କମଳିନୀ ବିବାହ

         କେଜି ନରପତି ବିକ୍ରମାଦିତ୍ୟଙ୍କ ବାକ୍ୟ ଶୁଣି ନୀରବ ହୋଇଗଲେ । କନ୍ୟା କମଳିନୀ ତ ମୋର ଆୟତ ବାହାରେ କ’ଣ କରିବେ ତାଙ୍କର ବୁଦ୍ଧି ବଣା ହୋଇଗଲା । ପୁରୁଷଙ୍କ ନାମ ଶୁଣିଲେ ସେ ଅନଳ ପରି ପ୍ରତିଭା ଦେଖାଏ । ପୁରୁଷଙ୍କ ଛାୟା ମାଡେ ନାହିଁ । ମୁଁ ଜନ୍ମକରି ମଧ୍ୟ ତାକୁ ଦେଖିପାରେ ନାହିଁ । ତା’ ପାଇଁ ଅଲଗା ଉଆସ କରି ଦେଇଛି ସେ କେତେକ ସହଚରୀଙ୍କୁ ଘେନି ରହିଛି । ସମସ୍ତ କାର୍ଯ୍ୟ ସେ ନାରୀମାନଙ୍କ ହସ୍ତରେ କରାଏ । ଏପରି କନ୍ୟା ମୋ କଥା କ’ଣ ମାନିବ । କେଜି ରାଜନଙ୍କ କଥା ଶୁଣି ବିକ୍ରମରାଜନ କହିଲେ ତୁମ୍ଭେ ଦାସୀ ହସ୍ତରେ ଲେଖି ପଠାଅ । ସେ ତ ଯୁବତୀ ତେବେ ବିବାହପାଇଁ କାହିଁକି ଅନିଚ୍ଛା । କେଜି ନୃପରାଣ ଶୁଣି ବିକ୍ରମ ରାଜନ କଥାରେ ସମ୍ମତି ଜଣାଇ ପତ୍ରଟିଏ ଏକ ଦାସୀ ହସ୍ତରେ କମଳିନୀ ପାଖକୁ ପଠାଇଲେ ।

         କେଜି ନୃପତି ସେ ପତ୍ରରେ ଲେଖିଲେ ମା’ କମଳିନୀ ଜାଣିବୁ ତୋର ଯୋଗ୍ୟ ପତି ଏବେ ମିଳିଛି । ସାକ୍ଷାତରେ ମାନବ ସେ; କିନ୍ତୁ ଦେବତା ପରି ଗୁଣବାନ । ଦାସୀ ପତ୍ର ଘେନି କମଳିନୀ ପାଖରେ ପହଁଚି ପତ୍ରଟି ତା ହସ୍ତକୁ ଦେଲା । କ୍ରୋଧାନ୍ୱିତ ହୋଇ କମଳିନୀ ପତ୍ରର ପୃଷ୍ଠଭାଗେ ଉତ୍ତର ଲେଖିଲା । ପିତା ମୋତେ ନ ପଚାରି ତୁମ୍ଭେ କାହିଁକି ବର ନିର୍ବାଚନ କରିଛ । ମୁଁ ତ ପୁରୁଷର ଛାୟା ମାଡେ ନାହିଁ । ତୁମ୍ଭେ ଜାଣି ଜାଣି ଏପରି କର୍ମ କାହିଁକି କରିଛ । ଏପରି ଉତ୍ତର ଲେଖି ପତ୍ର ମୁଦ୍ରିତ କରି ଦାସୀ ହସ୍ତରେ ପଠାଇଦେଲା ।

