାତ୍ କ’ଣ ଇଚ୍ଛା ହୋଇଛି ଆଣି ଫିଙ୍ଗି ଦେଇ ପଳେଇଛନ୍ତି । ସୋମୁ ଖୁବ୍ ଖୁସି ହୋଇ ବହୁତ ହସିଲା । ଆଜି ତା’ର ଭାଗ୍ୟରେ ହଠାତ୍ ଏତେ ଗୁଡାଏ ପଇସା ମିଳିଗଲା । ସେ ପଇସାତକ ଧରି ହାଟକୁ ଯାଇ ନିଜ ପାଇଁ ଓ ତା’ ସ୍ତ୍ରୀ ପାଇଁ ନୂଆ ଲୁଗା କିଣିଲା ଓ ଅବଶିଷ୍ଟ ପଇସାରେ ମିଷ୍ଟାନ୍ନ ବନାଇବାକୁ ବଜାରରୁ କିଛି ଜିନିଷ ଆଣି ପତ୍ନୀ ହାତରେ ସେ ଧରାଇ ଦେଲା ।

                ସ୍ୱାମୀ, ସ୍ତ୍ରୀ, ମାଙ୍କଡଙ୍କ ଦୟାରୁ ନୂଆ ଲୁଗା ପିନ୍ଧି ଆରାମ୍ରେ ମିଷ୍ଟାନ୍ନ ଖାଉଛନ୍ତି ଠିକ୍ ସେତିକିବେଳେ ତାଙ୍କ ପଡୋଶୀ ଘରର ସ୍ତ୍ରୀ କମଳା ଆସି ସେଠାରେ ପହଁଚିଲେ । ସେ ଆଶ୍ଚର୍ଯ୍ୟ ହୋଇ କହିଲା, “ଆଜି କଥା କ’ଣ କି? ଦୁହେଁ ନୂଆ ଲୁଗା ପିନ୍ଧି ବସି ମିଷ୍ଟାନ୍ନ ଖାଉଛ । ଗୌରୀ ହସି ହସି ସେ ମାଙ୍କଡମାନଙ୍କ କୀର୍ତ୍ତି ସବୁ ଗପିଲା ଓ କମଳାକୁ ବି ସେ ମିଷ୍ଟାନ୍ନ ଖୁଆଇଲା ।”

                କମଳାର କ’ଣ ଆଉ ଖାଇବାରେ ମନ ଅଛି? ସେ ଶୀଘ୍ର ଖାଇବା ଶେଷ କରି ନିଜ ଘରକୁ ଦୌଡିଲା । ତା’ର ସ୍ୱାମୀକୁ ଯାଇ ସେ କହିଲା, “ତମେ ବି ସେ ସୋମୁପରି ଗୋଟିଏ ଥଳୀ ନେଇ ଜଙ୍ଗଲକୁ ଯାଅ ଓ ମାଙ୍କଡଠାରୁ ପଇସା ଆଣ ।”

                ପରଦିନ କମଳାର ସ୍ୱାମୀ ବଟିଆ ଚିରାକନାର ଥଳୀ ନେଇ ଜଙ୍ଗଲରେ ଯାଇ ପହଁଚିଲା । ଥଳୀଟିକୁ ଗଛରେ ଲଟକାଇ ମୂର୍ତ୍ତି ପରି ସେ ଚୁପ୍ ହୋଇ ବସିଲା । କିଛି ସମୟ ପରେ ମାଙ୍କଡ ଦଳ ଆସି ପୂର୍ବଦିନ ପରି ସେ ଥଳୀଟିକୁ ଚିରି ପକାଇଲେ । ପୁଣି ବଟିଆକୁ ମୂର୍ତ୍ତି ବୋଲି ଭାବି ଉଠାଇ ନେଉଥିଲେ । ହଠାତ୍ ବଟିଆ ତା’ ଆଖି ଖୋଲି ଅନାଇଲା । ଏସବୁ ଘଟଣା ଦେଖି ମାଙ୍କଡମାନେ ନିଜେ ଠକିହୋଇ ଯାଇଛନ୍ତି ଭାବି ବହୁତ ରାଗିଲେ । ସେହିଠାରେ ସେମାନେ ବଟିଆକୁ ତଳେ ପକାଇ ବହୁତ ମାଡ ମାରିଲେ ଓ ଆମ୍ପୁଡା ଆମ୍ପୁଡି କରି ତା’ ସାରା ଶରୀରରୁ ରକ୍ତ ବୁହାଇ ଦେଲେ । ବିଚରା ବଟିଆ କୌଣସି ମତେ ନିଜ ଜୀବନ ଧରି ସେଠାରୁ ଘରକୁ ପଳାଇ ଆସିଲା ।

ଏଣେ କନ୍ଥା ବୁଣିବ ବୋଲି କମଳା ତା’ ଘରେ ପୁରୁଣା ଲୁଗା ଛିଣ୍ଡାଇ ପକାଇଛି । କାରଣ ନୂଆଲୁଗା ତ ଆସିବ ଓ ସେ ତାହା ପିନ୍ଧିବ ଏଇକଥା ଭାବି ସେ ବଟିଆର ଅପେକ୍ଷାରେ ଥାଏ । କିନ୍ତୁ ବଟିଆର ରୂପ ଓ ଦୁର୍ଦ୍ଦଶା ଦେଖି ତା’ର ସମସ୍ତ କଳ୍ପନା ଧୂଳିସାତ୍ ହେଲା । ସେ ଅବାକ୍ ହୋଇ ଠିଆ ହୋଇଥାଏ ।


ଗପ ସାରଣୀ

ତାଲିକାଭୁକ୍ତ ଗପ