ବିଜୟନଗର ରାଜ୍ୟର ରାଜା କୃଷ୍ଣଦେବରାୟଙ୍କର ଦରବାରରେ ଦିନେ ପଡୋଶୀ ଦେଶର ଜଣେ ଦୂତ ଆସି ପହଁଚିଲେ । ସେ ଦୂତ ଜଣଙ୍କ ତାଙ୍କ ସାଙ୍ଗରେ ରାଜା କୃଷ୍ଣଦେବରାୟଙ୍କ ପାଇଁ ନାନାଦି ମୂଲ୍ୟବାନ ଉପହାର ମଧ୍ୟ ଆଣି ଥାଆନ୍ତି । ରାଜା ପଡୋଶୀ ରାଜ୍ୟର ଦୂତକୁ ସ୍ୱାଗତ ସମ୍ବର୍ଦ୍ଧନା ଦେବାରେ କୌଣସି ବି ଅବହେଳା କଲେ ନାହିଁ । ସେ ଦୂତଟି ରାଜାଙ୍କ ପ୍ରାସାଦରେ ଦୁଇ ଦିନ ରହିଗଲେ ।
ତୃତୀୟ ଦିନ ସେ ଦୂତଟି ନିଜ ଦେଶକୁ ପ୍ରତ୍ୟାବର୍ତ୍ତନ କରିବାକୁ ବାହାରିବା ସମୟରେ ରାଜା କୃଷ୍ଣଦେବରାୟ ମଧ୍ୟ ପଡୋଶୀ ରାଜ୍ୟର ରାଜାଙ୍କପାଇଁ ନାନାଦି ବହୁମୂଲ୍ୟ ଉପହାର ପଠାଇଲେ ।
ରାଜା କୃଷ୍ଣଦେବରାୟ ମଧ୍ୟ ସେ ଦୂତକୁ କିଛି ଉପକାର ଦେବାକୁ ମନେ ମନେ ଇଚ୍ଛା କରୁଥିଲେ । ସେଥିପାଇଁ ସେ ଦୂତକୁ କହିଲେ – “ମୁଁ ତୁମକୁ ମଧ୍ୟ କିଛି ଉପହାର ଦେବାକୁ ଚାହୁଁଛି । ସୁନା, ରୂପା, ହୀରା, ମୋତି ତୁମେ ଯାହା ଚାହୁଁଛ ତାହା ମୋତେ ମାଗିପାର ।”
ତହୁଁ ରାଜାଙ୍କ କଥା ଶୁଣି ସେ ଦୂତ କହିଲା, “ମହାରାଜ! ମୋର ଏସବୁ କିଛି ଦରକାର ନାହିଁ । ଯଦି ଆପଣ ମୋତେ କିଛି ଦେବାକୁ ଚାହୁଁଛନ୍ତି, ତା’ହେଲେ ଆଉ କିଛି ଦିଅନ୍ତୁ ।” ତାପରେ ସେ ଦୂତଟି ପୁଣି କହିଲା, “ମହାରାଜ! ଆପଣ ମୋତେ ଏପରି କିଛି ଉପହାର ପ୍ରଦାନ କରନ୍ତୁ, ଯାହାକି ସୁଖରେ ଦୁଃଖରେ ମୋର ସହାୟ ହେବ । ମୋ ଠାରୁ ତାକୁ କେହି ବି ଅଲଗା କରିପାରିବେ ନାହିଁ ।
ଦୂତର ଏ ପ୍ରକାର କଥା ଶୁଣି ରାଜା ଅତ୍ୟନ୍ତ ଆଶ୍ଚର୍ଯ୍ୟ ହୋଇଗଲେ । ଏହି କଥା ଶୁଣି ରାଜାଙ୍କର ପାରିଷଦ ବର୍ଗଙ୍କର ମୁଖରେ ମଧ୍ୟ ଆଉ ବଚନ ନଥାଏ । କେହି ବି ବୁଝିପାରୁ ନଥାନ୍ତି ଏପରି କ’ଣ ଉପହାର ଏ ପୃଥିବୀରେ ଅଛି ତାହା ସୁଖ ଦୁଃଖର ସାଥୀ ହୋଇପାରିବ । କେହିବି ଏହାର ସମାଧାନ କରିପାରୁ ନଥାନ୍ତି ।