ତାଙ୍କ କଥା ଶୁଣି ସମସ୍ତେ ନୀରବ ରହିଲେ।

ବୁଦ୍ଧିମାନ୍ କହିଲେ, “ମହାଶୟ, କେହି ଯଦି ଆମ ଯୁବକମାନଙ୍କୁ ପ୍ରତିଯୋଗିତା ପାଇଁ ଆହ୍ୱାନ କରେ, ତେବେ ସେମାନେ ଯଥାର୍ଥ ପ୍ରତ୍ୟୁତ୍ତର ଦିଅନ୍ତି । କିନ୍ତୁ ଆପଣଙ୍କ ଦକ୍ଷତା ଅତୁଳନୀୟ । ସେଥିପାଇଁ ସମସ୍ତେ ନୀରବ । ତେଣୁ ଆପଣଙ୍କୁ ଆମେ ଅନୁରୋଧ କରୁଛୁ, କିଛିଦିନ ଏଠାରେ ରହି ଆମ ଯୁବକମାନଙ୍କୁ କ୍ରୀଡା ଓ ଯୁଦ୍ଧର କୌଶଳସବୁ ଶିଖାଇବେ । ଏଠାରେ ଆମେ ମଧ୍ୟ ଯତ୍ନର ସହିତ ଆପଣଙ୍କୁ ରଖାଇଛୁ । ଆନନ୍ଦ ଓ ଖୁସିରେ ରହନ୍ତୁ । ଆପଣ ଦେଶକୁ ଫେରିଯିବା ପରେ ଆମେ ଆପଣଙ୍କୁ ମନେ ପକାଇଥିବୁ । ଆପଣ ମଧ୍ୟ ଆମକୁ ମନେ ପକାଉଥିବେ ।”

ତା’ପରେ ନୃତ୍ୟ ପରିବେଷଣ କରାଗଲା । ଅନେକ ନର୍ତ୍ତକ ନର୍ତ୍ତକୀ, ସଂଗୀତ ସହିତ ନାଚୁଥା’ନ୍ତି । ରୂପଧର ଖୁସି ହୋଇ ରାଜାଙ୍କୁ କହିଲେ, “ମହାଶୟ, ଏପରି ସୁନ୍ଦର ନୃତ୍ୟ, ମୁଁ ଅନ୍ୟ କେଉଁଠାରେ ହେଲେ ଦେଖିନାହିଁ । ଏହା ତ ଅପୂର୍ବ ।”

ରାଜା ତାଙ୍କ ପରିବାରର ବାରଜଣ ରାଜକୁମାରଙ୍କୁ ଡାକିଲେ । ସେମାନେ ମଧ୍ୟ କ୍ରୀଡା ପ୍ରତିଯୋଗିତାରେ ଅଂଶଗ୍ରହଣ କରୁଥିଲେ । ରୂପଧରଙ୍କର ଅଦ୍ଭୁତ ପ୍ରତିଭା ଦେଖି ସେମାନେ ହାତୀଦାନ୍ତର ଓ ରୂପାରେ ତିଆରି ହୋଇଥିବା ତରବାରୀର ମୁଠା ଓ ଖୋଳ ସହିତ ଅନେକ ତରବାରୀ ତାଙ୍କୁ ଉପହାର ସ୍ୱରୂପ ଦେଲେ ।

ସେଦିନ ରାତ୍ରିରେ ପୁଣି ଅନ୍ଧଗାୟକ ଟ୍ରୋଜନ୍ ଯୁଦ୍ଧର କାଠଘୋଡା ବିଷୟରେ ଗାୟନ କଲେ । ଗ୍ରୀକ୍ମାନେ ନିଜ ଶିବିରରେ ନିଆଁ ଧରାଇ, ନିଜ ନିଜର ବୋଇତମାନ ଖୋଲି ଚାଲିଯିବାର ଛଳନା କରିଥିଲେ; ଟ୍ରୋଜନ୍ ଯୁଦ୍ଧର ଅବସାନ ହେଲା ବୋଲି ଘୋଷଣା କରାଗଲା । ଗ୍ରୀକ୍ମାନେ ଚାଲିଗଲେ ବୋଲି ସମସ୍ତେ ଜାଣିଲେ । ରାତିରେ କାଠର ଏକ ବିରାଟ ଘୋଡା ତିଆରି କରି କିପରି ସେମାନେ ତା’ ମଧ୍ୟରେ ଲୁଚି ଲୁଚି ଯାଇ ଯୁଦ୍ଧ କରି ଜିତିଲେ, ସେକଥା ସବୁ ଅନ୍ଧ ଗୀତ ବୋଲି ଶୁଣାଉଥାଏ । ଏଣେ ସେସବୁ ଶୁଣି ରୂପଧରଙ୍କ ଚକ୍ଷୁରେ ଅଶ୍ରୁଧାରା ପ୍ରବାହିତ ହେଲା ।

ଏକଥା ଦେଖି ରାଜା ଗୀତ ବନ୍ଦ କରାଇଲେ; ସେ ରୂପଧରଙ୍କୁ ପଚାରିଲେ, “ମହାଶୟ, ସତ କଥା କୁହନ୍ତୁ ଆପଣ କିଏ? ଆପଣଙ୍କ ନାମ କ’ଣ? କେଉଁ ଦେଶରେ ଆପଣଙ୍କ ଘର? ଆପଣ କେଉଁଠୁ ଆସିଲେ? ଟ୍ରୋୟ ଯୁଦ୍ଧର କାହାଣୀ ଶୁଣିବା ମାତ୍ରେ ଆପଣ କାହିଁକି କାନ୍ଦି ପକାଉଛନ୍ତି? ସେହି ଯୁଦ୍ଧରେ ଆପଣଙ୍କର କେହି ନିଜ ଲୋକ କ’ଣ ମରିଯାଇଛନ୍ତି? ଆପଣଙ୍କ ମନରେ କାହିଁକି ଏତେ ଦୁଃଖ?

ଆପଣ ଏବେ ସମସ୍ତ କଥା ମୋତେ ଖୋଲି କହନ୍ତୁ । ଆମେ ଯେତେବେଳେ ଆପଣଙ୍କୁ ବନ୍ଧୁଭାବରେ ଓ ନିଜଲୋକ ଭାବରେ ଗ୍ରହଣ କରିଛୁ । ଆପଣ ମଧ୍ୟ ନିଜର ଭାବି ଆମକୁ ଆପଣଙ୍କର ସମସ୍ତ ଇତିହାସ ଖୋଲି କୁହନ୍ତୁ । ମୁଁ ବରାବର ଲକ୍ଷ୍ୟ କରୁଛି ଯେ ଟ୍ରୋୟ ଯୁଦ୍ଧ କଥା ଆପଣଙ୍କ ଚକ୍ଷୁରେ ଅଶ୍ରୁ ଆଣି ଦେଉଛି । ଏହାର ରହସ୍ୟ ବା କ’ଣ?”


ଗପ ସାରଣୀ

ତାଲିକାଭୁକ୍ତ ଗପ