ଓଡିଶାମାଟିର ଦୁଇ ବିରଳ ବିପ୍ଳବୀ – ଜଣେ ବୀର ସୁରେନ୍ଦ୍ର ସାଏ ଓ ଆଉ ଜଣେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ । ଜଣେ ସମ୍ବଲପୁର ଆଦିବାସୀ ମେଳିର ନାୟକ – ବୀର ସୁରେନ୍ଦ୍ର, ତ ଆଉ ଜଣେ ଆଜାଦ୍ ହିନ୍ଦ୍ ଫୌଜର ମହାନାୟକ – ନେତାଜୀ ସୁଭାଷ ।
ସୁରେନ୍ଦ୍ର ଥିଲେ ପଲ୍ଲୀ ପରିବେଶର ପୂଜାରୀ । ଗାଁରୁ ଗାଁକୁ ଯାଇ ନିରୀହ ଆଦିବାସୀମାନଙ୍କୁ ମେଳିକରି ସେ ସେମାନଙ୍କର ସମସ୍ୟା ସମାଧାନ କରିଦେଇଛନ୍ତି ।
ଥରେ ତାଙ୍କର ପିତା ଧରମସିଂହ ତାଙ୍କୁ କହିଲେ, “ସୁରେନ୍ଦ୍ର! ତୁମେ ସମ୍ବଲପୁରର ରାଜଗାଦିରେ ବସିବା ନିଶ୍ଚିତ । ତୁମର ଆଦିବାସୀମାନଙ୍କ ସହିତ ମିଳାମିଶାକୁ କେହି ବି ପସନ୍ଦ କରନ୍ତି ନାହିଁ ।”
ଏହାର ଉତ୍ତରରେ ନିର୍ଭୀକ ସୁରେନ୍ଦ୍ର କହିଲେ, “ପିତା! ଆଦିବାସୀମାନେ ମଧ୍ୟ ମଣିଷ । ପ୍ରଜାମାନଙ୍କର ହିତପାଇଁ ରାଜା । ପ୍ରଜାମାନେ ଖଜଣା ଦେଉଛନ୍ତି । ସେମାନେ ନ ଥିଲେ ଆମେ ରାଜା କାହା ଉପରେ ହେବା । ସୁତରାଂ ପ୍ରଜାଙ୍କୁ ନେଇ ହିଁ ରାଜା ।”