ଦାନୀକର୍ଣ୍ଣ ଭୂମିନାଥ

ବସନ୍ତ ନାମକ ଗ୍ରାମରେ ଭୂମିନାଥ ନାମକ ଜଣେ ଧନୀ ବ୍ୟକ୍ତି ଥିଲେ । ତାଙ୍କୁ ସମସ୍ତେ ଦାନୀକର୍ଣ୍ଣ କହୁଥିଲେ । ସେ ନିଜ ନାମର ମହତ୍ୱ ରଖିବାକୁ ଯାଇ ଦାନ ଦେଇ ଦେଇ ସବୁ ଧନ ଶେଷ କରିଦେଲେ । ସେ କୃଷିବିଦ୍ୟାରେ ପାରଙ୍ଗମ ଥିଲେ । ଅନ୍ୟମାନଙ୍କ ଜମିଚାଷ କରି ବହୁ ଅର୍ଥ ସେ ଲାଭ କଲେ । କିନ୍ତୁ ଦାନ ଦେବାର ଅଭ୍ୟାସ ସେ ଛାଡିଲେ ନାହିଁ । ତଥାପି ଏବେ ନିଜର ପରିସ୍ଥିତି ଓ ଅତ୍ୟଧିକ ଦାନ ଦେବା ଯୋଗୁଁ ଅର୍ଥାଭାବ ଇତ୍ୟାଦି କଥା ଭାବି ଏଣିକି ସେ ସଜାଗ ରହନ୍ତି; ତେଣୁ ସୁଖ ଶାନ୍ତିରେ ଜୀବନ କଟାଇଲେ ।

ଦିନେ ପିଣ୍ଡାରେ ବସି ପୁରୋହିତଙ୍କ ସହିତ କଥା ହେବା ସମୟରେ ସେଠାକୁ ଜଣେ ବ୍ରାହ୍ମଣ ଆସିଲେ । ଭୂମିନାଥ ତାଙ୍କୁ ପ୍ରଣାମ କରି ନମ୍ରଭାବରେ କହିଲେ, “ଆପଣ କେଉଁ କାର୍ଯ୍ୟରେ ଆସିଛନ୍ତି? ମୁଁ ଆପଣଙ୍କୁ କିଛି ସାହାଯ୍ୟ କରିପାରେ କି?”

ତା’ପରେ ସେ ବ୍ରାହ୍ମଣ କହିଲେ, “ମହାଶୟ, ଆପଣଙ୍କ ଗ୍ରାମର ରତନ ସେଠଙ୍କ ଝିଅର ବିବାହ ଉତ୍ସବକୁ ମୁଁ ଆସିଛି । ସେ ବ୍ରାହ୍ମଣ ପଣ୍ଡିତମାନଙ୍କୁ ବହୁଦାନ ଦେଉଛନ୍ତି । ମୁଁ ବନସ୍ଥଳୀ ନାମକ ଗ୍ରାମରୁ ଆସିଛି । ମୋର ଗ୍ରାମ ଅନେକ ଦୂରରେ ଅବସ୍ଥିତ । ତାଙ୍କର ଦାନ ପାଇଁ ମୁଁ ଏଠାକୁ ଆସିଛି । ସେ ସମସ୍ତିଙ୍କୁ ଦାନ ସ୍ୱରୂପ ରୂପା ଥାଳିଆ ଦେଉଛନ୍ତି । ଥାଳିଆ ଏତେ ମୂଲ୍ୟବାନ ନୁହେଁ, ପୁଣି ମୋତେ ମଧ୍ୟ ନିମନ୍ତ୍ରଣ କରାହୋଇ ନାହିଁ । କାରଣ ଏପରି ପ୍ରଥା ଅଛି ଯେ ବିନା ନିମନ୍ତ୍ରଣରେ ମଧ୍ୟ ବ୍ରାହ୍ମଣ ଆସି ପାରିବେ । କିନ୍ତୁ ଦୁଃଖର ବିଷୟ ସେ ଦାନ ଦେବାବେଳେ କୁଣ୍ଠିତ ହୋଇ ଦେଉଛନ୍ତି । ମନେହୁଏ ପ୍ରଥା ଅଛି ବୋଲି ବାଧ୍ୟରେ ପଡି ସେ ଦେଉଛନ୍ତି । ଆମେ ମଧ୍ୟ ଅନୁଭବ କରୁଛୁ ଯେପରି ଭିକ ନେଉଛୁ । ତେଣୁ ମୁଁ ଭବିଷ୍ୟତରେ ସେଠାକୁ କେବେ ମଧ୍ୟ ଆସିବି ନାହିଁ । ଭାବିଲି ଏ ଗ୍ରାମକୁ ଆସିଛି ଯେତେବେଳେ ଆପଣଙ୍କ ପରି ଦାନୀ କର୍ଣ୍ଣଙ୍କୁ ଦେଖାକରି ଯାଏଁ ।”