         କେଜି ନୃପ ପତ୍ର ପାଠ କରି ବ୍ୟସ୍ତ ନ ହୋଇ ପୁନର୍ବାର ପତ୍ର ଲେଖିଲେ ଝିଅ ମୋର କଥା ମାନ । ତୁ ଯେବେ ମୋ କଥା ନ ମାନୁ ତେବେ ମୁଁ ସତ୍ୟ ଭଗ୍ନ ହେବି । ତୁ ଯେବେ ବିବାହ ନ ହେବୁ ଅନ୍ତ କାଳରେ ମୁଁ ନର୍କକୁ ଯିବି । ଯୁବା କନିଆ ଯେ ଗୃହରେ ରଖି ବିଭା ନକରେ ପିତୃପୁରୁଷ ତା’ର ରୁଧିରକୁ ନିଅନ୍ତି । ଏ ନୃପଠାରୁ ଉପକାର ପାଇ ମୁଁ ସତ୍ୟ ପାଶେ ଆବଦ୍ଧ । ତୁ ଯେବେ ତାକୁ ବିବାହ ନ ହେବୁ ମୁଁ ସତ୍ୟଭ୍ରଷ୍ଟ ହେବି । ତାଙ୍କଠାରୁ ବଳବାନ କେହି ନାହାଁନ୍ତି । ଅବିବାହିତ ହୋଇ ତୁ ଯେବେ ବେଶୀଦିନ ରହିବୁ ଲୋକେ ମୋତେ ନିନ୍ଦା କରିବେ । କମଳିନୀ ପାଖକୁ ଦାସୀ ହସ୍ତରେ ପତ୍ର ପଠାଇ ଦେଲେ । ପତ୍ର ପାଇ କମଳିନୀ ମନ ମଧ୍ୟରେ ଚିନ୍ତାକଲା । ମୁଁ ବିବାହ ନ ହେଲେ ମୋ ପିତା ମାତା ନିନ୍ଦା ପାଇବେ । ମୁଁ ବିବାହ ହେବି; ମାତ୍ର ପତି ଅଙ୍ଗ ସ୍ପର୍ଶ କରିବି ନାହିଁ ।

         ମନ ମଧ୍ୟରେ ଏପରି ସ୍ଥିର କରି ପିତାଙ୍କ ପାଖକୁ ପତ୍ର ଲେଖିଲା । ପିତା ମୁଁ ବିବାହ ହେବି । ପତ୍ରଟିକୁ ଦାସୀ ହସ୍ତରେ କମଳିନୀ ପିତାଙ୍କ ପାଖକୁ ପଠାଇ ଦେଲା । ବିକ୍ରମ ରାଜନକୁ କେଜିନୃପ ଦେଖାଇଲେ । ବିକ୍ରମାଦିତ୍ୟ ଦେଖି ଆନନ୍ଦ ହୋଇଲେ । ଘୃତଭାଣ୍ଡ ପରି କନ୍ୟା ଅନଳ ସମାନ ପୁରୁଷ । କେଜି ରାଜନ କନ୍ୟାର ସମ୍ମତିପାଇ ଆନନ୍ଦିତ ହେଲେ । ପାତ୍ରମନ୍ତ୍ରୀମାନଙ୍କୁ ରାଜନ ଡକାଇ କମଳିନୀର ବିବାହ ବାର୍ତା ଚତୁର୍ଦିଗକୁ ପ୍ରେରଣ କଲେ । ରାଜଜେମାଙ୍କର ବିବାହ କଥା ଶୁଣି ବନ୍ଧୁବାନ୍ଧବ ତଥା ନିମନ୍ତ୍ରିତ ନୃପତିମାନେ ପହଁଚିଲେ । ବିକ୍ରମାଦିତ୍ୟ ମନରେ ଆନନ୍ଦ । ଯାହାହେଉ କମଳିନୀ ମିଳିଗଲା । ବିବାହ ହେବ, ମାତ୍ର ଅଙ୍ଗ ଛୁଇଁବ ନାହିଁ । ବିକ୍ରମାଦିତ୍ୟ ଅତି ଚତୁର । ସେ କହିଲେ ବିଭାହେଲେ ଅଙ୍ଗସ୍ପର୍ଶ କରିବି ନିଶ୍ଚିତ ।

         କିଛିଦିନ ଗଡିଗଲା । କେଜିନୃପ ଭଲ ଦିବସ ଧାର୍ଯ୍ୟକରି ବିକ୍ରମାଦିତ୍ୟଙ୍କୁ କନ୍ୟା ଦାନ କଲେ । ବିବାହ ହେଲା ସତ ହେଲେ କନ୍ୟା ବିକ୍ରମଙ୍କ ଆଡକୁ ଚାହିଁଲା ନାହିଁ । କେବଳ ଅବିବାହିତ ଦୋଷରୁ କନ୍ୟା ମୁକ୍ତି ପାଇଲା । ନିନ୍ଦାରୁ ତରିଗଲେ କନ୍ୟାର ପିତା ମାତା । ବିବାହ ପରେ କନ୍ୟା ନିଜ ମନ୍ଦିରକୁ ଚାଲିଗଲା । ବିକ୍ରମାଦିତ୍ୟ ନିଜର ଉଆସରେ ରହିଲେ । କମଳିନୀର ଗତିବିଧି ଜାଣିବାପାଇଁ ବିକ୍ରମାଦିତ୍ୟ ବେତାଳଙ୍କୁ ଲଗାଇଦେଲେ।


ଗପ ସାରଣୀ

ତାଲିକାଭୁକ୍ତ ଗପ