ଲାଗିଲେ ଛାଡିବିନି

ବାପୁନୁ ଘର ଭିତରେ ରହି ପାଟି କରୁଛି । ବାଡେଇ ପିଟି ହୋଇ ଥରୁଛି । ଏଣୁ ତେଣୁ ଗପ ଆରମ୍ଭ କରି ଦେଇଛି । ତାକୁ ମାଡି ବସି ଧରିଛନ୍ତି ତା’ର ବାପା ବୋଉ । ଆଖିରେ ଆଖିଏ ଲୁହ ପିଲାଟାର ହଠାତ୍ ଏପରି କାହିଁକି ହେଲା? ପିଲାଟା କେଉଁଠି ଡରିଲା କି? ଦୁଇ ଚାରି ଦିନ ତଳେ ଗାଁ ସେମୁଣ୍ଡ ନାରଙ୍ଗୀ ମରି ଥିଲା । ତା ଭୂତ ଆଉ ତା ଦେହରେ ସବାର ହେଲା କି? ବାପା ମାଆ ମନ । କେତେ ପ୍ରକାର ଆଶଙ୍କାରେ ହୃଦୟ ତାଙ୍କର ବିକଳ ହେଉ ଥାଏ । ସାଙ୍ଗ ପିଲା ମାନଙ୍କୁ ପଚାରି ବୁଝିବାରୁ ତାଙ୍କୁ ଜଣା ପଡିଲା ଯେ ବାପୁନୁ ସେଦିନ ଖରା ବେଳେ ପାଖ ପଡିଆରେ ସାଙ୍ଗ ମାନଙ୍କ ସହିତ କ୍ରିକେଟ୍ ଖେଳୁ ଥିଲା । ବଲ୍ଟା ସେ ମଶାଣୀ ପାଖ ଡାହାଣୀ ବର ଗଛ ପାଖକୁ ଚାଲି ଗଲା ବାପୁନୁ ବଲ୍ ପାଇଁ ସିଆଡେ ଯାଇ ଥିଲା ।

                କଥାଟା ପରିସ୍କାର ହୋଇ ଗଲା । ଡାହାଣୀ ବର ଗଛରୁ ବାପୁନୁ ଦେହକୁ କିଏ ଗୋଟେ ଆସିଛି । ଗାଁ ଲୋକଙ୍କର ସବୁ ବିଶ୍ୱାସ ସେ ଡାହାଣୀ ବର ଗଛରେ କେତେକ ଆତ୍ମା ଅଛନ୍ତି । ରାତ୍ରୀର ବିଳମ୍ବିତ ପ୍ରହରରେ ବାହାରି ସେମାନେ ତାଙ୍କର ଲୀଳା ଆରମ୍ଭ କରନ୍ତି । ସେମାନେ ଅନେକ କଥା ଭୟଙ୍କର କାହାଣୀ ମଧ୍ୟ ସୃଷ୍ଟି କରନ୍ତି ବୋଲି ଗାଁର ବୁଢା ବୁଢୀ ମାନେ କୁହନ୍ତି । ସେ କଥା ଶୁଣିଲେ ଭୟରେ ତାଙ୍କର ଛାତି ଥରି ଉଠେ ।

                ଦିନେ ସପନା ଭୋଇ କିପରି ରାତିରେ ସେ ବର ଗଛ ବାଟ ଦେଇ ଆସୁ ଥିଲା । ଗାଁକୁ ଆସିଲା ଦୁଇ ଚାରିଟା ପତଳା ଝାଡା, ରକ୍ତ ବାନ୍ତି ହେଲା, ତା ପରେ ସେ ସଫା । ଏମିତି ଅନେକ ଲୋମ ହର୍ଷଣକାରୀ କଥା । ଗୋଟେ ଧଳା ଘୋଡା କୁଆଡେ ରାତିରେ ବାହାରି ବର ଗଛ ଚାରିପଟ ଡେଇଁ ଥାଏ । ସନିଆ ବୁଢା କୁଆଡେ ସେ ଘୋଡାକୁ ଦେଖିଛି ଆଉ ତା ପିଠିରେ ସେ ବସିଛି ମଧ୍ୟ । ତା କଲିଜା କୁଆଡେ ଦେଖିବାକୁ ଖୁବ୍ ବଡ । ସେ ଭୂତ ପ୍ରେତ ସାଥିରେ କୁଆଡେ କଥା ହୁଏ । ନଟ ଗୁଣିଆଁ କଥା ମଧ୍ୟ ବୁଢା ବୁଢୀ ମାନେ କୁହନ୍ତି । କୁଆଡେ ନଟ ଗୁଣିଆଁ ଭୂତ, ଡାହାଣୀକୁ ଆଣି ତାଙ୍କୁ ବସ କରିବା ମନ୍ତ୍ର ଜାଣେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