ତାଙ୍କ କଥା ଶୁଣି ଭୂମିନାଥ ବଡ ଖୁସି ହେଲେ । ସେ ଘରୁ କିଛି ଆଣି ବ୍ରାହ୍ମଣଙ୍କୁ ଦେଲେ ଏବଂ ହାତ ଯୋଡି କହିଲେ, “ଥାଳିଆ ଦାନ ଦେବାର ପ୍ରଥା କେବେଠାରୁ ଲୋପ ପାଇଲାଣି । କେବଳ ନାମମାତ୍ରକୁ ଏହା ରହିଛି । ସେହିପରି ମୁଁ ମଧ୍ୟ ନାମମାତ୍ର ଦାନୀକର୍ଣ୍ଣ । ମୋର ମା’ଙ୍କର ମୃତ୍ୟୁ ସମୟକୁ ମୁଁ ଭୂମିଦାନ ଦେବାକୁ ଚାହିଁଥିଲି । କିନ୍ତୁ କରିପାରିଲି ନାହିଁ । ପୁରୋହିତଙ୍କୁ ମୋହରଟିଏ ମାତ୍ର ଦେଇଥିଲି ଓ ଭବିଷ୍ୟତରେ ଭୂମିଦାନ ଦେବା ପାଇଁ କଥା ଦେଇଥିଲି । ଏପରି ପରିସ୍ଥିତିରେ ଆପଣଙ୍କୁ ମଧ୍ୟ ଦାନ ଦେଇ ନ ପାରିବାରୁ ମୋର ମନ ବଡ ଦୁଃଖ । ଆପଣ ମୋତେ ଆଶୀର୍ବାଦ କରନ୍ତୁ ଯେପରି ମୁଁ ପୁରୋହିତଙ୍କୁ ଭୂମିଦାନ ଦେବାକୁ ସମର୍ଥ ହୁଏ ।”

ଯାହା ଅଳ୍ପକିଛି ଦାନ ମିଳିଲା ତାକୁ ସ୍ୱୀକାର କରିବା ପରେ ବ୍ରାହ୍ମଣ କହିଲେ, “ତୁମେ ତୁମ ହାତ ଦେଖାଅ ତ ।” ଭୂମିନାଥ ହାତ ଦେଖାଇଲେ । ବ୍ରାହ୍ମଣ ଆଖି ବଡ ବଡ କରି କହିଲେ, “ହାତର ରେଖାରୁ ସ୍ପଷ୍ଟ ପ୍ରମାଣିତ ହେଉଛି ଯେ ଭବିଷ୍ୟତରେ ଆପଣ ଭୂମି ଦାନ କରିବେ ଓ ଭୂମି ଫେରି ପାଇବେ । ଭୂମିଲାଭ ଯୋଗ ଆପଣଙ୍କ ହାତରେ ଅଛି । ଆଉ ଅତି ଶୀଘ୍ର ଆପଣ ଏହା ଲାଭ କରିବେ ।”


ଗପ ସାରଣୀ

ତାଲିକାଭୁକ୍ତ ଗପ