ପ୍ରକୃତ ସନ୍ନ୍ୟାସୀ

ଦିନେ ପ୍ରଖର ରୌଦ୍ରତେଜ ମଧ୍ୟରେ ଦୁଇ ସନ୍ନ୍ୟାସୀ ବନ୍ଧୁ ନନ୍ଦ ଓ ସୁନନ୍ଦ ଜଙ୍ଗଲ ଭିତର ଦେଇ ଯାଉଥିଲେ । ସେମାନଙ୍କ ଗୁରୁ ଜ୍ଞାନନେତ୍ରଙ୍କ ଆଶ୍ରମ ସେଠାରୁ କିଛି ଦୂରରେ ଥାଏ । ଯେମିତି ହେଉ ପଛେ ସୂର୍ଯ୍ୟାସ୍ତ ପୂର୍ବରୁ ଆଶ୍ରମରେ ଯାଇ ପହଁଚିବେ ଏଇ ଲକ୍ଷ୍ୟ ରଖି ସେ ଦୁହେଁ ଜୋର୍ରେ ଚାଲୁଥା’ନ୍ତି । ରାସ୍ତାରେ ଏକ ନଦୀ ପଡିଲା । ସେଥିରେ ପାଣି ବେଶି ନଥିଲେ ମଧ୍ୟ ସ୍ରୋତ ପ୍ରଖର ଥିଲା । ଦୁହେଁ ସେ ନଦୀ ପାର ହେବାକୁ ଯାଉଛନ୍ତି ହଠାତ୍ ଦେଖିଲେ ଯୁବତୀଟିଏ ବଡ ଅସହାୟ ଭାବରେ ସ୍ରୋତକୁ ଚାହିଁ ରହିଛି । ସୁନନ୍ଦ ଯାଇ ତାଙ୍କୁ ପଚାରିଲା, “ଭଉଣୀ ତୁମେ କ’ଣ କିଛି ସାହାଯ୍ୟ ଚାହୁଁଛ?”

ତହୁଁ ସେ ଯୁବତୀଟି ଉତ୍ତର ଦେଲା, “ଏହି ନଦୀର ଅପର ପାରରେ ମୋର ଗାଁ । ପାଣିର ସ୍ରୋତ ଦେଖି ମୋତେ ଭାରି ଭୟ ଲାଗୁଛି । କିପରି ପାରି ହେବି ସେହି କଥା ହିଁ ମୁଁ ଭାବୁଛି । “ନଦୀ ପାର ହେବାକୁ ମୁଁ ତୁମକୁ ସାହାଯ୍ୟ କରିବି । ଆସ ।” ଏହା କହି ସୁନନ୍ଦ ସେ ଝିଅଟିକୁ ଦୁଇ ହାତରେ ଉଠାଇ ନେଇ ଆର ପାରିରେ ଛାଡିଦେଲା । ତା’ପରେ ସେ ଯୁବତୀଟି ସୁନନ୍ଦକୁ କୃତଜ୍ଞତା ଜଣାଇ ନିଜ ଗ୍ରାମକୁ ଚାଲିଗଲା । ଏଣେ ଏ ଦୁଇ ସନ୍ନ୍ୟାସୀ ମଧ୍ୟ ଗୁରୁଙ୍କ ଆଶ୍ରମ ଦିଗରେ ଚାଲିଲେ ।

ସେମାନେ ଆଶ୍ରମ ପାଖରେ ପହଁଚିବା ବେଳକୁ ନନ୍ଦ ଅତ୍ୟନ୍ତ କଠୋର ସ୍ୱରରେ ପଚାରିଲା, “ସୁନନ୍ଦ, ଆମେ ସର୍ବସଙ୍ଗ ପରିତ୍ୟାଗ କରି ସନ୍ନ୍ୟାସୀ ହୋଇଛେ । ଆମେ ସ୍ତ୍ରୀମାନଙ୍କ ଆଡକୁ ଆଖି ଉଠାଇ ଚାହିଁବା ମଧ୍ୟ ଉଚିତ୍ ନୁହେଁ । ଏପରି କ୍ଷେତ୍ରରେ ତୁମେ ନଦୀତଟରେ ସେ ଯୁବତୀ ସହିତ କଥା ବି କହିଲ ଓ ପୁଣି ତାକୁ ଦୁଇ ହାତରେ ଉଠାଇ କାନ୍ଧରେ ବସାଇ ନେଇ ଆର ପାଖରେ ଛାଡିଲ । ଜଣେ ସନ୍ନ୍ୟାସୀ ପାଇଁ ଏହା କ’ଣ ଉଚିତ୍ କାର୍ଯ୍ୟ ହୋଇଛି?”

ଏପରି କଥା ଶୁଣି ସୁନନ୍ଦ ଉତ୍ତର ଦେଲା, “ଦେଖ ନନ୍ଦ, ମୁଁ ତ ଝିଅଟିକୁ ନଦୀ ପାର କରାଇ ସେଇଠାରେ ହିଁ ଛାଡି ଆସିଲି । କିନ୍ତୁ ମୋତେ ଲାଗୁଛି ତମେ ବୋଧେ ତାକୁ ଏପର୍ଯ୍ୟନ୍ତ ମଧ୍ୟ ନିଜ ମନ ଭିତରେ ବୋହି ଚାଲିଛ ।”


ଗପ ସାରଣୀ

ତାଲିକାଭୁକ୍ତ ଗପ